ପାରା କ୍ରୀଡ଼ା ସଂଘ ସମ୍ପାଦକଙ୍କ ଇସ୍ତଫା

ଭୁବନେଶ୍ୱର: ଜାତୀୟ ସଂଘର ବ୍ୟବହାର ଓ ଆଚରଣକୁ ନେଇ ବ୍ୟଥିତ ଓ ବିବ୍ରତ ଓଡ଼ିଶାର ଦୁଇ ପାରା କ୍ରୀଡ଼ା ସଂଘର ସମ୍ପାଦକ ପଦରୁ ଶୁକ୍ରବାର ବିଷ୍ଣୁଚରଣ ସାହୁ ଇସ୍ତଫା ପ୍ରଦାନ କରିଛନ୍ତି। ପାରାଲିମ୍ପିକ୍ସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ପିଏଓ) ଏବଂ ଓଡ଼ିଶା ପାରା ସ୍ପୋର୍ଟସ ଆସୋସିଏସନ୍‌ (ଓପିଏସ୍‌ଏ)ର ସାଧାରଣ ସମ୍ପାଦକ ପଦରୁ ମୁଁ ଇସ୍ତଫା ଦେଉଛି ବୋଲି ଶ୍ରୀ ସାହୁ ‘ସମ୍ବାଦ’କୁ ଜଣାଇଛନ୍ତି। ଇସ୍ତଫା ପତ୍ର ସେ ‘ପାରାଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆ’ (ପିସିଆଇ) ନିକଟକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି। ପିସିଆଇର ଘଟଣାକ୍ରମରେ ସେ ଲଜ୍ଜିତ ଓ ବ୍ୟଥିତ ହୋଇ ଇସ୍ତଫା ଦେଉଥିବା ଜଣାଇଛନ୍ତି। ମୁଁ କାହାରି ସହିତ ମୁକାବିଲାମୂଳକ ପରିସ୍ଥତିରେ ପହଞ୍ଚିବାକୁ ଚାହୁଁନାହିଁ। ଜୀବନରେ କାହାରିକୁ କେବେ ଅର୍ଥ ମାଗି ନାହିଁ।

ବରଂ ଅତୀତରେ ଖେଳାଳିଙ୍କୁ ବ୍ୟକ୍ତିଗତ ଖର୍ଚରେ ଟ୍ରେନ୍‌ ଟିକେଟ୍‌ଠାରୁ ଆରମ୍ଭ କରି ଖାଇବା ପିଇବା, ଖେଳ ସଂରଞ୍ଜାମ ଯୋଗାଇ ଆସିଥିଲି। ୨୧ ବର୍ଷର କାର୍ଯ୍ୟକାଳରେ ମୁଁ କେବେ ଦୁର୍ନୀତିକୁ ପ୍ରଶ୍ରୟ ଦେଇନାହିଁ। ଏହି ଦୁଇ ରାଜ୍ୟ ସଂଘର ଦାୟିତ୍ୱ ନେବାକୁ ମୁଁ ଅନ୍ୟମାନଙ୍କୁ ଆହ୍ଵାନ ଓ ପରାମର୍ଶ କରୁଛି ବୋଲି ଶ୍ରୀ ସାହୁ ଏକ ଭାବବିହ୍ଵଳ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଶ୍ରୀ ସାହୁ ଜାତୀୟ ସଂଘ ବିରୋଧରେ ଦୁର୍ନୀତି ଓ ପ୍ରିୟାପ୍ରୀତି ଅଭିଯୋଗ ଆଣିଥିଲେ। ସେହିଭଳି ରାଜ୍ୟର ଉଦୀୟମାନ ଅନ୍ତର୍ଜାତୀୟ ପାରା ଆଥ୍‌ଲେଟ୍‌ ଜୟନ୍ତୀ ବେହେରାଙ୍କୁ ୫ ବର୍ଷ ନିଲମ୍ବିତ କରି ବିବାଦ ଘେରକୁ ଆସିଥିଲେ।

ସମ୍ବନ୍ଧିତ ଖବର