ପ୍ରଫୁଲ ପଟେଲ ଫିଫା କାଉନ୍‌ସିଲ୍‌କୁ ନିର୍ବାଚିତ

ନୂଆଦିଲ୍ଲୀ: ସର୍ବ ଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌) ସଭାପତି ପ୍ରଫୁଲ ପଟେଲ ଫିଫା କାଉନସିଲ୍‌ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର କୁଆଲାଲୁମ୍ପୁରରେ ୨୯ତମ ଏଏଫ୍‌ସି (ଏସୀୟ ଫୁଟ୍‌ବଲ୍‌ ସଂଘ) ସମ୍ମିଳନୀ ଅବସରରେ ଅନୁଷ୍ଠିତ ନିର୍ବାଚନରେ ସେ ମୋଟ ୪୬ରୁ ୩୮ ଭୋଟ ପାଇଥିଲେ। ଏହି ପଦ ପାଇଁ ମୋଟ ୮ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ପଟେଲ ଅନ୍ୟତମ ଥିଲେ। ଆଉ ଏହି ମର୍ଜାଦାଜନକ କାଉନସିଲ୍‌କୁ ନିର୍ବାଚିତ ହେବାରେ ସେ ମଧ୍ୟ ପ୍ରଥମ ଭାରତୀୟ ହୋଇଛନ୍ତି। ସେ ୪ (୨୦୧୯ରୁ ୨୦୨୩) ବର୍ଷ ଧରି ଏହି ପଦ ସମ୍ଭାଳିବେ। ପଟେଲଙ୍କ ସହିତ ମୋଟ ୫ ଜଣ ଫିଫା କାଉନସିଲ୍‌ ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ସାମିଲ ଅଛନ୍ତି। ଏଏଫ୍‌ସି ନିର୍ବାଚନ ସମିତି ଏବଂ ଫିଫା ସମୀକ୍ଷା ସମିତି ପ୍ରାର୍ଥୀମାନଙ୍କ ପାରଦର୍ଶିତା ସମୀକ୍ଷାକୁ ପରିଚାଳନା କରିଥିଲେ। ଅନ୍ୟପକ୍ଷରେ ଶନିବାର ସମ୍ମିଳନୀ ଅବସରରେ ଶେଖ୍‌ ସଲ୍‌ମନ୍‌ ବିନ୍‌ ଇବ୍ରାହିମ୍‌ ଅଲ୍‌ ଖଲିଫା ପୁନର୍ବାର ଏଏଫ୍‌ସି ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଫଳରେ ସେ ଆଉ ୪ ବର୍ଷ (୨୦୨୩ ପର୍ଯ୍ୟନ୍ତ) ଏହି ପଦ ସମ୍ଭାଳିବେ। ସଭାପତି ପଦ ପାଇଁ ସେ ଏକମାତ୍ର ପ୍ରାର୍ଥୀ ଥିଲେ।
ଫିଫା କାଉନସିଲ୍‌କୁ ପଟେଲଙ୍କ ନିର୍ବାଚନ ପରେ ଏଆଇଏଫ୍‌ଏଫ୍‌ରେ ଖୁସୀର ଲହରି ଖେଳିଯାଇଛି। ତାଙ୍କ ବିଜୟ ଭାରତୀୟ ଫୁଟ୍‌ବଲ୍‌ ପାଇଁ ଏକ ମାଇଲଖୁଣ୍ଟ ବୋଲି ବର୍ଣ୍ଣନା କରି ପ୍ରଫୁଲ ପଟେଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏଆଇଏଫ୍‌ଏଫ୍‌ ସଂପାଦକ କୁସାଲ ଦାସ ଓ ବରିଷ୍ଠ ଉପସଭାପତି ସୁବ୍ରତ ଦତ୍ତ। ତାଙ୍କ ନେତୃତ୍ବ ଭାରତୀୟ ଫୁଟ୍‌ବଲ୍‌କୁ ବହୁ ଉଚ୍ଚକୁ ନେଇପାରିଛି। ଆଉ ଏବେ ଫିଫା କାଉନସିଲ୍‌ ସଦସ୍ୟ ନିର୍ବାଚିତ ହୋଇଥିବା‌ରୁ ଏସୀୟ ଫୁଟ୍‌ବଲ୍‌ ଯଥେଷ୍ଟ ଫାଇଦା ପାଇବ ବୋଲି ସୁବ୍ରତ କହିଛନ୍ତି। ଅନ୍ୟପକ୍ଷରେ ଫିଫା କାଉନସିଲ୍‌କୁ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଖୁସୀ। ସେଥିପାଇଁ ଏଏଫ୍‌ସିର ସମସ୍ତ ସଦସ୍ୟ ମୋ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେମାନଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉଛି ବୋଲି କହିଥି‌ଲେ ପଟେଲ। ଏସିଆରେ ଫୁଟ୍‌ବଲ୍‌ର ବିକାଶ ଦିଗରେ କାର୍ଯ୍ୟ କରିବି ବୋଲି ପଟେଲ କହିଛନ୍ତି।

ସମ୍ବନ୍ଧିତ ଖବର