ପ୍ରଜ୍ଞାନ ଓଝା ନେଲେ ଅବସର, କହିଲେ ‘‘ଦେଶବାସୀଙ୍କ ଭଲ ପାଇବା ବଡ଼ ପୁରସ୍କାର’’

ଭୁବନେଶ୍ବର: ଓଡ଼ିଆ ବାମହାତୀ ସ୍ପିନର୍‌ ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ ଓ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ସାମାଜିକ ଗଣମାଧ୍ୟମ ଟ୍ବିଟର୍‌ ଜରିଆରେ ପ୍ରଜ୍ଞାନ ଏହି ଘୋଷଣା କରିଛନ୍ତି। ୩୩ ବର୍ଷୀୟ ପ୍ରଜ୍ଞାନ ସମସ୍ତ ପ୍ରକାର ଫର୍ମାଟରୁ ମଧ୍ୟ ଅବସର ନେବା କଥା ଘୋଷଣା କରି ଦେଇଛନ୍ତି। ଦେଶ ପାଇଁ ସେ ୪୮ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ଏହା ମଧ୍ୟରେ ୨୪ ଟେଷ୍ଟ୍‌, ୧୮ ଦିନିକିଆ ଏବଂ ୬ ଟି-୨୦ ଅନ୍ତର୍ଜାତୀୟ ସାମିଲ ରହିଛି। ୨୦୦୮ରୁ ଆରମ୍ଭ କରି ୨୦୧୩ ମସିହା ମଧ୍ୟରେ ପ୍ରଜ୍ଞାନ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିଥିଲେ। ୨୦୧୩ ମସିହା ନଭେମ୍ବର ମାସରେ ମୁମ୍ବାଇର ୱାଙ୍ଖ୍‌ଡେ ଟେଷ୍ଟ୍‌ରେ ସଚିନ ତେନ୍ଦୁଲକର ନିଜର ୨୦୦ତମ ଟେଷ୍ଟ୍ ସହ ଅବସର‌ ନେଇଥିବା ବେଳେ ପ୍ରଜ୍ଞାନ ଉଭୟ ପାଳିରୁ ମୋଟ ୧୦ ୱିକେଟ୍ ଅକ୍ତିଆର କରିଥିଲେ। ୧୦/୮୯ ମ୍ୟାଚ୍‌ ବୋଲିଂ ଚିତ୍ର ସହିତ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ଏହା ପରଠାରୁ ତାଙ୍କୁ ଆଉ ଭାରତୀୟ ଦଳରେ ସୁଯୋଗ ମିଳିନଥିଲା। ଟେଷ୍ଟ୍‌ରେ ମଧ୍ୟ ସେ ୧୧୩ ୱିକେଟ୍ ନେଇଥିଲେ। ଦିନିକିଆରେ ତାଙ୍କ ସଫଳତା ୨୧ ୱିକେଟ୍ ଏବଂ ଟି-୨୦ରେ ୧୦ ୱିକେଟ୍‌ ଅର୍ଜନ କରିଥିଲେ। ୨୦୦୯ ଟି-୨୦ ବିଶ୍ବକପ୍‌ରେ ଖେଳି ବିରଳ ଓଡ଼ିଆ କ୍ଲବ୍‌ରେ ସାମିଲ ହୋଇଥିଲେ।

‘ଜଣେ ଭାରତୀୟ କ୍ରିକେଟର୍‌ ହେବା ଏବଂ ଦେଶର ପ୍ରତିନିଧିତ୍ବ କରିବା ଲାଗି ପିଲାଦିନରୁ ସ୍ବପ୍ନ ଦେଖିଥିଲି। ଏହା କରିପାରିଥିବାରୁ ସାରା ଜୀବନ ପିଛା କରିବି।’ ବୋଲି ପ୍ରଜ୍ଞାନ ଟ୍ବିଟ୍‌ କରିଛନ୍ତି। ମୁଁ କେତେ ଭାଗ୍ୟବାନ ଏହାକୁ ଭାଷାରେ ବର୍ଣ୍ଣନା କରିପାରିବି ନାହିଁ। ଜଣେ କ୍ରୀଡ଼ାବିତ ପାଇଁ ଦେଶବାସୀଙ୍କ ଭଲ ପାଇବା ଏବଂ ସମ୍ମାନ ପାଇବାଠାରୁ ଅଧିକ କିଛି ବଡ଼ ପୁରସ୍କାର ନାହିଁ’। ଏବେ ଜୀବନର ପରବର୍ତୀ ପର୍ଯ୍ୟାୟକୁ ଯିବାକୁ ହେବ। ଖେଳ ଜୀବନରେ ସମସ୍ତଙ୍କଠାରୁ ମିଳିଥିବା ସମର୍ଥନ ଓ ପ୍ରେରଣା ମୋତେ ସବୁବେଳେ ପ୍ରବର୍ତ୍ତାଇବା‌ରେ ସହାୟକ ହେବ ବୋଲି ମଧ୍ୟ ପ୍ରକାଶ କରିଛନ୍ତି ପ୍ରଜ୍ଞାନ।

ଓଡ଼ିଶା ପାଇଁ କନିଷ୍ଠ ବର୍ଗରେ ଖେଳିବା ପରେ ପ୍ରଜ୍ଞାନଙ୍କ ପ୍ରଥମ ଶ୍ରେଣୀ ଖେଳ ଜୀବନ ହାଇଦ୍ରାବାଦରେ ପ୍ରସ୍ଫୁଟିତ ହୋଇଥିଲା। ୨୦୦୫ରୁ ସେ ହାଇଦ୍ରାବାଦ ପାଇଁ ରଣଜୀ ଖେଳିବା ଆରମ୍ଭ କରିଥିଲେ। ୨୦୦୮ ମସିହାରେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ଦିନିକିଆ ଖେଳି ଅନ୍ତର୍ଜାତୀୟ ଜୀବନର ଶୁଭାରମ୍ଭ କରିଥିଲେ। ୨୦୦୯ରେ ଟେଷ୍ଟ୍ ପଦାର୍ପଣ କରିଥିଲେ ଶ୍ରୀଲଙ୍କା ବିପକ୍ଷରେ। ଗୋଟିଏ ଦଶନ୍ଧି ଧରି ହାଇଦ୍ରାବାଦ ପାଇଁ ପ୍ରଥମ‌ ଶ୍ରେଣୀ କ୍ରିକେଟ୍‌ ‌ଖେଳିବା ପରେ ୨୦୧୫ରେ ପେସାଦାର ଖେଳାଳି ପାଲଟି ବେଙ୍ଗଲ (୨୦୧୫-୧୬ ଓ ୨୦୧୬-୧୭) ଓ ବିହାର (୨୦୧୮-୧୯) ପାଇଁ ଖେଳିଥିଲେ। ୨୦୧୮ ମସିହାରେ ସେ ବିହାର ପାଇଁ ୩ଟି ଦିନିକିଆ ଏବଂ‌ ଗୋଟିଏ ମାତ୍ର ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିବା ପରେ ଆଉ ସୁଯୋଗ ପାଇନଥିଲେ। ପ୍ରଥମ‌ ଶ୍ରେଣୀ କ୍ରିକେଟ୍ ଜୀବନରେ କିନ୍ତୁ ସେ ୧୦୮ ମ୍ୟାଚ୍‌ରୁ ୨୮.୬୦ ହାରରେ ୪୨୪ ୱିକେଟ୍‌ ନେଇଥିଲେ। ୨୩ ଥର ୫ ୱିକେଟ୍‌ ଏବଂ ୩ ଥର ୧୦ ୱିକେଟ୍ ସଫଳତା ମଧ୍ୟ ତାଙ୍କ ଖାତାରେ ରହିଛି। ୫୦ ଓଭରିଆ ଫର୍ମାଟ ତଥା ଲିଷ୍ଟ୍‌-ଏ’ରେ ସେ ୧୦୩ ମ୍ୟାଚ୍‌ରୁ ୧୨୩ ୱିକେଟ୍‌ ଏବଂ ଘରୋଇ ଟି-୨୦ରେ ୧୪୨ ମ୍ୟାଚ୍‌ରୁ ୧୫୬ ୱିକେଟ୍ ମଧ୍ୟ ତାଙ୍କ ଖେଳ ଜୀବନକୁ ସଫଳତାର ସୋପାନ ଚଢ଼ାଇଥିଲା।

ଆଇପିଏଲ୍‌ରେ ମଧ୍ୟ ପ୍ରଜ୍ଞାନଙ୍କ ଜଲୱା ପ୍ରତିଫଳିତ‌ ହୋଇଥିଲା। ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ସେ ଡେକାନ୍ ଚାର୍ଜର୍ସ ପାଇଁ ଏବଂ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ। ୨୦୦୯ ମସିହାର ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଦ୍ବିତୀୟ ସଂସ୍କରଣ ଆଇପିଏଲ୍‌ରେ ୧୮ ୱିକେଟ୍ ନେଇ କମଳା ଟୋପିର‌ ଗୌରବ ପାଇଥିଲେ ଏବଂ ଡେକାନ୍ ଚାର୍ଜର୍ସ ବିଜେତା ହୋଇଥିଲା। ୨୦୧୦ରେ ମଧ୍ୟ ପ୍ରଜ୍ଞାନ ସର୍ବାଧିକ ୨୧ ୱିକେଟ୍ ନେଇଥିଲେ। କିନ୍ତୁ ତୃତୀୟ ପ୍ଲେ ଅଫ୍‌ରେ ଡେକାନ ଚାର୍ଜର୍ସ ଆର୍‌ସିବି ନିକଟରୁ ହାରିଯାଇଥିଲା। ୨୦୧୩ ମସିହାରେ ବିଜେତା ମୁମ୍ବାଇ ଇଣ୍ଡିଆନ୍ସର ସଦସ୍ୟ ହୋଇ ମଧ୍ୟ ଦୁଇଟି ଦଳ ପାଇଁ ଆଇପିଏଲ୍‌ ଟ୍ରଫି ଜିତିବାର ଗୌରବ ପାଇଥିଲେ। ‘‘ମୋ ଘଟଣାବହୁଳ ଖେଳ ଜୀବନ ଅନେକ ଉତ୍‌ଥାନ ଓ ପତନ ଦେଇ ଗତି କରିଛି। କ୍ରମେ ମୁଁ ଅନୁଭବ କରିଥିଲି ଜଣେ ଖେଳାଳି ପାଇଁ କେବଳ କଠିନ ପରିଶ୍ରମ ଓ ତ୍ୟାଗ ନୁହେଁ କ୍ରୀଡ଼ା ସଂଘର ବିଶ୍ବାସ ଓ ମାର୍ଗଦର୍ଶନ ବି ଆଗକୁ ବଢ଼ିବାକୁ ସୁଯୋଗ ଦିଏ। ସାଥୀ ଖେଳାଳି, ପ୍ରଶିକ୍ଷକ, ତାଲିମଦାତା, ପ୍ରଶଂସକଙ୍କ ଉପରେ ବି ଅନେକ କିଛି ନିର୍ଭରଶୀଳ। ହାଇଦ୍ରାବାଦ କ୍ରିକେଟ୍ ସଂଘ ସହିତ ମୁଁ ପାଖାପାଖି ୧୪ ବର୍ଷ ବିତାଇଛି। ଏହି ଯାତ୍ରାର ଅଭିଜ୍ଞତା ସବୁଠାରୁ ଉଲ୍ଲେଖନୀୟ, ସଂଘର ପ୍ରତି କର୍ମକର୍ତାଙ୍କ ନିକଟରେ ମୁଁ କୃତଜ୍ଞ। ବେଙ୍ଗଲ ଓ ବିହାର କ୍ରିକେଟ୍ ସଂଘକୁ ମଧ୍ୟ ଧନ୍ୟବାଦ ଜଣାଉଛି। ଦୁଇ ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଡେକାନ ଚାର୍ଜର୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ବହୁ ସାଥୀ ଖେଳାଳିଙ୍କୁ ମଧ୍ୟ ସେମାନଙ୍କ ସମର୍ଥନ ଲାଗି କୃତଜ୍ଞତା ଜଣାଉଛି। ଜଣେ ଭଲ କ୍ରୀଡ଼ାବିତ୍‌ ଭାବେ ମୋତେ ଗଢ଼ି ତୋଳିବାରେ ପ୍ରେରଣା ଦେଇଥିବା ସମସ୍ତଙ୍କ ନିକଟରେ ମୁଁ ଚିରଋଣୀ’’।

ଲକ୍ଷ୍ମଣ ବଡ଼ ଭାଇ, ଧୋନିଙ୍କ ସୁଯୋଗ, ସଚିନଙ୍କଠୁ ଟୋପି
ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ଅବସରରେ ପ୍ରଜ୍ଞାନ ଓଝା ଦେଶର ଅନ୍ୟତମ କିଂବଦନ୍ତି କ୍ରିକେଟର୍‌ ଭିଭିଏସ୍ ଲକ୍ଷ୍ମଣଙ୍କୁ ବଡ଼ ଭାଇ ତୂଲ୍ୟ ସମ୍ବୋଧନ କରିଥିଲେ। ବଡ଼ ଭାଇ ଭଳି ସେ ହିଁ ମୋ‌‌ ଖେଳ ଜୀବନକୁ ମାର୍ଗଦର୍ଶନ ଦେଇଥିଲେ। ମୁଁ ତାଙ୍କୁ ସ୍ବତନ୍ତ୍ର ଧନ୍ୟବାଦ ଦେବି। ଭେଙ୍କଟପତି ରାଜୁଙ୍କୁ ମୁଁ ଆଦର୍ଶ ଭାବେ ଅନୁସରଣ କରିଥିଲି ଏବଂ ପଛରେ ପକାଇବାକୁ ପ୍ରୟାସ କରିଥିଲି। ହରଭଭଜନ ସିଂହ ମୋତେ ନିରଂତର ପରାମର୍ଶ ଦେଉଥିଲେ। ମହେନ୍ଦ୍ର ସିଂହ‌ ଧୋନି ମୋତେ ଭାରତୀୟ ଟୋପି ପରିଧାନ କରିବାର ସମ୍ମାନଜନକ ସୁଯୋଗ ଦେବା ଅଭୁଲା ରହିବ। ମୋ ସମସାମୟିକ କ୍ରିକେଟର୍‌ ରୋହିତ ଶର୍ମା ଏବଂ ମନୋଜ ତିୱାରୀଙ୍କୁ ମଧ୍ୟ ସମ୍ମାନ କରୁଛି। ଏମାନଙ୍କ ସହିତ ଘଟଣାବହୁଳ ସମୟ ବିତିଛି। ହାଇଦ୍ରାବାଦ ଦଳୀୟ ସାଥୀ ଭାବେ ଅମୋଲ ସିନ୍ଦେ, ଏମ୍‌ପି ଅର୍ଜୁନ, ଅଲଫ୍ରେଡ୍‌ ଅବସୋଲେମ୍‌, ପିଏସ୍ ନିରଂଜନ ମଧ୍ୟ ମୋ ଖେଳ ଜୀବନ ଯାତ୍ରାର ଆଭ୍ୟନ୍ତରୀଣ ଅଙ୍ଗ ଥିଲେ। ଅର୍ଜୁନ ଯାଦବଙ୍କ ଅଧୀନରେ ମୁଁ ରଣଜୀ ପଦାର୍ପଣ କରିଥିଲି ଏବଂ ଖେଳ ଜୀବନର ପ୍ରାରମ୍ଭରେ କନୱଲଜିତ୍‌ ସିଂହ ପ୍ରଶିକ୍ଷଣ ଦେଇଥିଲେ। ଶେଷରେ ମୁଁ ଏତିକି କହିବି ସଚିନ ତେନ୍ଦୁଲକରଙ୍କଠାରୁ ଟେଷ୍ଟ୍ କ୍ୟାପ୍‌ ଗ୍ରହଣ କରିବା ମୋ ପାଇଁ ଚିର ସ୍ମରଣୀୟ ରହିବ। ଟେଷ୍ଟ୍ କ୍ରିକେଟରେ ୧୦୦ ୱିକେଟ୍‌ ନେବା ମଧ୍ୟ ମୋ ପାଇଁ ମାଇଲଖୁଣ୍ଟ୍‌ ମୁହୂର୍ତ ହୋଇ ରହିଛି। ଭାରତୀୟ କ୍ରିକେଟ୍‌ର ବିକାଶ ପାଇଁ ଯଥା ସମ୍ଭବ କ୍ଷମତାରେ ମୁଁ ପ୍ରୟାସ କରିବି ବୋଲି କହିଥିଲେ ପ୍ରଜ୍ଞାନ।

ଦ୍ବିତୀୟ ପାଳି କ୍ଲବ୍‌କୁ ସଚିନଙ୍କ ସ୍ବାଗତ
ଭାରତୀୟ କ୍ରିକେଟ୍‌ର କିଂବଦନ୍ତି ପୁରୁଷ ସଚିନ ତେନ୍ଦୁଲକରଙ୍କ ସହିତ ପ୍ରଜ୍ଞାନ ଓଝାଙ୍କ ସମ୍ପର୍କ ଅତି ନିବିଡ଼। ଉଭୟଙ୍କ ମଧ୍ୟରେ ପଡ଼ିଆ ଭିତରେ ଏବଂ ବାହାରେ ରହିଛି ଅନେକ ସ୍ମରଣୀୟ ମୁହୂର୍ତ। ଭାରତୀୟ ଦଳ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଛନ୍ତି ମିଳିତଭାବେ। ସାଥୀ ଖେଳାଳି ଭାବେ ହେଉ ଅବା ମୁମ୍ବାଇ ଇଣ୍ଡିଆନ୍ସର ମାର୍ଗଦର୍ଶନ ବେଳେ ପ୍ରଜ୍ଞାନଙ୍କୁ ସର୍ବଦା ମିଳୁଥିଲା ସଚିନଙ୍କ ସମର୍ଥନ। ଉଭୟଙ୍କ ମଧ୍ୟରେ ଏଭଳି ଥିବା କିଛି ମୁହୂର୍ତକୁ ସଚିନ ବି ଶୁକ୍ରବାର ମନେ ପକାଇ ଦେଇଥିଲେ। ସଚିନଙ୍କ ଅବସର ଟେଷ୍ଟ୍‌ ବି ପ୍ରଜ୍ଞାନଙ୍କ ଶେଷ ଟେଷ୍ଟ୍‌। ସଚିନଙ୍କ ୨୦୦ତମ‌ ଟେଷ୍ଟ୍‌ରେ ପ୍ରଜ୍ଞାନ ୧୦ ୱିକେଟ୍ ସଫଳତା ଏବଂ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସମ୍ମାନ ପାଇଥିଲେ। ଠିକ୍ ଏହି କଥାକୁ ସଚିନ ଟ୍ବିଟ୍‌ କରିଛନ୍ତି। ‌୨୦୧୩ ମସିହା ନଭେମ୍ବର ମାସରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସେହି ‌ୱାଙ୍ଖ୍‌ଡେ ଟେଷ୍ଟ୍‌ ବିଜୟ ଓ ବିଦାୟୀ ମୁହୂର୍ତକୁ ମନେ ପକାଇ ସଚିନ ଉଲ୍ଲେଖ କରିଛନ୍ତି ‘ପ୍ରଜ୍ଞାନ ତୁମର ବିଶାଳ ହୃଦୟ ଓ ଖେଳ ଦକ୍ଷତା‌ ଦେଖିବା ବଡ଼ କଥା। ତୁମେ ୧୦ ୱିକେଟ୍ ନେଇ ମୋ ଶେଷ ଟେଷ୍ଟ୍‌କୁ ସ୍ବତନ୍ତ୍ର କରି ଦେଇଥିଲ। ଏବେ ଦ୍ବିତୀୟ ପାଳି କ୍ଲବ୍‌କୁ ସ୍ବାଗତ’।

ଶୁ‌ଭେଚ୍ଛାର ସୁଅ
ପ୍ରଜ୍ଞାନଙ୍କ ଅବସର ଘୋଷଣା ପରେ ଏବେ ତାଙ୍କ ନିକଟକୁ ଶୁଭେଚ୍ଛା ଓ ଭବିଷ୍ୟତ ଯୋଜନା ଶୁଭକାମନାର ସୁଅ ଛୁଟିଛି। ଏମାନଙ୍କ ମଧ୍ୟରେ ବହୁ ମହାନ କ୍ରିକେଟର୍‌ ମଧ୍ୟ ରହିଛନ୍ତି। ସଚିନ ତେନ୍ଦୁଲକରଙ୍କ ପରେ ଭିଭିଏସ୍ ଲକ୍ଷ୍ମଣ ଲେଖିଛନ୍ତି ‘ଚମତ୍କାର କ୍ୟାରିୟର୍‌ ପାଇଁ ଅଭିନନ୍ଦନ, ଆମ ଯାତ୍ରାର ସାଥୀ ଥିବାରୁ ମହାନ। ଜଣେ ଯୁବ ପ୍ରତିଭାରୁ ବିଶ୍ବସ୍ତରୀୟ ବୋଲର ହୋଇଥିବା ମୁଁ ଦେଖିଛି। ଦ୍ବିତୀୟ ପାଳି ଫଳପ୍ରଦ ରହୁ’। କଠୋର ଥିଲେ ବି ଠିକଣା ସମୟରେ ଠିକଣା ନିଷ୍ପତ୍ତି‌ ନେଇଛ। ତୁମ ସହିତ ପଡିଆ ଭିତରେ ଓ ବାହାରେ ବହୁ ସ୍ମରଣୀୟ ମୁହୂର୍ତ ବିତିଛି’ ବୋଲି ଲେଖିଛନ୍ତି ଆର୍ ପି ସିଂହ। ଶୁଭେଚ୍ଛା ଜଣାଇଥିବା ଅନ୍ୟ ପ୍ରମୁଖ ବ୍ୟକ୍ତିତ୍ବ ମଧ୍ୟରେ ବୋରିଆ ମଜୁମଦାର, ବିକ୍ରାନ୍ତ ଗୁପ୍ତା, ଆକାଶ ଚୋପ୍ରା, ଜ୍ବାଲା ଗୁଟ୍ଟା, ସୁରେଶ ରାଇନା, ପାର୍ଥିବ ପଟେଲ୍ ପ୍ରମୁଖ ରହିଛନ୍ତି। ଅନ୍ୟ କେତେକ ପ୍ରଶଂସକ କିନ୍ତୁ ମଜାଦାର ତଥ୍ୟ ରଖିଛନ୍ତି। ପ୍ରଥମ ଭାରତୀୟ ଭାବେ ଶେଷ ଟେଷ୍ଟ୍‌ରେ ୧୦ ୱିକେଟ୍ ଦଖଲ, ପଦାର୍ପଣ ଟେଷ୍ଟ୍‌ରେ ଭାରତର ୧୦୦ତମ ବିଜୟ, ପଡ଼ିଆ ପ୍ରବେଶର ପ୍ରଥମ ବଲରେ କ୍ୟାଚ୍‌, ଟେଷ୍ଟ୍ ରନ୍ ଅପେକ୍ଷା ୱିକେଟ୍‌ ଅଧିକ ନେଇଛନ୍ତି ଏବଂ ଶେଷ ଟେଷ୍ଟ୍‌ରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

ସମ୍ବନ୍ଧିତ ଖବର