କୋହଲିଙ୍କୁ ଦାଢ଼ି କାଟିବାକୁ କହି ପିଟରସନ୍ ହଟହଟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଚର୍ଚିତ ଅଧିନାୟକ ବିରାଟ କୋହଲିଙ୍କୁ ଦାଢ଼ି କାଟିବାକୁ କହି ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନ୍ ହଟହଟା ହୋଇଛନ୍ତି। କୋହଲି ତାଙ୍କୁ ତାଚ୍ଛଲ୍ୟଭରା ଓ ମଜାଦାର ଉତ୍ତର ଦେଇ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି। କରୋନା ତାଲାବନ୍ଦ ପାଇଁ ସଂପ୍ରତି ନିଜର ଅଧିକାଂଶ ସମୟ ସାମାଜିକ ଗଣମାଧ୍ୟମରେ ଫଟୋ ଓ ଭିଡିଓ ପ୍ରକାଶ କରିବା, ସାଥୀ ତଥା ବିପକ୍ଷ ଦଳର ଖେଳାଳିଙ୍କ ସହ ଅନଲାଇନ୍ ଆଲୋଚନା ଏବଂ ପ୍ରଶଂସକଙ୍କ ସହ ଭାବ ବିନିମୟରେ କଟାଉଥିବା କୋହଲି ନିଜ ପାରମ୍ପରିକ ଦାଢ଼ି ରଖିଥିବା ଲୁକ୍‌ର ଏକ ଫଟୋ ଇନଷ୍ଟାଗ୍ରାମରେ ପ୍ରକାଶ କରିଥିଲେ। ପ୍ରଶଂସକମାନେ ତାଙ୍କର ଏହି ଫଟୋଟିକୁ ବହୁତ ପସନ୍ଦ କରିଥିଲେ। ପିଟରସନ୍‌ କିନ୍ତୁ କୋହଲିଙ୍କୁ ଚିଡ଼ାଇବା ଆରମ୍ଭ କରି ଦେଇଥିଲେ। ଫଟୋ ପ୍ରକାଶ କରିବା ଅପେକ୍ଷା ଦାଢ଼ି କାଟିବାକୁ ସେ କୋହଲିଙ୍କୁ ପରାମର୍ଶ ଦେଇଥିଲେ।

‌କୋହଲି ତ’ ଛାଡ଼ିବା ଲୋକ ନୁହଁ, ତୁରନ୍ତ ସେ ପିଟରସନଙ୍କୁ ଜବାବ ଦେଇ ଲେଖିଥିଲେ, ‘‘ମୋ ଫଟୋ ତୁମ ଟିକ୍‌ଟକ୍ ଭିଡିଓଠାରୁ ବହୁତ ଭଲ’’। ଏହି ଉତ୍ତର ପାଇ ପିଟରସନଙ୍କ ପାଟିରୁ ଆଉ କଥା ବାହାରି ନଥିଲା। ସେ ପୂରା ଚୁପ୍ ହୋଇ ଯାଇଥିଲେ। ହେଲେ କୋହଲିଙ୍କୁ ପିଟରସନ୍ ଚିଡ଼ାଇବାର ଏହା ପ୍ରଥମ ଘଟଣା ନୁହେଁ। ଗତ ମାସରେ କୋହଲି ନିଜ ଦାଢ଼ି କାଟୁଥିବାର ଏକ ଭିଡିଓ ପ୍ରକାଶ କରିଥିଲେ। ଏହାକୁ ଦେଖି ପିଟରସନ୍ ଲେଖିଥିଲେ ଯେ ତୁମେ ତୁମ ଦାଢ଼ିରେ ଥିବା ଧଳା ଚୁଟିକୁ ଲୁଚାଇବାକୁ ଚେଷ୍ଟା କରୁନ ତ? ଯାହା କୋହଲିଙ୍କ ପ୍ରଶଂସକଙ୍କୁ ଆଦୌ ପସନ୍ଦ ଆସି ନଥିଲା।

ସମ୍ବନ୍ଧିତ ଖବର