ଭାଷ୍ୟକାର ଭୂମିକାରେ ପ୍ରଜ୍ଞାନ

ଭୁବନେଶ୍ୱର: ଆଇପିଏଲ୍‌ ବିଜେତା ଦଳର ଅନ୍ୟତମ ସଦସ୍ୟ ରହି ସାରିଥିବା ଏକମାତ୍ର ଓଡ଼ିଆ କ୍ରିକେଟର୍‌ ପ୍ରଜ୍ଞାନ ଓଝା ଏବେ ଭାଷ୍ୟକାର ପାଲଟିଯାଇଛନ୍ତି। ଚଳିତ ଆଇପିଏଲ୍‌ରେ ଷ୍ଟାର୍‌ ଇଣ୍ଡିଆ ସହ ଚୁକ୍ତିବଦ୍ଧ ପ୍ରଜ୍ଞାନ ହିନ୍ଦୀ ଭାଷ୍ୟକାର ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ୨୦୦୯ ମସିହାରେ ଡେକାନ୍‌ ଚାର୍ଜର୍ସକୁ ବିଜେତା କରାଇବା ସହ ଶ୍ରେଷ୍ଠ ବୋଲର୍‌ ଭାବେ ବାଇଗଣୀ ଟୋପି ପାଇବାର ଗୌରବ ଅର୍ଜନ କରିଥିଲେ। ଏହା ପରେ ମୁମ୍ବାଇ ଇଣ୍ଡିଆନ୍‌ସ ଦଳରୁ ଖେଳିଥିଲେ। କିନ୍ତୁ ବିଗତ ଦୁଇ ଋତୁ ହେବ ଏହି ବାମହାତୀ ସ୍ପିନରଙ୍କୁ କେହି ଦଳରେ ନେଉନଥିବାରୁ ଏବେ ସେ ଏହି ଅଫ୍‌ ସିଜିନ୍‌ରେ ଭାଷ୍ୟକାର ଦାୟିତ୍ୱ ତୁଲାଇ କ୍ରିକେଟ୍‌ ସହ ଯୋଡ଼ି ହୋଇ ରହିଛନ୍ତି। ପଡ଼ିଆରେ ଖେଳାଳିମାନେ ଝାଳ ବୁହାଉଥିବା ବେଳେ ଭାଷ୍ୟକାରମାନେ ସେମାନଙ୍କ ସୁମଧୁର ସ୍ୱର ଜରିଆରେ ପ୍ରଶଂସକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ପ୍ରଜ୍ଞାନ ଏବେ ଏହି କ୍ଲବ୍‌ରେ ନିଜକୁ ସାମିଲ କରିଛନ୍ତି।

ଷ୍ଟାର୍‌ ସ୍ପୋର୍ଟସର ହିନ୍ଦୀ ଚାନେଲ ପାଇଁ ଚୁକ୍ତିବଦ୍ଧ ଖେଳାଳିଙ୍କ ମଧ୍ୟରେ ଆକାଶ ଚୋପ୍ରା, ବିବେକ ରାଜଦାନ, ନିଖିଲ ଚୋପ୍ରା, ଜତିନ ସାପ୍ରୁ, ଭିଭିଏସ୍‌ ଲକ୍ଷ୍ମଣ, ସୁନୀଲ ଗାଭାସ୍କର, ଇର୍‌ଫାନ ପଠାନ୍‌, କପିଳ ଦେବ, ମହମ୍ମଦ କୈଫ, ମୁରଲୀ କାର୍ତିକ, ଆର୍‌ପି ସିଂହ, ଅଭିଷେକ ନାୟାର, ରଜତ ଭାଟିଆଙ୍କ ସହ ରହିଛନ୍ତି ପ୍ରଜ୍ଞାନ। ଭାରତ ପାଇଁ ୨୪ ଟେଷ୍ଟ୍‍ ଏବଂ ୧୮ ଦିନିକିଆ ଅନ୍ତର୍ଜାତୀୟ ଖେଳିଥିବା ପ୍ରଜ୍ଞାନ ମଧ୍ୟ ଟେ୍ଵଣ୍ଟି-୨୦ ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ପ୍ରଜ୍ଞାନଙ୍କ ଭଳି ଇରଫାନ୍‌ ପଠାନ୍‌ ମଧ୍ୟ କୌଣସି ଦଳରେ ସ୍ଥାନ ନ ପାଇ ଏହି ଦାୟିତ୍ୱ ସମ୍ଭାଳିଛନ୍ତି।

ଆଇପିଏଲ-୧୧ ଏଥର ପ୍ରଥମ ଥର ମୋଟ ୬ଟି ବିଭିନ୍ନ ଭାଷାରେ ପ୍ରସାରିତ ହେଉଛି। ଇଂରାଜି ଓ ହିନ୍ଦି ସହିତ କନ୍ନଡ଼, ତାମିଲ, ତେଲଗୁ, ବାଂଲା ଭାଷା ଏଥିରେ ସାମିଲ ରହିଛି। ପ୍ରାୟ ୫୦ରୁ ଊର୍ଧ୍ୱ ପୂର୍ବତନ ଖେଳାଳି ଏହି ସବୁ ଦାୟିତ୍ୱରେ ରହିଛନ୍ତି। ପେସାଦାର ଢଙ୍ଗରେ ଏହି ଦାୟିତ୍ୱ ତୁଲାଇବାରେ ପ୍ରଜ୍ଞାନ ସମ୍ଭବତଃ ପ୍ରଥମ ଓଡ଼ିଆ। ସୂଚନାଯୋଗ୍ୟ, ପ୍ରଜ୍ଞାନ ୨୦୧୩ ମସିହାଠାରୁ ଜାତୀୟ ଦଳରୁ ଦୂରେଇ ରହିଛନ୍ତି। ସେହିଭଳି ସେ ଘରୋଇ କ୍ରିକେଟ୍‌ରେ ହାଇଦ୍ରାବାଦ ଛାଡ଼ି ଗୋଟିଏ ଋତୁ ବେଙ୍ଗଲ୍‌ ପାଇଁ ଖେଳିଥିଲେ ମଧ୍ୟ ଗତବର୍ଷଠାରୁ ପୁଣି ହାଇଦ୍ରାବାଦ ଫେରିଯାଇଛନ୍ତି। ଟେଷ୍ଟ୍‍ରେ ୧୧୩ ଏବଂ ପ୍ରଥମ ଶ୍ରେଣୀରେ ୪୨୩ ଓ୍ଵିକେଟ୍‌ ନେଇଛନ୍ତି ଏହି ୩୧ ବର୍ଷୀୟ ପୂର୍ବତନ ସହିଦ ସ୍ପୋର୍ଟିଂ ଖେଳାଳି।

ସମ୍ବନ୍ଧିତ ଖବର