ପାର୍ବତୀ, ରେଖାଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ

ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ଓଡ଼ିଶାର ସଫଳତା

ସମ୍ବଲପୁର: ଚଣ୍ଡିଗଡ଼ ମୋହାଲିରେ ଚାଲିଥିବା ପ୍ରଥମ ଜାତୀୟ ମାଷ୍ଟର୍ସ କ୍ରୀଡ଼ାରେ ଶୁକ୍ରବାର ଓଡ଼ିଶାକୁ ୭ଟି ସ୍ୱର୍ଣ୍ଣ ସମେତ ୧୫ଟି ପଦକ ମିଳିଛି। ଫଳରେ ଦୌଡ଼କୁଦରେ ୧୫ ସ୍ୱର୍ଣ୍ଣ ସମେତ ମୋଟ ପଦକ ସଂଖ୍ୟା ୩୭ରେ ପହଞ୍ଚିଛି। ସନ୍ତରଣର ୧୬ ପଦକକୁ ମିଶାଇ ଏହା ୧୮ ସ୍ୱର୍ଣ୍ଣ ସମେତ ମୋଟ ୫୩ ପଦକରେ ପହଞ୍ଚିଛି ବୋଲି ଓଡ଼ିଶା ମାଷ୍ଟର୍ସ ଗେମ୍‌ସ ଫେଡେରେସନ୍‌ର ଆବାହକ ଶିବ ପ୍ରସାଦ ମିଶ୍ର ଜଣାଇଛନ୍ତି। ୪୦ ବର୍ଷରୁ ଊର୍ଧ୍ୱ ମହିଳା ବର୍ଗରେ ପାର୍ବତୀ ସେଠୀ ୪୫.୯୬ ମିଟର୍‌ ଡିସ୍‌କସ୍‌ ଫିଙ୍ଗି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ସେହି ବର୍ଗର ୧୦୦ ମିଟର୍‌ ଦୌଡ଼ରେ ସମ୍ବଲପୁର ତାରକା ରେଖା ଦେ’ ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି। ୪୫ ଓ ୬୦ ବର୍ଷରୁ ଅଧିକ ପୁରୁଷ ବର୍ଗର ୧୦୦ ମିଟର ଦୌଡ଼ରେ ଯଥାକ୍ରମେ ବିଏସ୍‌କେ ସାମଲ ଏବଂ ଅଶୋକ ବିଶ୍ୱାଳ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ୩୦+ ମହିଳା ବର୍ଗରେ ରଶ୍ମିତା ପୁରୋହିତ ହାମର ଥ୍ରୋ’ରେ ସ୍ୱର୍ଣ୍ଣ ଓ ଡିସ୍‌କସ୍‌ରେ ରୌପ୍ୟ ପଦକ ଲାଭ କରିଛନ୍ତି। ସେହିପରି ୪୫+ ପୁରୁଷ ୫ କିଲୋମିଟର ଚାଲିରେ ଅରୁଣ ପାତ୍ରଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ୫୦+ ମହିଳା ଡିସ୍‌କସ୍‌ରେ ନମିତା ପଟେଲ, ୪୫+ ପୁରୁଷରେ ବୀରେନ ସାହୁ ଏବଂ ୬୦+ ପୁରୁଷ ଡିସ୍‌କସ୍‌ରେ ଦୁର୍ଗା ଚନ୍ଦ୍ର ମିଶ୍ର ରୌପ୍ୟ ପଦକ ଜିତିଛନ୍ତି। ୬୦+ ପୁରୁଷ ୧୦୦ ମିଟର୍‌ରେ ସୁନ୍ଦରମଣି ବାରିକ, ୫୦+ ପୁରୁଷ ୧୦୦ ମିଟର୍‌ରେ ପ୍ରକାଶ ଗଡ଼ନାୟକ କାଂସ୍ୟ ପଦକ ପାଇଛନ୍ତି। ୬୫+ ପୁରୁଷ ଡିସ୍‌କସ୍‌ରେ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କୁ କାଂସ୍ୟ ପଦକ ମିଳିଛି।

ସମ୍ବନ୍ଧିତ ଖବର