ପନ୍ତ୍‌, ରାୟୁଡୁ ଷ୍ଟାଣ୍ଡ୍‌ବାଇ

ନୂଆଦିଲ୍ଲୀ: ବିଭିନ୍ନ ମହଲରୁ ଟ୍ବିଟ୍‌ ଝଡ଼ ଏବଂ ବହୁ ସମାଲୋଚନା ପରେ ଶେଷରେ ଯୁବ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ଓ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ୍‌ ଅମ୍ବାତି ରାୟୁଡୁଙ୍କ ସମେତ ଦ୍ରୁତ ବୋଲର ନଭ୍‌ଦୀପ୍‌ ସାଇନିଙ୍କୁ ଭାରତୀୟ କ୍ରିକେଟ୍‌ ବୋର୍ଡ ବିଶ୍ବକପ୍‌ ପାଇଁ ଭିନ୍ନ ଭାବେ ମନୋନୀତ କରିଛି। ସୋମବାର ୧୫ ଜଣିଆ ଦଳ ଘୋଷଣା କରାଯାଇଥିଲା ବେଳେ ବୁଧବାର ଏହି ତିନି ଜଣଙ୍କୁ ଷ୍ଟାଣ୍ଡ୍‌ ବାଇ ଭାବେ ଘୋଷଣା କରାଯାଇଛି। ୧୫ ଜଣିଆ ଦଳରେ କୌଣସି ଖେଳାଳିଙ୍କ ଆଘାତ ସମସ୍ୟା ଦେଖାଦେଲେ ଏମାନଙ୍କ ମଧ୍ୟରୁ କେହି ବି ଲଣ୍ଡନ ଗସ୍ତ କରିପାରିବେ ବୋଲି ବିସିସିଆଇ କହିଛି। ବିଶ୍ବକପ୍‌ ଦଳରୁ ପନ୍ତ୍‌ଙ୍କ ବାଦ୍‌କୁ ନେଇ କିମ୍ବଦନ୍ତୀ ସୁନିଲ ଗାଭାସ୍କର ବିସ୍ମୟ ପ୍ରକାଶ କରିଥିଲା ବେଳେ ରାୟୁଡୁଙ୍କ ବାଦ୍‌କୁ ନେଇ ପୂର୍ବତନ ବାମହାତୀ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟା‌ନ୍‌ ଗୌତମ ଗମ୍ଭୀର ପ୍ରଶ୍ନବାଣ ଛାଡ଼ିଥିଲେ। କୌଣସି ଦଳ ତା’ର ପ୍ରାଥମିକ ତାଲିକାରେ ପରବର୍ତନ ପାଇଁ ଆଇସିସି ମେ’ ୨୩କୁ ଶେଷ ତାରିଖ ଧାର୍ଯ୍ୟ କରିଥିବାରୁ ଏହି ୩ ଜଣଙ୍କ ମଧ୍ୟରୁ କେହି ହେଲେ ୧୫ ଜଣିଆ ଦଳରେ ସାମିଲ ହେବାର ସମ୍ଭାବନା ଥିଲା। ହେଲେ ବୁଧବାର ଷ୍ଟାଣ୍ଡ୍‌ବାଇ ଭାବେ ଘୋଷଣା କରାଯିବା ପରେ ପନ୍ତ୍‌, ରାୟୁଡୁଙ୍କର ଆରମ୍ଭରୁ ବିଶ୍ବକପ୍‌ ଖେଳିବା ଆଶା ମଉଳି ଯାଇଛି। ତେବେ ଷ୍ଟାଣ୍ଡ୍‌ବାଇ ତାଲିକାରେ ରଖି ବିସିସିଆଇ ଆଶା ଦେଇଛି। ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ଆଇସିସି ଚାମ୍ପିଅନ୍‌ସ ଟ୍ରଫି ଭଳି ବିଶ୍ବକପ୍‌ ପାଇଁ ଆମେ ତିନି ଜଣଙ୍କୁ ଷ୍ଟାଣ୍ଡ୍‌ ବାଇ ଭାବେ ବାଛିଛୁ। ସେମାନଙ୍କ ମଧ୍ୟରୁ ପନ୍ତ୍‌ ପ୍ରଥମ ଓ ରାୟୁଡୁ ଦ୍ବିତୀୟ ପସନ୍ଦ ଥିଲା ବେଳେ ସାଇନି ବୋଲର ତାଲିକାରେ ସାମିଲ ହୋଇଛନ୍ତି। ବିଶ୍ବକପ୍‌ ବେଳେ କେହି ବି ଖେଳାଳି ଆହତ ହେଲେ ‌ତାଙ୍କ ବଦଳ ଖେଳାଳି ଭାବେ ତିନି ଷ୍ଟାଣ୍ଡ୍‌ବାଇଙ୍କ ମଧ୍ୟରୁ ଜଣେ ଲଣ୍ଡନ ଯାତ୍ରା କରିବେ। ଏହି ତିନି ଜଣଙ୍କ ବ୍ୟତୀତ ତିନି ଦ୍ରୁତ ବୋଲର ଖଲିଲ ଅହମ୍ମଦ, ଅଭେସ ଖାନ୍‌ ଓ ଦୀପକ୍‌ ଚହର କେବଳ ନେଟ୍‌ ବୋଲର ଭାବେ ଦଳ ସହ ଲଣ୍ଡନ ଯିବେ। ସେମାନେ ଷ୍ଟାଣ୍ଡ୍‌ ବାଇ ନୁହନ୍ତି, ହେଲେ ଦଳୀୟ କର୍ତୃପକ୍ଷ ଅନୁଭବ କଲେ ସେମାନେ ମଧ୍ୟ ଦଳରେ ସାମିଲ ‌ହୋଇପାରିବେ ବୋଲି ବିସିସିଆଇ କହିଛି। ସେହିପରି ବିଶ୍ବକପ୍‌କୁ ମନୋନୀତ ଖେଳାଳିଙ୍କ ପାଇଁ ୟୋ ୟୋ ଟେଷ୍ଟ୍‌ ରହିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ଚଳିତ ଆଇପିଏଲ୍‌ ମେ’ ୧୨ ତାରିଖରେ ଶେଷ ହେବ। ଏହାର ମାତ୍ର କିଛି ଦିନ ପରେ ଭାରତୀୟ ଦଳ ଲଣ୍ଡନ ଅଭିମୁଖେ ଯାତ୍ରା କରିବ। ଭାରତ ମଧ୍ୟ ଜୁନ୍‌ ୫ ତାରିଖରେ ଦକ୍ଷିଣ ଆଫ୍ରିକା ସହ ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ। ଫଳରେ ସୀମିତ ସମୟ ଯୋଗୁଁ ବିଶ୍ବକପ୍‌ ଖେଳାଳିଙ୍କ ୟୋ ୟୋ ଟେଷ୍ଟ୍‌ ବ୍ୟବସ୍ଥା ରଖାଯାଇନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର