ପର୍ଥ ଟେଷ୍ଟ୍‌: ମଲନଙ୍କ ପ୍ରଥମ ଶତକରେ ଇଂଲଣ୍ଡ ସୁଦୃଢ଼

ପର୍ଥ: ଡେଭିଡ୍‌ ଜୋହାନେସ୍‌ ମଲନ ବା ଡିଜେ ମଲନଙ୍କ ମହତ୍ୱପୂର୍ଣ୍ଣ ପ୍ରଥମ ଶତକ ବଳରେ ପର୍ଥରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ତୃତୀୟ ଆସେସ୍‌ ଟେଷ୍ଟ୍‌ର ପ୍ରଥମ ଦିନରେ ଇଂଲଣ୍ଡ ଦୃଢ଼ ସ୍ଥିତିରେ ପହଞ୍ଚିଯାଇଛି। ମଲନ ଏବଂ ଜନି ବେୟାରଷ୍ଟୋ (୭୫*) ଙ୍କ ୧୭୪ ରନ୍‌ର ଅବିଭାଜିତ ପଞ୍ଚମ ଓ୍ଵିକେଟ୍‌ ଭାଗୀଦାରି ବଳରେ ଇଂଲଣ୍ଡ ଗୁରୁବାର ପ୍ରଥମ ଦିନରେ ମାତ୍ର ୪ ଓ୍ଵିକେଟ୍‌ ହରାଇ ୩୦୫ ରନ୍‌ ସଂଗ୍ରହ କରି ନେଇଛି। ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ ଅପରାଜିତ ରହିବା ମଧ୍ୟ ଇଂଲଣ୍ଡ ପାଇଁ ଆଉ ଏକ ଖୁସି ଖବର ହୋଇଛି। ଗୁରୁବାର ସକାଳେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ନିଜ ୧୫୦ତମ ଟେଷ୍ଟ ଖେଳୁଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଆଲେଷ୍ଟର କୁକ୍‌ (୭) ଆରମ୍ଭରୁ ନିଜ ଓ୍ଵିକେଟ୍‌ ଫିଙ୍ଗି ଦେଇଥିଲେ। ଯୁବ ତାରକା ମାର୍କ ଷ୍ଟୋନମ୍ୟାନ୍‌ (୫୬) ଟେଷ୍ଟ୍‌ କ୍ରିକେଟ୍‌ରେ ନିଜ ସର୍ବାଧିକ ବ୍ୟକ୍ତିଗତ ରନ୍‌ ହାସଲ କରିଥିଲେ। ହେଲେ ବଡ଼ ପାଳି ଖେଳି ପାରି ନଥିଲେ। ମଧ୍ୟକ୍ରମ ତାରକା ଜେମ୍ସ ଭିନ୍ସ (୨୫) ଏବଂ ରୁଟ୍‌ (୨୦) ନିଜେ ବିଫଳ ହୋଇଥିଲେ। ହେଲେ ବେୟାରଷ୍ଟୋ ଏବଂ ମଲନ ଏହି କ୍ଷତିକୁ ଦାୟିତ୍ୱବାନ ଭାଗୀଦାରି କରି ଭରଣା କରି ନେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ଦୁଇ ଏବଂ ଜୋସ୍‌ ହାଜେଲଉଡ୍‌ ଓ ପ୍ୟାଟ୍‌ କମିନ୍ସ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ମଲନ-ବେୟାରଷ୍ଟୋ ଭାଗୀଦାରି ୨୦୧୦-୧୧ ପରେ ଅଷ୍ଟ୍ରେଲିଆରେ ଇଂଲଣ୍ଡର ଶ୍ରେଷ୍ଠ ଭାଗୀଦାରି ଥିଲା।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୮୯ ଓଭରରେ ୩୦୫/୪ (ଡିଜେ ମଲନ-୧୧୦*, ଜନି ବେୟାରଷ୍ଟୋ-୭୫*, ମାର୍କ ଷ୍ଟୋନମ୍ୟାନ୍‌-୫୬, ଜେମ୍ସ ଭିନ୍ସ ୨୫, ଜୋ ରୁଟ୍‌-୨୦, ମିଚେଲ ଷ୍ଟାର୍କ-୨/୭୯, ପ୍ୟାଟ୍‌ କମିନ୍ସ-୧/୬୦, ଜୋସ୍‌ ହାଜେଲଉଡ୍‌-୧/୬୨)।

ସମ୍ବନ୍ଧିତ ଖବର