ପୁଲିସ୍‌ ଅକ୍ତିଆରରେ ବାରବାଟୀ ଷ୍ଟାଡିୟମ

କଟକ: ଆସନ୍ତା ୨୦ ତାରିଖ ଭାରତ ଓ ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ପାଇଁ ଗୁରୁବାରଠୁ କମିସନରେଟ ପୁଲିସ୍‌ ବାରବାଟୀ ଷ୍ଟାଡିୟମକୁ ନିଜ ନିୟନ୍ତ୍ରଣକୁ ନେଇଛି। ଗୁରୁବାରଠୁ ବନ୍ଧୁକଧାରୀ ପୁଲିସ୍‌ କର୍ମଚାରୀମାନେ ବାରବାଟୀ ପିଚ୍‌ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି। ବିନା ଅନୁମତିରେ କୌଣସି ଅଜଣା ବ୍ୟକ୍ତିକୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରାଇ ଦିଆଯିବନାହିଁ ବୋଲି ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି। ଏଥିପାଇଁ ଡିସିପି ବାରବାଟୀ ଷ୍ଟାଡିୟମ ବୁଲିଥିଲା ବେଳେ ପ୍ରତ୍ୟେକ ଗ୍ୟାଲେରୀ ବୁଲି ସମସ୍ତ ବ୍ୟବସ୍ଥା ଯାଞ୍ଚ କରିଥିଲେ। ବିଭିନ୍ନ ଗ୍ୟାଲେରୀରେ ଥିବା ଶୌଚାଳୟ ମରାମତି ଶୀଘ୍ର ଶେଷ କରିବାକୁ ଓସିଏ ପ୍ରତିନିଧିଙ୍କୁ ନିର୍ଦେଶ ଦିଆଯାଇଛି। ଏହାଛଡ଼ା ସିଟ୍‌ ନମ୍ବର ସଂପର୍କରେ ମଧ୍ୟ ସୂଚନା ଫଳକ ଲଗାଇବାକୁ କୁହାଯାଇଛି। ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲାଇ ଏହି ପରିଦର୍ଶନ ବେଳେ ଡିସିପିଙ୍କୁ ସହାୟତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସିପି ଅସୀମ ମିଶ୍ର, କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ବିଶ୍ୱଜିତ ମହାନ୍ତି, ଓସିଏ ଆର୍କିଟେକ୍‌ ଅମୀୟ ରଂଜନ ମିଶ୍ର, ଡାନିଏଲ୍‌ ରାଉତ, ସିଏମ୍‌ସି ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷ ରଂଜନ ବିଶ୍ୱାଳ ପ୍ରମୁଖ ପରିଦର୍ଶନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର