ପେରେରାଙ୍କ ନିଆରା କୀର୍ତ୍ତିମାନ:ଗୋଟିଏ ମ୍ୟାଚ୍‌ରେ ଦୁଇଟି ଦ୍ବିଶତକ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟର ଆଞ୍ଜେଲୋ ପେରେରା ଏକ ନିଆରା କୀର୍ତ୍ତିମାନ କରିଛନ୍ତି। ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ବ୍ୟକ୍ତିଗତ ଭାବେ ଦୁଇଟି ଦ୍ବିଶତକ ଅର୍ଜନ କରିବାରେ କ୍ରିକେଟ୍ ଇତିହାସର ସେ ମାତ୍ର ଦ୍ବିତୀୟ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଦୀର୍ଘ ୮୧ବର୍ଷ ତଳେ ଇଂଲଣ୍ଡର ଆର୍ଥର ଫାଗ୍ କେଣ୍ଟ ଦଳର ପ୍ରତିନିଧିତ୍ବ କରି ଇସେକ୍ସ ବିପକ୍ଷରେ ଦୁଇଟି ଦ୍ବିଶତକ ଅର୍ଜନ କରିଥିଲେ। ସେତେବେଳେ ସେ ପ୍ରଥମ ପାଳିରେ ୨୪୪ ଓ ଦ୍ବିତୀୟ ପାଳିରେ ୨୦୨* ରନ୍ କରିଥିଲେ। ପେରେରା ଶ୍ରୀଲଙ୍କାର ଏକ ଘରୋଇ କ୍ରିକେଟ୍ ମ୍ୟାଚ୍‌ରେ ନଣ୍ଡେସ୍କ୍ରିପ୍ଟ୍‌ସ୍‌ କ୍ରିକେଟ୍ କ୍ଲବ୍ (ଏନ୍‌ସିସି) ଦଳ ତରଫରୁ ଖେଳି ସିଂହଳୀ ସ୍ପୋର୍ଟସ କ୍ଲବ୍ (ଏସସିସି) ବିପକ୍ଷ ମ୍ୟାଚ୍‌ରେ ଏହି ବିରଳ ସଫଳତାକୁ ଦୋହରାଇଛନ୍ତି। ଏନ୍‌ସିସିର ପ୍ରଥମ ପାଳିରେ ସେ ୨୦୩ ବଲ୍‌ରୁ ୨୦୧ ରନ୍ କରିଥିଲେ। ସେହିଭଳି ଏହି ଚାରି ଦିନିକିଆ ମ୍ୟାଚ୍‌ର ଦ୍ବିତୀୟ ପାଳିରେ ୨୬୮ ବଲ୍‌ରୁ ୨୩୧ ରନ୍‌ କରିଥିଲେ। ମ୍ୟାଚ୍‌ଟି ଶେଷରେ ଅମୀମାଂସିତ ଭାବେ ଶେଷ ହୋଇଥିଲେ। ଏସ୍‌ସିସି ଦଳରେ ଧାମିକା ପ୍ରସାଦ ଓ ସଚିତ୍ର ସେନାନାୟକଙ୍କ ଭଳି ଅନ୍ତର୍ଜାତୀୟ ବୋଲର ଥିବାରୁ ତାଙ୍କ ପାଳିକୁ ଏବେ ଶ୍ରୀଲଙ୍କାରେ ଢେର ପ୍ରଶଂସା ମିଳୁଛି। ଶ୍ରୀଲଙ୍କା ଏ’ ଦଳରେ ସାମିଲ ହୋଇ ପୂର୍ବରୁ ପେ‌ରେରା ମଧ୍ୟ ଏକାଧିକ ଦର୍ଶନୀୟ ପାଳି ଖେଳି ସା‌ରିଛନ୍ତି।

ସମ୍ବନ୍ଧିତ ଖବର