ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ଟାଉନ୍ କ୍ଲବ୍ ଖେଳ ପଡ଼ିଆରେ ପୁଣି ଆରମ୍ଭ ହୋଇଥିବା ଅନ୍ତଃକ୍ଲବ୍ କ୍ରିକେଟ୍ ଶୃଙ୍ଖଳାର ମଙ୍ଗଳବାର ପ୍ରଥମ ମୁକାବିଲାରେ ଆୟୋଜକ ଟାଉନ୍ କ୍ଲବ୍ ବିଜୟୀ ହୋଇଛି। ଟାଉନ୍ କ୍ଲବ୍ ୪୦ ରନ୍ରେ ପୁରୀର ପାୟୋନିୟର କ୍ଲବ୍କୁ ପରାସ୍ତ କରିଦେଇଛି।
ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟାଉନ୍ କ୍ଲବ୍ ରାକେଶ କୁମାର ବେହେରା (୫୭)ଙ୍କ ଅର୍ଧଶତକ, ରାକେଶ କୁମାର ବାରିକ୍ଙ୍କ ୨୪ ଓ ଗିରିଜା ମିଶ୍ରଙ୍କ ୨୨ ରନ୍ ସତ୍ତ୍ୱେ ୩୬.୧ ଓଭରରେ ୧୬୫ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ପାୟୋନିୟର ପକ୍ଷରୁ ସଫଳ ବୋଲର ଭାବେ ଲାଲୁ ମହାନ୍ତି ୩ ଓ ଭାଗିରଥୀ ବେହେରା ୨ ଓ୍ଵିକେଟ୍ ପାଇଥିଲେ। ଜବାବରେ ସୋନୁ କୁମାର (୩/୧୪), ମାନସ ଦାସ (୩/୧୮) ଓ ବିଶାଳ କର (୩/୨୩)ଙ୍କ ମିଳିତ ଘାତକ ବୋଲିଂ ନିକଟରେ ହାର୍ ମାନି ପାୟୋନିୟର ୩୩.୩ ଓଭରରେ ୧୨୫ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ଅଲ୍ରାଉଣ୍ଡର ଭାଗିରଥୀ ବେହେରା (୫୩)ଙ୍କ ଅର୍ଧଶତକ ଓ ସୂରଜ ମାର୍ଥାଙ୍କ ୨୪ ରନ୍ ବେକାର ଯାଇଥିଲା। ତେବେ ଭାଗିରଥୀ ବେହେରା ଓ ରାକେଶ ବେହେରା ଯୁଗ୍ମ ଭାବେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ୪୦ ଓଭର ବିଶିଷ୍ଟ ଏହି ମ୍ୟାଚ୍କୁ ସିପି ମହାପାତ୍ର ଓ ପିକେ ଜେନା ପରିଚାଳନା କରିଥିଲେ। ଖ୍ୟାତନାମା କ୍ରିକେଟ୍ ପ୍ରଶିକ୍ଷକ କିଶୋର ମାଣିଆ ଅତିଥି ଭାବେ ଯୋଗଦେଇ ଉଭୟ ଦଳର ଖେଳାଳିଙ୍କ ସହ ପରିଚିତ ହୋଇଥିଲେ। ସେ ମଧ୍ୟ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ଟାଉନ୍ କ୍ଲବ୍ କ୍ରୀଡ଼ା ସଂପାଦକ ମନୋଜ କୁମାର ମହାପାତ୍ର ଓ ଅନ୍ୟାନ୍ୟ ସଦସ୍ୟମାନେ ଉତ୍ସବରେ ଉପସ୍ଥିତ ଥିଲେ। ଶୃଙ୍ଖଳାର ପରବର୍ତୀ ମ୍ୟାଚ୍ରେ ଟାଉନ୍ କ୍ଲବ୍ ବୁଧବାର କିଶୋର କ୍ଲବ୍କୁ ଭେଟିବ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର