ପେସା ଗାଡ଼ି, ନିଶା ପାହାଡ଼ : କାର୍‌ ଚଳାଇ ଗୁଜୁରାଣ ମେଣ୍ଟାଉଛନ୍ତି ଯୁବ ପର୍ବତାରୋହୀ

ଭୁବନେଶ୍ୱର, (ଦେବାଶିଷ ସୁନ୍ଦରାୟ): ନୀଳାଚଳଙ୍କ ସ୍ୱପ୍ନ ହେଉଛି ଶିଖର ଛୁଇଁବା। ୭ ମହାଦେଶର ୭ଟିଯାକ ସର୍ବୋଚ୍ଚ ଗିରିଶୃଙ୍ଗର ମସ୍ତକରେ ପାଦ ଥାପି ପାହାଡ଼ଚଢ଼ାର ସର୍ବଶ୍ରେଷ୍ଠ ସଫଳତା ଲାଭ କରିବା। ଏଥିଲାଗି ସେ ବିଧିବଦ୍ଧ ପ୍ରଶିକ୍ଷଣ ବି ନେଇଛନ୍ତି। ହେଲେ ପ୍ରୋତ୍ସାହନ ଆଉ ସମର୍ଥନ ପାଉ ନାହାନ୍ତି। ବାଧ୍ୟ ହୋଇ ଗାଡ଼ି ଚଳାଇବାକୁ ପେସା କରିଛନ୍ତି। ପାହାଡ଼ଚଢ଼ାର ନିଶାକୁ କିନ୍ତୁ ଛାଡ଼ି ନାହାନ୍ତି। ଅଭାବ ଅନଟନ ଭିତରେ ଥିଲେ ମଧ୍ୟ ସାଧାରଣ ଜୀବନରେ ଅସାଧାରଣ ସଫଳତା ପାଇବା ଲକ୍ଷ୍ୟରୁ ଦୂରେଇ ଯାଇ ନାହାନ୍ତି। ସେଥିପାଇଁ ନୀଳାଚଳ ପାଠ ସହ ସମାନ୍ତରାଳ ଭାବେ ପାହାଡ଼ଚଢ଼ା ଜାରି ରଖିଛନ୍ତି। ଆସନ୍ତା ୯ ମାସ ଭିତରେ ବିଶ୍ୱର ଚାରିଟି ଗିରିଶୃଙ୍ଗ ଚଢ଼ିବା ଅଭିଯାନରେ ବାହାରିବାକୁ ଯୋଜନା କରିଛନ୍ତି।
ପିଲାଟୁ ବେଳୁ ବାପ ଛେଉଣ୍ଡ
ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ଗାଁ ସ୍ୱାଇଁ ସାହିର ବାସିନ୍ଦା ନୀଳାଚଳ ପରିଡ଼ା ମାତ୍ର ଦେଢ଼ ବର୍ଷର ହୋଇଥିଲା ବେଳେ ପିତା କରୁଣାକର ପରିଡ଼ା ତାଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଥିଲେ। ବଡ଼ ଭାଇ ସୀମାଚଳ ଏବଂ ମା’ ଉର୍ମିଳା ପରିଡ଼ାଙ୍କ ସହ ଅତି ଦୁଃଖ କଷ୍ଟରେ ତାଙ୍କ ଶୈଶବ କଟିଥିଲା। ଉର୍ମିଳା ହିଁ ପର ଘରେ କାମ କରି ନୀଳାଚଳଙ୍କୁ ବଡ଼ କରିଥିଲେ। ପ୍ରିଣ୍ଟିଂପ୍ରେସ୍‌ରେ କାମ କରୁଥିବା ସୀମାଚଳ ମଧ୍ୟ ତାଙ୍କୁ ପାଠ ପଢ଼ା ଜାରି ରଖିବାକୁ ପ୍ରବର୍ତାଇ ଥିଲେ। ସେଥିପାଇଁ ଯେତେ ଦୁଃଖକଷ୍ଟ ଆସିଲେ ବି ନୀଳାଚଳ ପାଠପଢ଼ା ଛାଡ଼ି ନଥିଲେ। ୮ ନମ୍ବର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ ନୀଳାଚଳ। ହେଲେ ଏହାପରେ ଅର୍ଥାଭବରୁ ଦୀର୍ଘ ୪ ବର୍ଷ ପର୍ଯ୍ୟନ୍ତ ପାଠ ପଢ଼ା ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ପଢ଼ିବାର ମୋହ କିନ୍ତୁ ତାଙ୍କ ମନରୁ ଦୂରେଇ ଯାଇନଥିଲା। ଦିନରେ ଛୋଟମୋଟ କାମ କରିବା ସହ ରାତିରେ ପାଠପଢ଼ି ୨୦୧୨ରେ ଦୂର ନିରନ୍ତର ଶିକ୍ଷା ବା ଡିସିସି ମାଧ୍ୟମରେ ମାଟ୍ରିକ୍‌ ପାସ କରିଥିଲେ। ଏହା ପରେ ନୟାପଲ୍ଲୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ିବା ଆରମ୍ଭ କରିଥିଲେ। ହେଲେ ସେହି ଅର୍ଥଭାବରୁ ପୁଣି ଥରେ ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ୨୦୧୬ରେ ପୁଣି ଥରେ ସେହି ଦୂର ନିରନ୍ତର ଶିକ୍ଷା ଜରିଆରେ ଯୁକ୍ତ ଦୁଇ ବିଜ୍ଞାନରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ। ସଂପ୍ରତି ସେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟରେ ଯୁକ୍ତ ୩ ପାଠ ପଢ଼ୁଛନ୍ତି। ଗାଡ଼ି ଚାଳନାକୁ ପେସା କରିବା ସହ ପାହାଡ଼ଚଢ଼ା ନୀଳାଚଳଙ୍କ ନୀଶା ପାଲଟି ଯାଇଛି। ନିଜର ଖଣ୍ଡିଏ ଘର ନଥିଲା ବେଳେ ସରକାରୀ ଜମିରେ ଘର କରି ରହୁଛନ୍ତି। ନିୟମିତ କର୍ମସଂସ୍ଥାନ ନଥିବାରୁ ବହୁ ହଇରାଣ ମଧ୍ୟ ହେଉଛନ୍ତି। ତଥାପି ପାହାଡ଼ଚଢ଼ାରେ ଶୀର୍ଷ ଛୁଇଁବା ସ୍ୱପ୍ନ ଦେଖିବା ଭୁଲି ନାହାନ୍ତି।
ପାଠ ସହ ପାହାଡ଼ଚଢ଼ା
ନୀଳାଚଳ ପାଠ ପଢ଼ିବା ସହ ପାହାଡ଼ଚଢ଼ା ମଧ୍ୟ ଜାରି ରଖିଥିଲେ। ମଝିରେ ମଝିରେ ବିଭିନ୍ନ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ନିଜ ପ୍ରତିଭାକୁ ଆହୁରି ଶାଣିତ କରିବାକୁ ଲାଗିଥିଲେ। ୨୦୧୪ରେ ସେ ହିମାଚଳପ୍ରଦେଶର କୁଫ୍ରିଠାରେ ଆୟୋଜିତ ଜାତୀୟ ଦୁଃସାହସିକ ପ୍ରଶିକ୍ଷକ ଶିବିରରେ ଯୋଗ ଦେଇ ସଫଳ ପ୍ରଦର୍ଶନ କରିଥିଲେ। ସେହିବର୍ଷ ବାଲୁଗାଁରେ ଓଡ଼ିଶା ସରକାରଙ୍କ ତରଫରୁ ଆୟୋଜିତ ଜାତୀୟ ଦୁଃସାହସିକ ପ୍ରତିଷ୍ଠାନ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ୨୦୧୫ରେ ହିମାଚଳର ନର୍କଣ୍ଡାରେ ଚଣ୍ଡିଗଡ ସରକାରଙ୍କ ଦ୍ୱାରା ଆୟୋଜିତ ଦୁଃସାହସିକ ପ୍ରଶିକ୍ଷଣ ଶିବିରରେ ଯୋଗଦେଇ ହାତୁ ମନ୍ଦିର ଶୃଙ୍ଗକୁ ସଫଳତାର ସହ ଚଢ଼ିଥିଲେ। ହିମାଚଳର ସେତିଧର ଶୃଙ୍ଗ (୧୫୭୦୦ ଫୁଟ), ଭାରତ ନେପାଳ ସୀମାରେ ଥିବା ସାଣ୍ଡକାଫୁ ଗିରିଶୃଙ୍ଗକୁ ମଧ୍ୟ ଆରୋହଣ କରିଥିଲେ। ଜମ୍ମୁ କଶ୍ମୀରର ଜବାହର ଲାଲ ନେହରୁ ପର୍ବତାରୋହଣ ପ୍ରତିଷ୍ଠାନରୁ ୨୦୧୭ରେ ପର୍ବତାରୋହଣର ମୌଳିକ ଶିକ୍ଷା +ଏ’ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିବର୍ଷ ବିଏସଏଫ୍‌ ମାରାଥନରେ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇଥିଲେ। କଶ୍ମୀରରେ ସେ ୧୨,୦୦୦ ଫୁଟରୁ ଅଧିକ ଉଚ୍ଚତାକୁ ତିନି ଥର ଟ୍ରେକିଂରେ ଯାଇଛନ୍ତି। ନୀଳାଚଳ ସ୍କୁଲ ସ୍ତରରେ ଏନସିସି କ୍ୟାଡେଟ୍‌ ମଧ୍ୟ ଥିଲେ। ସ୍କୁଲରେ ପଢ଼ୁଥିବା ବେଳେ ଅନ୍ତର୍ଯ୍ୟାମୀ ପ୍ରଧାନ ସାର ମୋତେ ବିଭିନ୍ନ ଖେଳ ଖେଳିବାକୁ ପରାମର୍ଶ ଦେଇଥିଲେ। ତା’ ପରେ ଦିଲ୍ଲୀପ ପ୍ରଧାନ ସାର୍‌ ପର୍ବତାରୋହଣରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଓ ପ୍ରେରଣା ପାଇଁ ହିଁ ମୁଁ ପର୍ବତାରୋହଣ କରିବା ଆରମ୍ଭ କରିଥିଲି ବୋଲି କୁହନ୍ତି ନୀଳାଚଳ।
ୟୁରୋପ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକାରୁ ମିଳିଛି ଆମନ୍ତ୍ରଣ
ପାହାଡ଼ଚଢ଼ାର ମୌଳିକ କଳା କୌଶଳକୁ ଅହରଣ କରିସାରିଥିବା ନୀଳାଚଳଙ୍କୁ ୟୁରୋପ, ଆଫ୍ରିକା ଏବଂ ଦକ୍ଷିଣ ଆମେରିକାରୁ ସେଠାକାର ସର୍ବୋଚ୍ଚ ଗିରିଶୃଙ୍ଗ ଚଢ଼ିବା ଲାଗି ଆମନ୍ତ୍ରଣ ମିଳିଛି। ହେଲେ ଅର୍ଥାଭାବରୁ ସେ ଏହି ଦିଗରେ ଅଗ୍ରସର ହୋଇ ପାରୁ ନାହାନ୍ତି। ତଥାପି ସେ ପ୍ରଥମେ ୟୁରୋପର ସର୍ବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ ଏଲବ୍ରୁସ୍‌ ଚଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିଲାଗି ତାଙ୍କୁ ମହାରାଷ୍ଟ୍ରର ଏକ ସଂସ୍ଥା ସହଯୋଗ କରୁଛି। ହେଲେ ଆଉ ମାତ୍ର ୩ ଲକ୍ଷ ଟଙ୍କା ଯୋଗାଡ଼ କରିବା ନୀଳାଚଳଙ୍କ ପାଇଁ କାଠିକର ପାଠ ହୋଇଛି। ଏଲବ୍ରୁସ୍‌ ପରେ ସେ ଆଫ୍ରିକାର ସବୋଚ୍ଚ ଗିରିଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ ଓ ଦକ୍ଷିଣ ଆମେରିକାର ସର୍ବୋଚ୍ଚ ଗିରିଶୃଙ୍ଗ ଆଗନକାଗୁଆ ଚଢ଼ି ଆସନ୍ତାବର୍ଷ ମାର୍ଚ ୨୮ରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଚଢ଼ିବା ଲକ୍ଷ୍ୟରେ ରହିଛନ୍ତି। ତେବେ ଏହା ମୋ ଆର୍ଥିକ ସ୍ଥିତି ଉପରେ ନିର୍ଭର କରିବ ବୋଲି ସେ ‘ସମ୍ବାଦ’କୁ କହିଛନ୍ତି। ଏଭରେଷ୍ଟ ଚଢ଼ିବା ମୋର ସବୁଠାରୁ ବଡ଼ ସ୍ୱପ୍ନ। ଏଥିଲାଗି ପାଖାପାଖି ୨୫ ଲକ୍ଷ ଖର୍ଚ ହେବ। ବିନା ସରକାରୀ ଓ ବେସରକାରୀ ସମର୍ଥନରେ ମୁଁ ଏତେ ଅର୍ଥ ଯୋଗାଡ଼ କରି ପାରିବି ନାହିଁ। ମୋତେ ଏହି ଦିଗରେ ସହଯୋଗ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ବୋଲି ନୀଳାଚଳ କହିଛନ୍ତି। ସହଯୋଗ ଓ ସମର୍ଥନ ମିଳିଲେ ମୁଁ ବି କଳ୍ପନା ଦାସ, ଗଣେଶ ଜେନା, ଯୋଗବ୍ୟାସ ଭୋଇଙ୍କ ଭଳି ଏଭରେଷ୍ଟ ବିଜୟୀ ହୋଇ ପାରିବି ବୋଲି ସେ ଦୃଢୋକ୍ତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର