ପେସ୍‌ଙ୍କ ବିଶ୍ୱ କୀର୍ତିମାନ

ଭାରତ ଡେଭିସ୍‌ କପ୍‌ ବିଶ୍ୱ ଗ୍ରୁପ୍‌କୁ ଉନ୍ନୀତ

ତିଆନ୍‌ଜିନ୍‌: ଭାରତୀୟ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ଡେଭିସ୍‌ କପ୍‌ ଇତିହାସରେ ସର୍ବାଧିକ ସଫଳ ଯୁଗଳ ଖେଳାଳି ହେବାର ବିଶ୍ୱ କୀର୍ତିମାନ ରଚିଛନ୍ତି। ରୋହନ ବୋପାନ୍ନାଙ୍କୁ ସାଥୀ କରି ଏଠାରେ ଚୀନ୍‌ ବିପକ୍ଷ ଏସୀୟ-ଓସେନିଆ ଦ୍ୱିତୀୟ ପର୍ଯ୍ୟାୟର ଯୁଗଳ ମୁକାବିଲା ଜିତି ୪୪ ବର୍ଷ ବୟସ୍କ ପେସ୍‌ ସର୍ବାଧିକ ୪୩ ମ୍ୟାଚ୍‌ ଜିତିବାରେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ଏକ୍ଷେତ୍ରରେ ପେସ୍‌ ସର୍ବାଧିକ ୪୨ ମ୍ୟାଚ୍‌ ଜିତିଥିବା ଇଟାଲି ତାରକା ନିକୋଲା ପିଏଟ୍ରାଙ୍ଗେଲିଙ୍କୁ ପଛକୁ ଠେଲି ଦେଇଛନ୍ତି। ଚୀନ୍‌ ବିପକ୍ଷ ମୁକାବିଲାର ପ୍ରଥମ ଦିନ ଉଭୟ ଏକକ ମ୍ୟାଚ୍‌ ହାରି ଭାରତ ୦-୨ରେ ପଛୁଆ ରହିଥିଲା ବେଳେ ପେସ୍‌-ବୋପାନ୍ନା ଯୁଗଳ ମ୍ୟାଚ୍‌ ଜିତି ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ଏହାପରେ ଦୁଇଟିଯାକ ପାଲ୍‌ଟା ଏକକ ମ୍ୟାଚ୍‌ରେ ରାମକୁମାର ରାମନାଥନ୍‌ ଓ ପ୍ରଜ୍ଞେଶ ଗୁଣେଶ୍ୱରନ୍‌ ଦମ୍‌ଦାର ବିଜୟ ହାସଲ କରି ଭାରତକୁ ୩-୨ର ବିଜୟ ଭେଟି ଦେଇଥିଲେ। ଫଳରେ ୫ ବର୍ଷ ପରେ ପ୍ରଥମ ଥର ଲାଗି ଏସୀୟସ୍ତରୀୟ ପ୍ରତିଯୋଗିତାରୁ ବିଦାୟ ନେବାର ଆଶଙ୍କାକୁ ଟଳାଇ ଦେଇ ଭାରତ ମଧ୍ୟ ଡେଭିସ୍‌ କପ୍‌ ବିଶ୍ୱ ଗ୍ରୁପ୍‌ ପ୍ଲେଅଫ୍‌କୁ ଉନ୍ନୀତ ହୋଇଛି।

ଶୁକ୍ରବାର ଏକକରେ ଉଭୟ ରାମକୁମାର ରାମନାଥନ୍‌ ଏବଂ ସୁମିତ ନାଗଲ୍‌ ପରାଜୟ ବରଣ କରି ଭାରତକୁ ନିରାଶ କରିଥିଲେ। ହେଲେ ଶନିବାର ‘କର ବା ମର’ ଯୁଗଳ ମୁକାବିଲାରେ ପେସ୍‌-ବୋପାନ୍ନା ୫-୭, ୭-୬ ଓ ୭-୬ ସେଟ୍‌ରେ ମାଓ ଜିନ୍‌ ଗଙ୍ଗ୍‌ ଓ ଜି ଝାଙ୍ଗ୍‌ ଯୋଡ଼ିକୁ ପରାସ୍ତ କରି ଆଶା ସଞ୍ଚାର କରିଥିଲେ। ଏହାପରେ ପ୍ରଥମ ଦିନ ଖରାପ ପ୍ରଦର୍ଶନ କରିଥିବା ରାମକୁମାରଙ୍କ ଉପରେ ସମାଲୋଚନା ସତ୍ତ୍ୱେ ଅଧିନାୟକ ମହେଶ ଭୂପତି ପୁର୍ନବାର ଆସ୍ଥା ପ୍ରକଟ କରିଥିଲେ। ଫଳରେ ପାଲଟା ଏକକ ପ୍ରଥମ ମ୍ୟାଚ୍‌ରେ ରାମକୁମାର ଖେଳିଥିଲେ ଏବଂ ଭୂପତିଙ୍କ ଆସ୍ଥାକୁ ସମ୍ମାନ ଜଣାଇ ପ୍ରତିପକ୍ଷ ଡି ଉ’ଙ୍କୁ ସିଧାସଳଖ ୭-୬ ଓ ୬-୩ ସେଟ୍‌ରେ ପରାସ୍ତ କରି ଭାରତ ସ୍ଥିତି ୨-୨ କରିଦେଇଥିଲେ। ତେବେ ଏହାପରେ ଭୂପତି ଆଉ ଏକ ଜୁଆ ଖେଳିଥିଲେ। ପ୍ରଥମ ଦିନ ହାରିଯାଇଥିବା ସୁମିତ୍‌ଙ୍କ ବଦଳରେ ସେ ପ୍ରଜ୍ଞେଶ ଗୁଣେଶ୍ୱରନ୍‌ଙ୍କୁ ପାଲଟା ଏକକ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ଖେଳିବାକୁ ସୁଯୋଗ ଦେଇଥିଲେ। ଆଉ ଚେନ୍ନାଇ ବାଳକ ପ୍ରଜ୍ଞେଶ ମଧ୍ୟ ଭୂପତିଙ୍କ ଏହି ନିଷ୍ପତ୍ତିକୁ ଯଥାର୍ଥ ସାବ୍ୟସ୍ତ କରିଥିଲେ। ସେ ଚୀନ୍‌ର ୟିବିଙ୍ଗ୍‌ ଉ’ଙ୍କୁ ୬-୪, ୬-୨ ସିଧାସଳଖ ସେଟ୍‌ରେ ପରାସ୍ତ କରି ଭାରତକୁ ୩-୨ର ଉତ୍କଣ୍ଠାପୂର୍ଣ୍ଣ ବିଜୟ ଭେଟି ଦେଇଥିଲେ। ଏଥି ସହିତ ଡେଭିସ୍‌ କପ୍‌ ଇତିହାସରେ ଦ୍ୱିତୀୟ ଥର ପାଇଁ ଭାରତ ୦-୨ ପଛୁଆରୁ ମୁକାବିଲା ଜିତିବାର ଗୌରବ ବହନ କଲା। କେବଳ ସେତିକି ନୁହେଁ ଭାରତ ମଧ୍ୟ କ୍ରମାଗତ ପଞ୍ଚମ ଥର ପାଇଁ ବିଶ୍ୱ ଗ୍ରୁପ୍‌ ପ୍ଲେଅଫ୍‌ ଖେଳିବା ନିଶ୍ଚିତ କରିନେଇଛି। ଅବଶ୍ୟ ବିଶ୍ୱ ଗ୍ରୁପ୍‌ ପ୍ଲେଅଫ୍‌ରେ ୪ ଥର ଯାକ ଭାରତକୁ ପରାଜୟର ସାମ୍‌ନା କରିବାକୁ ପଡ଼ିଛି। ଏହି ୪ ବର୍ଷ ମଧ୍ୟରେ ସର୍ବିଆ (୨୦୧୪), ଚେକ୍‌ ଗଣରାଜ୍ୟ (୨୦୧୫), ସ୍ପେନ୍‌ (୨୦୧୬) ଏବଂ କାନାଡା (୨୦୧୭)ଠୁ ଭାରତ ପରାସ୍ତ ହୋଇଛି।

ସମ୍ବନ୍ଧିତ ଖବର