ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ନାମ ଲେଖାରେ ଅନିୟମିତତା

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଅଧିନସ୍ଥ ୩ଟି ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ ବିପିଏଡ୍‌ ଓ ଏମ୍‌ପିଏଡ୍‌ ପାଠ୍ୟକ୍ରମର ନାମ ଲେଖା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଭୁବନେଶ୍ୱର, ସମ୍ବଲପୁର ଜିଲ୍ଲାର କୁଲୁଣ୍ଡି ଓ କଟକ ଜିଲ୍ଲାର ନରସିଂହପୁରଠାରେ ଥିବା ଏହି ତିନିଟି ମହାବିଦ୍ୟାଳୟରେ ନାମ ଲେଖା ପାଇଁ ସେପ୍‌ଟେମ୍ବର ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଶାରୀରିକ ପରୀକ୍ଷା କରାଯାଇଥିଲା। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ୫ଟି ପରୀକ୍ଷାର ବ୍ୟବସ୍ଥା ଥିବା ବେଳେ ମାତ୍ର ୨ ଦିନ ମଧ୍ୟରେ ୬୦୦ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯାଇଥିଲା। ପ୍ରାର୍ଥୀମାନଙ୍କୁ ୨ଟି କାର୍ଡ ଦିଆଯାଇ ପରୀକ୍ଷା ପରେ ତୁରନ୍ତ ତା’ ଉପରେ ମାର୍କ ଚଢ଼ାଇବାର ନିୟମ ଥିଲେ ବି ୨ ଦିନ ପରେ କାର୍ଡ ପ୍ରଦାନ କରା ଯାଇଥିଲା। ପ୍ରାୟ ମାସେ ପରେ ବିଭାଗୀୟ େଓ୍ଵବ୍‌ସାଇଟ୍‌ରେ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ହେଲେ ଉକ୍ତ ଯୋଗ୍ୟତା ତାଲିକା (ମେରିଟ୍‌ ଲିଷ୍ଟ) ଅନୁଯାୟୀ ନାମ ଲେଖାଯିବା ବଦଳରେ ମନ ଇଚ୍ଛା ପିଲାଙ୍କୁ ଫୋନ୍‌ରେ ଡାକି ନାମ ଲେଖା ଯାଇଛି। ମେରିଟ୍‌ ଲିଷ୍ଟର ଉପର ଭାଗରେ ସ୍ଥାନ ପାଇଥିବା ବହୁ ଯୋଗ୍ୟ ଛାତ୍ରଛାତ୍ରୀ ନାମ ଲେଖାରୁ ବଞ୍ଚିତ ହୋଇଛନ୍ତି।

ଯୋଗ୍ୟତା ତାଲିକାର ୧୫ ନମ୍ବରରେ ସ୍ଥାନ ପାଇଥିବା ଅନ୍ତର୍ଜାତୀୟ କରାଟେକା ଚିନ୍ମୟୀ ସାହୁ ଓ ତାଙ୍କ ଭଳି ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳି ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି। ଏହାପରେ ଉକ୍ତ ଛାତ୍ରଛାତ୍ରୀମାନେ କ୍ରୀଡ଼ା ସଚିବ, କ୍ରୀଡ଼ା ନିର୍ଦ୍ଦେଶକଙ୍କୁ ଭେଟି ଏ ସଂପର୍କରେ ଅଭିଯୋଗ କରିଛନ୍ତି। ସେମାନେ ବେଶ କିଛି ଦିନ ଧରି କ୍ରୀଡ଼ା ବିଭାଗର ଚକ୍କର କାଟିବା ପରେ ବି ବିଭାଗ ସେମାନଙ୍କ ଅଭିଯୋଗକୁ ଅଣଦେଖା କରି ଅଭିଯୁକ୍ତମାନଙ୍କୁ ପ୍ରଶ୍ରୟ ଦେଇ ଚାଲିଥିଲା। ତେବେ ସୋମବାର ଗଣମାଧ୍ୟମ ପ୍ରତିନିଧିମାନେ ଏ ସଂପର୍କରେ ଖୋଳତାଡ଼ କରିବା ପରେ ଅନିୟମିତତା ହୋଇଥିବା ନେଇ ବିଭାଗୀୟ ଅଧିକାରୀମାନେ ପରୋକ୍ଷରେ ସ୍ୱୀକାର କରିଛନ୍ତି।

କ୍ରୀଡ଼ା ବିଭାଗ ଉପସଚିବ ମନୋଜ କୁମାର ପାଢ଼ୀ େଓ୍ଵବ୍‌ସାଇଟ୍‌ରେ ପ୍ରକାଶିତ ତାଲିକା ଚୂଡ଼ାନ୍ତ ତାଲିକା ନଥିଲା। ତାହା ଭୁଲ କ୍ରମେ ଯୋଗ୍ୟତା ତାଲିକା ବୋଲି ପ୍ରକାଶ ପାଇଛି ବୋଲି କହିଥିଲେ। ସଂପୃକ୍ତ ଛାତ୍ରଛାତ୍ରୀମାନେ ଶାରୀରିକ ପରୀକ୍ଷାରେ ବିଫଳ ହୋଇଥିବାରୁ ନାମ ଲେଖାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି କହିଥିଲେ। ତେବେ ଯଦି ପ୍ରକାଶିତ ତାଲିକା ଚୂଡ଼ାନ୍ତ ତାଲିକା ନଥିଲା ତାହେଲେ ବିନା ଚୂଡ଼ାନ୍ତ ତାଲିକା ପ୍ରକାଶିତ ହୋଇ କିଭଳି ନାମ ଲେଖା ହେଲା ବୋଲି ଏବେ ପ୍ରଶ୍ନ ଉଠିଛି। ଏହି ନାମ ଲେଖା ପ୍ରକ୍ରିୟାରେ ବ୍ୟାପକ ଅର୍ଥ କାରବାର ହୋଇଥିବା ଅଭିଯୋଗ କରି ଓଡ଼ିଶା ଶାରୀରିକ ଶିକ୍ଷା ଛାତ୍ର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୁଣି ଥରେ ପରୀକ୍ଷା କରିବାକୁ ନଚେତ ପ୍ରକାଶିତ ଯୋଗ୍ୟତା ତାଲିକା ଆଧାରରେ ନାମ ଲେଖା କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର