ଫେଡେରେସନ୍‌ କପ୍‌ ଜାତୀୟ କନିଷ୍ଠ ଦୌଡ଼କୁଦ: ଓଡ଼ିଶାକୁ ରୌପ୍ୟ ଦେଲେ ପ୍ରଜ୍ଞା ଓ ମନୀଷା

କଟକ: ତାମିଲନାଡୁର କୋଏମ୍ବାଟୁରଠାରେ ଚାଲିଥିବା ୧୬ତମ ଫେଡେରେସନ୍‌ କପ୍‌ ଜାତୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ୨ ରୌପ୍ୟ ପଦକ ମିିଳିଛି। ୧୦୦ ମିଟର ମହିଳା ବାଧାଦୌଡ଼ରେ ବାଲେଶ୍ୱରର ପ୍ରଜ୍ଞା ପ୍ରଶାନ୍ତି ସାହୁ ରୌପ୍ୟ ପଦକ ଜିତିଛନ୍ତି। ୧୪.୬୦ ସେକେଣ୍ଡରେ ସେ ଏହି ଦୂରତା ଅତିକ୍ରମ କରିଥିଲେ। ଏହି ଇଭେଣ୍ଟରେ ଝାଡ଼ଖଣ୍ଡର ସପ୍ନା କୁମାର ୧୩.୭୮ ସେକେଣ୍ଡ ସହ ସ୍ୱର୍ଣ୍ଣ ଓ ତାମିଲନାଡୁର ନନ୍ଦିନୀ କୋଙ୍ଗନ୍‌ ୧୪.୬୮ ସେକେଣ୍ଡ ସହ କାଂସ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଅନ୍ୟତମ ଓଡ଼ିଆ ଧାବିକା ରାଇବାରି ତିରିଆ ୧୫.୬୫ ସେକେଣ୍ଡ ସମୟ ନେଇ ସପ୍ତମ ସ୍ଥାନରେ ରହିଥିଲେ। ସେହିପରି ମହିଳା ଲମ୍ବ ଡିଆଁର ସୁନ୍ଦରଗଡ଼ର ମନୀଷା ମେରେଲ ୫.୭୮ ମିଟର ସହ ରୌପ୍ୟ ପଦକ ଜିତିଛନ୍ତି। ଏହି ଇଭେଣ୍ଟରେ ଉତ୍ତରପ୍ରଦେଶର ଦୀପାନ୍‌ସି ସିଂହ ୫.୮୯ ମିଟର ସହ ସ୍ୱର୍ଣ୍ଣ ଓ ତାମିଲନାଡୁର ପୁନିଥା ରାମାସାମୀ ୫.୭୮ ମିଟର ସହ କାଂସ୍ୟ ପଦକ ପାଇଥିଲେ। ଦ୍ୱିତୀୟ ଦିନରେ ଅନୁଷ୍ଠିତ ଅନ୍ୟ ଇଭେଣ୍ଟ ଗୁଡ଼ିକ ମଧ୍ୟରୁ ୧୧୦ ମିଟର ପୁରୁଷ ବାଧାଦୌଡ଼ ଫାଇନାଲ୍‌ରେ ଖେଲୋ ଇଣ୍ଡିଆର ସ୍ୱର୍ଣ୍ଣ ବିଜେତା ପୁଙ୍ଗା ସୋରେନ୍‌ ୧୪.୬୬ ସେକେଣ୍ଡ ସମୟ ନେଇ ପଞ୍ଚମ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ପ୍ରଥମ ଦିନରେ ଶେଷ ହୋଇଥିବା ୮୦୦ ମିଟର ମହିଳା ଦୌଡ଼ର ହିଟ୍ସରେ ଜୟନ୍ତୀ ବେହେରା ଚତୁର୍ଥ ସ୍ଥାନରେ ରହି ଆରମ୍ଭରୁ ନିରାଶ କରିଥିଲେ।

ସମ୍ବନ୍ଧିତ ଖବର