ପେରେରା ପରାକ୍ରମରେ ଦକ୍ଷିଣ ଆଫ୍ରିକା ଚିତ୍‌

ଶେଷ ୱିକେଟ୍‌ରେ ୭୮* ରନ୍‌, ଶ୍ରୀଲଙ୍କା ୧ ୱିକେଟ୍‌ରେ ଜିତିଲା

ଡର୍ବାନ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଶ୍ରୀଲଙ୍କା ଅସମ୍ଭବ ନ ଥିଲେ ବି ଅପ୍ରତ୍ୟାଶିତ ବିଜୟ ହାସଲ କରିଛି। ନବମ ୱିକେଟ୍ ପତନ ବେଳକୁ ଶ୍ରୀଲଙ୍କା ସାମ୍ନାରେ ବିଜୟ ପାଇଁ ଆହୁରି ୭୮ ରନ୍ ଥିଲା। କୁସାଲ ପେରେରା ଏକା ୭୨ ରନ୍ ଉଠାଇବା ସହିତ ଶେଷ ବ୍ୟାଟସମ୍ୟାନ୍‌ ବିଶ୍ବ ଫର୍ନାଣ୍ଡୋ (୬*, ୨୭ ବଲ, ୭୩ ମିନିଟ)ଙ୍କୁ ସାଥି କରି ଦଳକୁ ବିଜୟ ମଣ୍ଡିତ କରିଥିଲେ। ନିଜ ଖେଳ ଜୀବନର ଶ୍ରେଷ୍ଠ ପାଳି (୧୫୩*, ୨୦୦ ବଲ, ୩୦୯ ମିନିଟ୍‌, ୧୨ ଚୌକା, ୫ ଛକା) ଖେଳି କୁସାଲ ପେରେରା ଭ୍ରମଣକାରୀ ଦଳକୁ ଐତିହାସିକ ବିଜୟ ପ୍ରଦାନ କରିଥିଲେ। ଏଥି ସହିତ ଖରାପ ସମୟ ଦେଇ ଗତି କରୁଥିବା ଶ୍ରୀଲଙ୍କା କ୍ରିକେଟ୍ ଦଳକୁ ମଧ୍ୟ ବଡ଼ ଆଶ୍ବସ୍ତି ମିଳିଛି। ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାରେ ସିଂହଳୀ ଦଳ ୧-୦ରେ ଆଗୁଆ ହୋଇଛି।

ପ୍ରଥମ ପାଳିରେ ୪୪ ରନ୍‌ ପଛୁଆ ଥିବା ଶ୍ରୀଲଙ୍କା ସମ୍ମୁଖରେ ୩୦୪ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ‌ ହୋଇଥିଲା। ଶନିବାର ଚତୁର୍ଥ ଦିନ ସକାଳେ ଭ୍ରମଣକାରୀ ଦଳ ୮୩/୩ରୁ ଖେଳି ଦଳୀୟ ସ୍କୋର୍‌ ୧୧୦ରେ ଚତୁର୍ଥ ୱିକେଟ୍‌ ରୂପେ ଓସାଦା ଫର୍ନଣ୍ଡୋ (୩୭)ଙ୍କୁ ହରାଇଥିଲା। ଗୋଟିଏ ବଲ୍‌ ପରେ ନିରୋସାନ ଡିକୱାଲାଙ୍କୁ ଡେଲ୍ ଷ୍ଟେନ୍‌ ଖାତା ଖୋଲିବାକୁ ଦେଇନଥିଲେ। କିନ୍ତୁ କୁସାଲ ପେରେରା ଏବଂ ଧନଞ୍ଜୟ ଡି’ସିଲଭା (୪୮, ୭୯ ବଲ, ୧୧୫ ବଲ, ୬ ଚୌକା) ଷଷ୍ଠ ୱିକେଟ୍ ପାଇଁ ୯୬ ରନ୍ ଯୋଡ଼ି ଆଶା ସଞ୍ଚାର କରିଥିଲେ। ଏହା ପରେ କିନ୍ତୁ ମାତ୍ର ୨୦ ରନ୍‌ ଭିତରେ ଶ୍ରୀଲଙ୍କା ୪ ୱିକେଟ୍‌ ହରାଇ ୨୨୬/୯ରେ ସଂଘର୍ଷ କରିଥିଲା। ଏତିକି ବେଳେ ଶ୍ରୀଲଙ୍କା ବିଜୟଠାରୁ ୭୮ ରନ୍ ଦୂରରେ ରହିଥିଲେ ମଧ୍ୟ କୁସାଲ ପେରେରା ଚତୁରତାର ସହିତ ବିଶ୍ବ ଫର୍ନାଣ୍ଡୋଙ୍କୁ ନେଇ ଅବିସ୍ମରଣୀୟ ପାଳି ଖେଳିଥିଲେ। ଶ୍ରୀଲଙ୍କା ମଧ୍ୟ ଅବିଶ୍ବସନୀୟ ବିଜୟ ହାସଲ କରିଥିଲା। ନିଶ୍ଚିତ ପରାଜୟରୁ ବାହାରି ୧ ୱିକେଟ୍‌ରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଥିଲା।

ସଂକ୍ଷିପ୍ତ ସ୍କୋର: ଦକ୍ଷିଣ ଆଫ୍ରିକା -୨୩୫ (କ୍ବିଣ୍ଟନ୍‌ ଡି’କକ୍‌-୮୦, ବିଶ୍ବ ଫର୍ନାଣ୍ଡୋ-୪/୬୨, କାସୁନ ରଜିଥା-୩/୬୮) ଏବଂ ୨୫୯ (ଫାଫ୍‌ ଡୁ’ପ୍ଲେସିସ୍‌-୯୦, କ୍ବିଣ୍ଟନ୍‌ ଡି’କକ୍‌-୫୫, ଲସିତ ଏମ୍ବୁଲଦେନିଆ-୫/୬୬, ବିଶ୍ବ ଫର୍ନାଣ୍ଡୋ-୪/୭୧)। ଶ୍ରୀଲଙ୍କା -୧୯୧ (କୁସାଲ ପେରେରା-୫୧, ଡେଲ୍‌ ଷ୍ଟେନ୍‌-୪/୪୮) ଏବଂ ୮୫.୩ ଓଭରରେ ୩୦୪/୯ (କୁସାଲ ପେରେରା-୧୫୩*, ଧନଞ୍ଜୟ ଡି’ସିଲଭା-୪୮, ଓସାଦା ଫର୍ନାଣ୍ଡୋ-୩୭, କେଶବ ମହାରାଜ-୩/୭୧, ଡୁଆନ୍‌ ଓଲିଭର-୨/୩୫, ଡେଲ୍ ‌ଷ୍ଟେନ୍‌-୨/୭୧, ଭର୍ନାନ୍‌ ଫିଲାଣ୍ଡର-୧/୧୩, କାଗିସୋ ରବାଦା-୧/୯୭)।

ସମ୍ବନ୍ଧିତ ଖବର