ପାଇନ୍‌ ଦିନିକିଆ ଅଧିନାୟକ

ସିଡ୍‌ନି,: ଟିମ୍‌ ପାଇନ୍‌ ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ଦିନିକିଆ ଅଧିନାୟକ ମନୋନୀତ ହୋଇଛନ୍ତି। ଆଗାମୀ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇନ୍‌ଙ୍କ ପ୍ରଥମ ପରୀକ୍ଷା ହେବ। ନୈରାଶ୍ୟଜନକ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଅଷ୍ଟ୍ରେଲିଆ ଦଳର ଏହା ମଧ୍ୟ ପ୍ରଥମ ଶୃଙ୍ଖଳା ହେବ। ଦକ୍ଷିଣ ଆଫ୍ରିକାରେ ବଲ୍‌ ବିକୃତ ମାମଲାରେ ସଂପୃକ୍ତ ଅଭିଯୋଗରେ ଅଧିନାୟକ ଷ୍ଟିଭେନ୍‌ ସ୍ମିଥ୍‌ ନିଲମ୍ବିତ ହେବା ପରଠୁ ଏହି ପଦ ଖାଲି ପଡ଼ିଥିଲା। ତେବେ ଜଷ୍ଟିନ୍‌ ଲାଙ୍ଗର ନୂଆ ପ୍ରଶିକ୍ଷକ ନିଯୁକ୍ତ ପରେ ମଙ୍ଗଳବାର ଏହି ଓ୍ଵିକେଟ୍‌ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ପାଇନ୍‌ଙ୍କ ନାମ ଅଧିନାୟକ ଭାବେ ଘୋଷଣା କରିଛନ୍ତି। ୩୩ ବର୍ଷ ବୟସ୍କ ପାଇନ୍‌ ମଧ୍ୟ ଏହା ପୂର୍ବରୁ ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ନିଯୁକ୍ତ ହୋଇସାରିଛନ୍ତି। ଏବେ ଇଂଲଣ୍ଡ ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ୧୫ ଜଣିଆ ଦଳରେ ସେ ନେତୃତ୍ୱ ନେଇପାରିବେ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ଭରସା ରଖିଥିବା ମନୋନୟନ ସମିତି ଅଧ୍ୟକ୍ଷ ଟ୍ରେଭର୍‌ ହଂସ୍‌ କହିଛନ୍ତି। ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଆରୋନ୍‌ ଫିଞ୍ଚ୍‌ ଉପଅଧିନାୟକ ରହିବେ ବୋଲି ହଂସ୍‌ କହିଛନ୍ତି। ଦିନିକିଆ ଦଳ ସାଙ୍ଗକୁ ମଙ୍ଗଳବାର କ୍ରିକେଟ୍‌ ଅଷ୍ଟ୍ରେଲିଆ ମଧ୍ୟ ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେ୍ଵଣ୍ଟି-୨୦ ମ୍ୟାଚ୍‌ ପାଇଁ ୧୪ ଜଣିଆ ଦଳ ଘୋଷଣା କରିଛି। ଫିଞ୍ଚ୍‌ ଟେ୍ଵଣ୍ଟି-୨୦ ଦଳର ନେତୃତ୍ୱ ନେବେ ଏବଂ ଆଲେକ୍ସ କାରେ ତାଙ୍କୁ ସହଯୋଗୀ ରହିବେ ବୋଲି ହଂସ୍‌ କହିଛନ୍ତି।
ଦିନିକିଆ ଦଳ: ଟିମ୍‌ ପାଇନ୍‌ (ଅଧିନାୟକ), ଆରୋନ୍‌ ଫିଞ୍ଚ୍‌ (ଉପଅଧିନାୟକ), ଅଷ୍ଟନ୍‌ ଅଗର୍‌, ଆଲେକ୍ସ କାରେ, ଜୋସ୍‌ ହାଜ୍‌ଲେଉଡ୍‌, ଟ୍ରାଭିସ୍‌ ହେଡ୍‌, ନାଥନ୍‌ ଲିୟନ୍‌, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌, ସନ୍‌ ମାର୍ସ, ଜେ ରିଚାର୍ଡସନ୍‌, କେନ୍‌ ରିଚାର୍ଡସନ୍‌, ଡି ଆର୍କି ସର୍ଟ, ବିଲି ଷ୍ଟାନ୍‌ଲେକ୍‌, ମାର୍କସ୍‌ ସ୍ତୋଇନିସ୍‌ ଓ ଆଣ୍ଡରୁ ଟାଇ।
ଟେ୍ଵଣ୍ଟି-୨୦ ଦଳ: ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), ଆଲେକ୍ସ କାରେ (ଉପଅଧିନାୟକ), ଅଷ୍ଟନ୍‌ ଅଗର୍‌, ଟ୍ରାଭିସ୍‌ ହେଡ୍‌, ନିକ୍‌ ମାଡିସନ୍‌, ଗ୍ଲେନ୍‌ ମ୍ୟାକ୍ସେଓ୍ଵଲ୍‌, ଜେ ରିଚାର୍ଡସନ୍‌, କେନ୍‌ ରିଚାର୍ଡସନ୍‌, ଡି ଆର୍କି ସର୍ଟ, ବିଲି ଷ୍ଟାନ୍‌ଲେକ୍‌, ମାର୍କସ୍‌ ସ୍ତୋଇନିସ୍‌, ମିଚେଲ୍‌ ସ୍ୱିପ୍‌ସନ୍‌, ଆଣ୍ଡରୁ ଟାଇ ଓ ଜାକ୍‌ ଓ୍ଵାଇଲଡର୍‌ମୁଥ୍‌।

ସମ୍ବନ୍ଧିତ ଖବର