ବେୟାରଷ୍ଟୋ-ୱାର୍ନର ବିସ୍ଫୋରଣ, ହାଇଦ୍ରାବାଦ୍‌ଠୁ ୯ ୱିକେଟ୍‌ରେ ହାରିଲା କେକେଆର୍‌

0

ହାଇଦ୍ରାବାଦ: ଦୁଇ ବିଦେଶୀ ବୀର ଡେଭିଡ୍ ୱାର୍ନର (୬୭ ରନ୍, ୩୮ ବଲ୍, ୩ ଚୌକା, ୫ ଛକା) ଓ ଜନି ବେୟାରଷ୍ଟୋ (୮୦* ରନ୍, ୪୩ ବଲ୍, ୭ ଚୌକା, ୪ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ରବିବାର କୋଲକାତା ନାଇଟ୍ ରାଇଡର୍ସ (‌କେକେଆର)କୁ ୯ ୱିକେଟ୍‌ରେ ପରାସ୍ତ କରିଛି। କେକେଆର୍‌ ମାତ୍ର ୧୬୦ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ହାଇଦ୍ରାବାଦ ଏହାକୁ ୫ ଓଭର ପୂର୍ବରୁ ମାତ୍ର ଗୋଟିଏ ୱିକେଟ୍ ହରାଇ ହାସଲ କରି ନେଇଛି। କେକେଆର୍‌ ଏଥିସହ ଚଳିତ ଆଇପିଏଲ୍‌ରେ ଲଗାତାର ପଞ୍ଚମ ପରାଜୟ ବରଣ କରିଛି। ସେପଟେ ନିଜ ଶୃଙ୍ଖଳିତ ଖେଳରେ ସମସ୍ତଙ୍କୁ ପ୍ରଭାବିତ କରି ଆସୁଥିବା ହାଇଦ୍ରାବାଦ ନବମ ମୁକାବିଲାରୁ ପଞ୍ଚମ ବିଜୟ ପାଇ ଫ୍ଲେ ଅଫ୍ ଖେଳିବା ଆଶାକୁ ଆହୁରି ଉଜ୍ଜ୍ବଳ କରିଛି। ୱାର୍ନର-ବେୟାରଷ୍ଟୋ ୧୨.୨ ଓଭରରେ ୧୩୧ ରନ୍ ଯୋଡ଼ିବା ପରେ ହାଇଦ୍ରାବାଦ ବିଜୟ ସହଜ ହୋଇଯାଇଥିଲା। ବେୟାରଷ୍ଟୋ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିବା ୱାର୍ନର ଆଉ ଏକ ଦର୍ଶନୀୟ ଅର୍ଧଶତକ ସହ ସର୍ବାଧିକ ରନ୍ ସଂଗ୍ରହକାରୀ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ସୁଦୃଢ଼ କରି ନେଇଥିଲେ। ପଞ୍ଚଦଶ ଓଭରରେ ପୀୟୂଷ ଚାୱଲାଙ୍କୁ ଲଗାତାର ଗୋଟିଏ ଚୌକା ଓ ଦୁଇଟି ଛକା (୪,୬, ୬) ମାରି ବେୟାରଷ୍ଟୋ ହାଇଦ୍ରାବାଦ ବିଜୟରେ ମୁଣ୍ଡି ମାରିଥିଲେ। ପୂର୍ବରୁ ତିନି ୱିକେଟ୍ ସଫଳତା ସହ ହାଇଦ୍ରାବାଦର ଯୁବ ଦ୍ରୁତ ବୋଲର ଖଲିଲ ଅହମ୍ମଦ (୪-୦-୩୩-୩) କେକେଆର୍‌ ଶୀର୍ଷକ୍ରମକୁ ଦୋହଲାଇ ଦେଇଥିଲେ। ପରେ ଏହି ଦଳର ତାରକା ଖଚିତ ମଧ୍ୟକ୍ରମକୁ ରସିଦ ଖାନ୍ (୪-୦-୨୩-୧) ଓ ଭୁବନେଶ୍ବର କୁମାର (୪-୦-୩୫-୨) ନିୟନ୍ତ୍ରଣରେ ରଖିଥିଲେ। କେକେଆର୍‌ର ସବୁଠାରୁ ବିପଜ୍ଜନକ ଅସ୍ତ୍ର ଆନ୍ଦ୍ରେ ରସେଲ ଚାରି ନମ୍ବରରେ ଖେଳିବାର ଇଚ୍ଛା ଜାହିର କରିଥିଲେ। ହେଲେ ରବିବାର ଏହା ପୂରଣ ହୋଇ ନଥିଲା। ବରଂ ତାଙ୍କୁ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାର ସୁଯୋଗ ମିଳିଥିଲା। ୯ ବଲ୍ ଖେଳି ସେ ମାତ୍ର ୧୫ ରନ୍ କରିଥିଲେ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ (୫୧ ରନ୍, ୪୭ ବଲ୍, ୪ ଚୌକା, ୧ ଛକା) ଓ ସୁନୀଲ ନରିନ (୨୫ ରନ୍, ୮ ବଲ୍, ୩ ଚୌକା, ୨ ଛକା) ପ୍ରଥମ ୨.୫ ଓଭରରେ କିନ୍ତୁ ୫ ଚୌକା ଏବଂ ୩ ଛକା ମାରିଥିଲେ। ଏହି ଦୁଇ ଜଣଙ୍କ ଦ୍ରୁତ ଆରମ୍ଭର ଲାଭ କେକେଆର ଉଠାଇ ପାରି ନଥିଲା। ନିୟମିତ ବ୍ୟବଧାନରେ ୱିକେଟ୍ ପତନ ଯୋଗୁଁ ଏହି ଦଳ ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୫୯ ରନ୍‌ରେ ଅଟକି ଯାଇଥିଲା। ଖଲିଲ ଅହମ୍ମଦ ତାଙ୍କ ଶାଣିତ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: କୋଲକାତା ନାଇଟ୍ ରାଇଡର୍ସ ୨୦ ଓଭରରେ ୧୫୯/୮ ( କ୍ରିସ୍ ଲିନ୍ ୫୧, ସୁନୀଲ ନରିନ ୨୫, ରିଙ୍କୁ ସିଂହ ୩୦, ଆନ୍ଦ୍ରେ ରସେଲ ୧୫, ଖଲିଲ ଅହମ୍ମଦ ୩/୩୩, ଭୁବନେଶ୍ବର କୁମାର ୨/୩୫, ରସିଦ ଖାନ୍ ୧/୨୩)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୫ ଓଭରରେ ୧୬୧/୧ (ଜନି ବେୟାରଷ୍ଟୋ ୮୦*, ‌ଡେଭିଡ୍ ୱାର୍ନର ୬୭, ପୃଥ୍ବୀ ରାଜ ୧/୨୯)।

ସମ୍ବନ୍ଧିତ ଖବର

Leave A Reply

Your email address will not be published.