ଭାରତୀୟ ବୋଲରଙ୍କ ପ୍ରାଧାନ୍ୟ: ବାଂଲାଦେଶ ୧୫୦, ଭାରତ ୮୬/୧

ଇନ୍ଦୋର: ହୋଲକର କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନ ଭାରତର ପ୍ରାଧାନ୍ୟ ପରିଲକ୍ଷିତ ହୋଇଛି। ଭାରତୀୟ ପେସ୍‌ ବୋଲରମାନେ ବାଂଲାଦେଶ ପ୍ରଥମ ପାଳିକୁ ୧୫୦ ରନ୍‌ରେ ଶେଷ କରି ଦେଇଛନ୍ତି। ପ୍ରତ୍ୟୁତ୍ତରରେ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କୋହଲିଙ୍କ ଦଳ ଗୋଟିଏ ୱିକେଟ୍‌ ହରାଇ ୮୬ ରନ୍‌ ସଂଗ୍ରହ କରିଥିବାରୁ ବଡ଼ ଅଗ୍ରଣୀ ନେବା ଲାଗି ମୂଳଦୁଆ ପକାଇଛି। ହାତରେ ୯ ୱିକେଟ୍‌ ଥାଇ ଘରୋଇ ଦଳ ମାତ୍ର ୬୪ ରନ୍ ପଛରେ ରହିଛି।

ଟସ୍‌ ବାଂଲାର, ଭାରତକୁ ଫାଇଦା
ଗୁରୁବାର ସକାଳେ ଟସ୍‌ ବାଂଲାଦେଶ ଜିତିଥିଲା। ଭ୍ରମଣକାରୀ ଦଳର ଅଧିନାୟକ ମୋମିନୁଲ୍ ହକ୍‌ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଭାରତ ୩ ଜଣ ପେସ୍ ବୋଲର (ଈଶାନ୍ତ ଶର୍ମା, ଉମେଶ ଯାଦବ ଏବଂ ମହମ୍ମଦ ସାମି), ଜଣେ ସ୍ପିନର୍‌ (ରବିଚନ୍ଦ୍ରନ୍‌ ଅଶ୍ବିନ୍) ଏବଂ ଜଣେ ସ୍ପିନ୍ ଅଲରାଉଣ୍ଡର୍‌ (ରବୀନ୍ଦ୍ର ଜାଦେଜା)ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଭାରତର ବୋଲିଂ ୟୁନିଟ୍‌ ବି ଏକତ୍ର ଲଢ଼ି ୱିକେଟ୍ ବାଣ୍ଟି ନେଇଥିଲେ।

ଆରମ୍ଭ ଯେମିତି, ଶେଷ ସେମିତି
ଟସ୍ ଜିତି ବ୍ୟାଟିଂ କରିଥିବା ବାଂଲାଦେଶ ନିଶ୍ଚିତ ସମ୍ମାନଜନକ ସ୍କୋର୍‌ କରିବ ବୋଲି ଆଶା କରାଯାଉଥିଲା। ହେଲେ ଭାରତୀୟ ପେସ୍ ବାହିନୀ ଏହା କରାଇ ଦେଇନଥିଲେ। ପ୍ରାରମ୍ଭିକ ଯୋଡ଼ି ଇମରୁଲ୍ କେୟସ୍‌ ଏବଂ ସଦମାନ ଇସଲାମ୍‌ଙ୍କୁ ଲଗାତାର ଓଭରରେ ଉମେଶ ଯାଦବ ଏବଂ ଈଶାନ୍ତ ଶର୍ମା ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ପ୍ରଥମ ପରିବର୍ତନରେ ଆସିଥିବା ମହମ୍ମଦ ସାମି ୪ ନମ୍ବର ମହମ୍ମଦ ମିଥୁନଙ୍କୁ ଲେଗ୍‌ ବିଫୋର୍‌ ୱିକେଟ୍‌ କରାଇଥିଲେ। ଫଳରେ ୧୮ ଓଭର ବେଳକୁ ବାଂଲାଦେଶ ୩୧/୩ରେ ସଂଘର୍ଷ କରିଥିଲା। ମଧ୍ୟାହ୍ନ ଭୋଜନ ପୂର୍ବରୁ ଏକାଠି ଲଢ଼ିବା ଆରମ୍ଭ କରିଥିଲେ ଅଧିନାୟକ ମୋମିନୁଲ୍‌ ହକ୍ ଏବଂ ଅଭିଜ୍ଞ ମୁସଫିକର ରହିମ୍‌। ଉଭୟଙ୍କ ମଧ୍ୟରେ ହୋଇଥିବା ଭାଗୀଦାରି ଥିଲା ପାଳିର ସବୁଠୁ ଦୀର୍ଘତମ (୧୯.୫ ଓଭର) ଏବଂ ସର୍ବାଧିକ (୬୮ ରନ୍‌)। ଭୋଜନ ପରେ କିନ୍ତୁ ମୋମିନୁଲଙ୍କୁ ଅଶ୍ବିନ୍‌ ଏବଂ ମୁସଫିକରଙ୍କୁ ସାମି ବୋଲ୍‌ଡ କରିଦେବାରୁ ବାଂଲାଦେଶର ମେରୁଦଣ୍ଡ ଭାଙ୍ଗିଯାଇଥିଲା। ମୁସଫିକର ପାଳିର ସର୍ବାଧିକ ୪୩ ରନ୍ କରିଥିଲେ। ବାଂଲାଦେଶ ନିଜର ଶେଷ ୫ ୱିକେଟ୍‌ ମାତ୍ର ୧୦ ରନ୍‌ ଭିତରେ ହରାଇ ଦେଇଥିଲା। ସାମି ସର୍ବାଧିକ ୩ ଏବଂ ଈଶାନ୍ତ, ଉମେଶ ଓ ଅଶ୍ବିନ୍‌ ପ୍ରତ୍ୟେକ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ।

ରାହାଣେଙ୍କ ଲହୁଣୀ ହାତ
ବାଂଲାଦେଶ ପାଳିକୁ ଭାରତ ୧୫୦ ରନ୍‌ରେ ଶେଷ କରି ଦେଇଥିଲା ସତ, କିନ୍ତୁ ସ୍ଲିପ୍‌ ଫିଲ୍‌ଡିଂ ଗୁରୁବାର ଅତି ଖରାପ ଥିଲା। ବି‌ଶେଷ କରି ଏଥି ପାଇଁ ଅଶ୍ବିନ୍‌ଙ୍କୁ ମୂଲ୍ୟ ଦେବାକୁ ପଡ଼ିଥିଲା। ସ୍ଲିପ୍‌ରେ ଅଜିଙ୍କ୍ୟ ରାହାଣେ ୩ଟି କ୍ୟାଚ୍‌ ହାତଛଡ଼ା କରିବାରୁ ତାଙ୍କ ହାତରେ ଲହୁଣୀ ଲାଗିଥିବା ସମାଲୋଚନା ହୋଇଥିଲା। ତାଙ୍କ ଭୁଲ ପାଇଁ ଅଶ୍ବିନ୍‌ ଅଧିକ ୱିକେଟ୍‌ରୁ ବଞ୍ଚିତ ହୋଇଥିଲେ। ତେବେ ଜୀବନ ଦାନ ପାଇଥିବା ରହିମ ଏବଂ ମହମ୍ମଦୁଲ୍ଲା ଏହାର ବିଶେଷ ଫାଇଦା ଉଠାଇ ପାରିନଥିଲେ। ଏହା ପୂର୍ବରୁ ପ୍ରଥମ ଅଧିବେସନରେ ମଧ୍ୟ ଉମେଶ ଯାଦବଙ୍କ ବୋଲିଂରେ ବିରାଟ କୋହଲି ବାଂଲାଦେଶ ଅଧିନାୟକ ମୋମିନୁଲ୍ ହକ୍‌ଙ୍କ କ୍ୟାଚ୍‌ ହାତଛଡ଼ା କରିଥିଲେ।

ସାମିଙ୍କ ରିଭର୍ସ ସୁଇଙ୍ଗ
ମହମ୍ମଦ ସାମିଙ୍କ ରିଭର୍ସ ସୁଇଙ୍ଗ ଗୁରୁବାର ସବୁଠୁ ଅଧିକ ଚର୍ଚାରେ ରହିଥିଲା। ପ୍ରଥମ ପରିବର୍ତନରେ ବୋଲିଂ କରିଥିଲେ ସାମି। କିନ୍ତୁ ଅପରାହ୍ନରେ‌ ସେ କରାଇଥିବା ରିଭର୍ସ ସୁଇଙ୍ଗ ତାଙ୍କ ନୂଆ ଅବତାର ଦେଖାଇଥିଲା। ନୂଆ ବଲ୍‌ରେ ସାମି ଏବଂ ପୁରୁଣା ବଲ୍‌ରେ ସାମି ମଧ୍ୟରେ ଫରକ ବି ବାରି ହୋଇ ପଡ଼ିଥିଲା। ଲଗାତାର ଭାବେ ମୁସଫିକର ରହିମ୍ ଏବଂ ମେହଦି ହାସନ ମିରାଜଙ୍କ ୱିକେଟ୍ ନେଇଥିଲେ ପୁରୁଣା ବଲ୍‌ରେ। ବିଶେଷ କରି ସର୍ବାଧିକ ସ୍କୋରର୍‌ ମୁସ୍‌ଫିକର ବଲ୍‌କୁ ଛାଡ଼ିଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ବଲ୍‌ ଭିତରକୁ ପଶିଯିବା ଗୁରୁବାରର ସବୁଠୁ ବଡ଼ ୱିକେଟ୍‌ ଥିଲା।

ପୂଜାରାଙ୍କ ଭିନ୍ନ ରୂପ
ଚେତେଶ୍ବର ପୂଜାରା କିଭଳି ବ୍ୟାଟିଂ କରନ୍ତି ସମଗ୍ର ବିଶ୍ବ ଜାଣିଛି। କିନ୍ତୁ ଗୁରୁବାର ପୂଜାରାଙ୍କ ବ୍ୟାଟିଂ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ପ୍ରଥମେ ସେ ୩୯ ବଲ୍‌ରୁ ୩୪ ରନ୍ କରି ନେଇଥିଲେ। ଏବେ ୬୧ ବଲ୍‌ରୁ ୪୩ ରନ୍‌ରେ ଅପରାଜିତ ଅଛନ୍ତି। ସ୍ପିନ୍‌ ବିପକ୍ଷରେ ଭଲ ଖେଳୁଥିବା ପୂଜାରା ଗୁରୁବାର ତୈଜୁଲ ଇସଲାମଙ୍କ ଗୋଟିଏ ଓଭରରୁ ୩ ଚୌକା ମାରିଥିଲେ। ଥରେ ସେ ଆଗକୁ ବଢ଼ି ବଲ୍‌କୁ ହାଫ୍‌ ଭଲିରୁ ମିଡ୍‌ ୱିକେଟ୍‌ ଉପରେ ମାରିବା ସବଠୁ ଦର୍ଶନୀୟ ଥିଲା। ଇବାଦତ ହୋସେନ୍‌ ତାଙ୍କୁ ବଡ଼ ‌ସଟ୍‌ ଖେଳିବାକୁ ଆହ୍ବାନ କରିଥିଲେ। ପୂଜାରା ଏହାକୁ ଗ୍ରହଣ କରି ୨ ଚୌକା ମାରିବାରେ ସଫଳ ହୋଇଥିଲେ।

୨୦୦ରୁ ତଳେ ରଖିବାରେ ଭାରତ ଶୀର୍ଷରେ
ବିଗତ ଦୁଇ ବର୍ଷ ମଧ୍ୟରେ ଭାରତ ପ୍ରତିପକ୍ଷକୁ ସର୍ବାଧିକ ୧୯ ଥର ୨୦୦ରୁ କମ୍‌ ସ୍କୋରରେ ଅଲ୍‌ଆଉଟ୍ କରିଛି। ଭାରତ ୪୬ ପାଳିରୁ ଏହା ଅର୍ଜନ କରି ୪୧.୩୦ ପ୍ରତିଶତ ସଫଳ ରହିଛି। ଦକ୍ଷିଣ ଆଫ୍ରିକା ୩୪ ପାଳିରୁ ୧୪ ଥର (୪୧.୧୮%), ୱେଷ୍ଟଇଣ୍ଡିଜ୍‌ ୩୪ ପାଳିରୁ ୧୦ ଥର (୩୪.୪୮%), ପାକିସ୍ତାନ ୨୧ ପାଳିରୁ ୬ (୨୮.୫୭%) ଏବଂ ନ୍ୟୁଜିଲାଣ୍ଡ୍‌ ୨୫ରୁ ୬ ଥର (୨୪.୦୦%) କରି ପଛକୁ ପଛ ରହିଛନ୍ତି।

ସମ୍ବନ୍ଧିତ ଖବର