ରାଇଡୁଙ୍କ ସମର୍ଥନରେ ବାହାରିଲେ ପ୍ରଜ୍ଞାନ ଓଝା, ଚୟନକର୍ତ୍ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଲେ

ଭୁବନେଶ୍ୱର: ଭାରତୀୟ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ଅମ୍ବାତି ରାଇଡୁ ବିଶ୍ୱକପ ଦଳରୁ ବାଦ ପଡିବା ପରେ ତାଙ୍କ ସମର୍ଥନରେ ବାହାରିଛନ୍ତି ଓଡ଼ିଆ କ୍ରିକେଟ ଖେଳାଳୀ ତଥା ଭାରତୀୟ ଦଳର ପୂର୍ବତନ ସଦସ୍ୟ ପ୍ରଜ୍ଞାନ ଓଝା । ଏକ ଟ୍ଵିଟ କରି ପ୍ରଜ୍ଞାନ ଚୟନକର୍ତ୍ତାଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ସେ ପୂର୍ବରୁ ସମାନ ଧରଣର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ।
ଗତ ୧୫ ତାରିଖରେ ବିସିସିଆଇ ପକ୍ଷରୁ ବିଶ୍ୱକପ ୨୦୧୯ ପାଇଁ ଭାରତୀୟ ଦଳ ଘୋଷଣା ହୋଇଥିଲା । ସେଥିରେ ୪ ନମ୍ବର ସ୍ଥାନରେ ଅମ୍ବାତି ରାଇଡୁଙ୍କ ବଦଳରେ ନବାଗତ ବିଜୟ ଶଙ୍କରଙ୍କୁ ସ୍ଥାନ ଦିଆଯାଇଛି । ଶଙ୍କରଙ୍କ ବ୍ୟାଟିଂରେ ଥ୍ରୀ-ଡି କ୍ୱାଲିଟି ରହିଛି ବୋଲି ଚୟନକର୍ତ୍ତା କମିଟିର ମୁଖ୍ୟ ଏମଏସକେ ପ୍ରସାଦ କହିବା ପରେ ତାହାର ଜବାବରେ ଏକ ଟ୍ଵିଟ କରି ରାଇଡୁ ଲେଖିଥିଲେ ଯେ ସେ ବିଶ୍ୱକପ ଦେଖିବା ପାଇଁ ଥ୍ରୀ-ଡି ଚଷମା ଅର୍ଡର ଦେଇଛନ୍ତି ।
ସୂଚନାଯୋଗ୍ୟ ଯେ ଓଡ଼ିଆ ଖେଳାଳୀ ପ୍ରଜ୍ଞାନ ଓଝା ନିଜର ଟେଷ୍ଟ କ୍ୟାରିୟରର ସର୍ବୋଚ୍ଚ ସ୍ଥାନରେ ଥିବାବେଳେ ତାଙ୍କୁ ହଠାତ ବାଦ ଦିଆଯାଇଥିଲା । ବାଦ ପଡିବା ପରେ ଧୀରେ ଧୀରେ ତାଙ୍କ କ୍ୟାରିୟର ଶେଷ ହୋଇଯାଇଥିଲା । େଓ୍ଵଷ୍ଟଇଣ୍ଡିଜ ବିରୋଧରେ ଖେଳାଯାଇଥିବା ସଚିନ ତେନ୍ଦୁଲକରଙ୍କ କ୍ୟାରିୟରର ଶେଷ ମ୍ୟାଚରେ ପ୍ରଜ୍ଞାନ ୧୦ଟି ଓ୍ଵିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ସେ ମୋଟ ୨୪ ଟି ଟେଷ୍ଟ ଖେଳି ୧୧୩ଟି ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର