ଅଳକାନନ୍ଦାଙ୍କ ନିଆରା ପଦାର୍ପଣ: ଯୁବକଙ୍କ ମେଳରେ‌ ଖେଳିଲେ

ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ବିଏମ୍ ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ରାମେଶ୍ବର କପ୍‌ କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତାରେ ରବିବାର ମ୍ୟାଚ୍‌ ବାହାରେ ଥିଲା ନିଆରା ଚର୍ଚା। ପ୍ରଗତି ବନାମ ଜାଗୃତି ପ୍ରି-କ୍ବାର୍ଟରଫାଇନାଲ୍ ମ୍ୟାଚ୍‌ରେ ଅପ୍ରତ୍ୟାଶିତ ଭାବେ ଖେଳିଥିଲେ ଜଣେ ମହିଳା କ୍ରିକେଟର୍‌। ୧୯ ବର୍ଷରୁ କମ୍‌ ଯୁବକଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ଏହି ମହିଳା ଖେଳାଳି ଜଣଙ୍କ ଜାଗୃତି କ୍ରିକେଟ୍‌ ଏକାଡେମିରୁ ପ୍ରତିନିଧିତ୍ବ କରିଥିଲେ। ପ୍ରଗତିର ଜଣେ ଲେଗ୍ ସ୍ପିନରଙ୍କୁ ମିଡ୍ ୱିକେଟ୍‌ ଉପରେ ଛକା ମାରିବା ବି ତାଙ୍କୁ ଅଧିକ ଚର୍ଚିତ କରିଥିଲା। ସେ ହେଉଛନ୍ତି ୧୫ ବର୍ଷୀୟା ଜିଏମ୍ ଅଳକାନନ୍ଦା। ଏହି ମ୍ୟାଚ୍‌ରେ ସେ ୧୫ ରନ୍ ଏବଂ‌ ଗୋଟିଏ ୱିକେଟ୍ ନେଇ ନିଜର ପ୍ରଭାବକୁ ବି ଛାଡ଼ିଥିଲେ। ସମ୍ଭବତଃ ଓଡ଼ିଶାର କ୍ଲବ୍‌ କ୍ରିକେଟ୍‌ରେ ପୁରୁଷଙ୍କ ମେଳିରେ ଜଣେ ମହିଳା ଖେଳିବା ଏହା ପ୍ରଥମ ଉଦାହରଣ। ଗତବର୍ଷ ଇଂଲଣ୍ଡର ଅନ୍ତର୍ଜାତୀୟ ଖେଳାଳି ସାରା ଟେଲର୍‌ ଇଂଲିସ୍ କାଉଣ୍ଟି ଲିଗ୍‌ରେ ଖେଳି ଚର୍ଚା ଏବଂ ବିବାଦକୁ ଆସିବାର ଘଟଣା ମଧ୍ୟ ମନକୁ ସ୍ବତଃ ଆସିଥିଲା।
ବିଗତ ୫ ବର୍ଷ ଧରି ଓଡ଼ିଶାର ବୟସ ବର୍ଗ (୧୬ ଓ ୧୯ ବର୍ଷରୁ କମ୍‌) ମହିଳା ପ୍ରତିଯୋଗିତାରେ ଖେଳୁଥିବା ଅଳକାନନ୍ଦାଙ୍କ ଘର ଖଣ୍ଡଗିରି ନିକଟସ୍ଥ ଜାଗମରା। ଦୈନିକ ନୂଆପଲ୍ଲୀ ଇନ୍ଦିରା ମଇଦାନରେ ଜାଗୃତି କ୍ରିକେଟ୍‌ ଏକାଡେମି ଶିବିରରେ ପ୍ରଶିକ୍ଷକ କ୍ଷୀରୋଦ ବେହେରାଙ୍କ ଅଧିନରେ ଖେଳକୁ ଶାଣିତ କରିଛନ୍ତି। ଗତ ମାଟ୍ରିକ୍ ପରୀକ୍ଷା ଦେଇଥିବା ଏହି କୁନି ଝିଅର ଡାକ ନାଁ ବି କୁନି। ନିଜ ନାମ ସହିତ ବି ସେ ପିତାମାତାଙ୍କ ନାମର ପ୍ରଥମ ଇଂରାଜୀ ଅକ୍ଷର (ଗଙ୍ଗାଧର-ମଞ୍ଜୁଲତା ସାହୁ)କୁ ସଂକ୍ଷେପରେ ରଖିଛନ୍ତି। ‘ମୁଁ ପ୍ରଥମେ ଗଲି କ୍ରିକେଟ୍ ଖେଳୁଥିଲି, ଜଣେ ଭାଇ ମୋତେ କ୍ଷୀରୋଦ ସାର୍‌ଙ୍କ ପାଖରେ ତାଲିମ ନେବାକୁ କହିବାରୁ ମୁଁ ଜାଗୃତି ଏକାଡେମି ଆସି ବଢ଼ିଛି। ଭବିଷ୍ୟତରେ ଉଚ୍ଚସ୍ତରରେ ଖେଳିବାର ଲକ୍ଷ୍ୟ ରଖିଛି ବୋଲି ରବିବାର ‘ସମ୍ବାଦ’ ସହିତ କଥାହେବା ବେଳେ ଆତ୍ମବିଶ୍ବାସର ସହ କହିଥିଲେ ଅଳକାନନ୍ଦା। ତାଙ୍କ ଗୁରୁ କ୍ଷୀରୋଦ ବେହେରା କିନ୍ତୁ ଅଳକାନନ୍ଦାଙ୍କୁ ନେଇ ଅଧିକ ଆଶାବାଦୀ। ଅଳକାନନ୍ଦାଙ୍କ ବ୍ୟାଟିଂ ଓ ବୋଲିଂ ଯେତିକି ଭଲ, ‌ଫିଲଡିଂ ତା’ଠୁ ଅଧିକ ଚମତ୍କାର। ୩/୪ ବର୍ଷ ପରେ ସେ ନିଶ୍ଚିତ ଭାରତୀୟ ଦଳରୁ ଖେଳିପାରିବେ ଏବଂ ତାଙ୍କ ଭବିଷ୍ୟତ ଉଜ୍ବଳ‌ ବୋଲି କହିଥିଲେ ରାଜ୍ୟ କ୍ରିକେଟ୍‌କୁ ଏକାଧିକ ମହିଳା କ୍ରିକେଟର୍ ପ୍ରଦାନ କରିଥିବା କ୍ଷୀରୋଦ। ନିଜ ନାମ ଅଳକାନନ୍ଦା (ତ୍ରୁଟିଶୂନ୍ୟ)ର ଅର୍ଥକୁ ସେ ଦିନେ ଯଥାର୍ଥ ସାବ୍ୟସ୍ତ କରିବେ ବୋଲି ଆମର ବିଶ୍ବାସ ବି ରହିଛି।

ସମ୍ବନ୍ଧିତ ଖବର