ଇଣ୍ଡିଜ୍‌ ଦଳରେ ରସେଲ: ପୋଲାର୍ଡ ବଞ୍ଚିତ

ଆଉ ୩୩ ଦିନ

ଜାମାଇକା: ବିଶ୍ବକପ୍‌ ଲାଗି ‌ୱେଷ୍ଟଇଣ୍ଡିଜ୍ କ୍ରିକେଟ୍‌ ଦଳ ଘୋଷିତ ହୋଇଛି। ଆଇପିଏଲ୍‌ରେ ‌କେକେଆର୍‌ ପାଇଁ ଚମତ୍କାର ‌ଖେଳୁଥିବା ଅଲରାଉଣ୍ଡର୍ ଆନ୍ଦ୍ରେ ରସେଲ ସୁଯୋଗ ପାଇଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ତାରକା କିରଣ ପୋଲାର୍ଡ ବଞ୍ଚିତ ହୋଇଛନ୍ତି। ଅବଶ୍ୟ ୱେଷ୍ଟଇଣ୍ଡିଜ୍ ଏହାର ପ୍ରାରମ୍ଭିକ ଦଳ ଘୋଷଣା କରିଛି। ରସେଲ ୨୦୧୫ ମସିହା ପରେ ମାତ୍ର ଗୋଟିଏ ଦିନିକିଆ ଖେଳିଛନ୍ତି। ପୋଲାର୍ଡଙ୍କ ସହିତ ମାର୍ଲନ ସାମୁଏଲ୍ସ, ସୁନୀଲ ନରିନ୍‌ ମଧ୍ୟ ସୁଯୋଗ ପାଇନାହାନ୍ତି। ପଞ୍ଜାବ ପାଇଁ ଖେଳୁଥିବା କ୍ରିସ୍ ଗେଲ୍ କିନ୍ତୁ ଏହି ୧୫ ଜଣିଆ ଦଳରେ ରହିଛନ୍ତି। ଦୁଇ ବର୍ଷ ପରେ ଦ୍ରୁତ ବୋଲର ସାନନ୍ ଗାବ୍ରିଏଲ୍‌ ଦିନିକିଆ ଦଳକୁ ପ୍ରତ୍ୟାବର୍ତନ କରିଥିବା ବେଳେ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରୁ ବଞ୍ଚିତ ଏଭିନ୍ ଲୁଇସ୍ ଏବଂ କେମାର ରୋଚ୍‌ ଫେରିଛନ୍ତି। ବିଶ୍ବକପ୍‌ ପରେ ଗେଲ୍ ଅବସର ନେବାକୁ ଇଚ୍ଛା ପ୍ରକାଶ କରିଥିବାରୁ ଏହା ତାଙ୍କ ପାଇଁ ଶେଷ ବଡ଼ ପ୍ରତିଯୋଗିତା ହେବ। ଦେବେନ୍ଦ୍ର ବିଶୁଙ୍କୁ ପଛରେ ପକାଇ ଫାବିଆଁ ଆଲେନ୍‌ ସ୍ପିନିଂ ଅଲରାଉଣ୍ଡର୍ ଭାବେ ଦଳରେ ସ୍ଥାନ ପାଇଛନ୍ତି। ଆଇପିଏଲ୍‌ରେ ଆହତ କାରଣରୁ ଦ୍ରୁତ ବୋଲର ଅଲଜାରି ଯୋସେଫ୍‌ ମଧ୍ୟ ସୁଯୋଗ ପାଇନାହାନ୍ତି। ବିଶ୍ବକପ୍‌ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ଦଳ ଆୟର୍ଲାଣ୍ଡ୍‌ ଓ ବାଂଲାଦେଶକୁ ନେଇ ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ଖେଳିବା ପରେ ମେ’ ୨୩ ତାରିଖ ଭିତରେ ଖେଳାଳି ପରିବର୍ତନ କରିପାରିବ। ୱେଷ୍ଟଇଣ୍ଡିଜ୍ ନିଜର ଶେଷ ଶୃଙ୍ଖଳାକୁ ବିଶ୍ବର ଏକ ନମ୍ବର ଦଳ ଇଂଲଣ୍ଡ ସହିତ ୨-୨ରେ ଅମୀମାଂସିତ ରଖିଥିଲା।
ବିଶ୍ବକପ୍‌ ଦଳ: ଜାସନ୍ ହୋଲ୍‌ଡର (ଅଧିନାୟକ), ଫାବିଆଁ ଆଲେନ୍‌, ଡାରେନ୍ ବ୍ରାଭୋ, କାର୍ଲୋସ ବ୍ରାଥ୍‌ୱେଟ୍‌, ସେଲଡନ୍‌ କଟ୍ରେଲ, ସାନନ୍‌ ଗାବ୍ରିଏଲ୍‌, କ୍ରିସ୍ ଗେଲ୍, ସିମରନ୍‌ ହେଟମେୟର୍‌, ସାଇ ହୋପ୍‌ (ୱିକେଟରକ୍ଷକ), ଏଭିନ୍ ଲୁଇସ୍‌, ଆସଲେ ନର୍ସ, ନିକୋଲାସ୍‌ ପୁରନ୍‌, କେମାର ରୋଚ୍‌, ଆନ୍ଦ୍ରେ ରସେଲ, ଓସାନ୍‌ ଥମାସ୍‌।

ସମ୍ବନ୍ଧିତ ଖବର