ଭୁବନେଶ୍ବର: ଓଡ଼ିଆ ପୁଅ ପ୍ରମୋଦ ଭଗତ ପାରା ବ୍ୟାଡ୍‌ମିଣ୍ଟନ୍‌ରେ ନିଜ ଆଧିପତ୍ୟ ଜାରି ରଖି ବିଶ୍ବ ବିଜେତା ହେବାର ଗୌରବ ‌ପାଇଛନ୍ତି। ସ୍ବିଜରଲାଣ୍ଡର ବାସିଲଠାରେ ଆୟୋଜିତ ବିଶ୍ବ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ବିଶ୍ବର ଏକ ନମ୍ବର ମାନ୍ୟତାପ୍ରାପ୍ତ ପ୍ରମୋଦ ଶନିବାର ଯୁଗଳ ବର୍ଗରେ ଟ୍ରଫି ଜିତିଥିଲା ବେଳେ ରବିବାର ଏକକ ବର୍ଗରେ ଟ୍ରଫି ଜିତି ଦ୍ବିମୁକଟ ହାସଲ କରିଛନ୍ତି। ରବିବାର ପୁରୁଷ ଏକକ ଏସ୍‌ଏଲ୍‌-୩ ବର୍ଗରେ ଏହି ଭାରତୀୟ ତାରକା ବିଶ୍ବର ଦ୍ବିତୀୟ ମାନ୍ୟତାପ୍ରାପ୍ତ ବ୍ରିଟେନ୍‌ ତାରକା ଡାନିଏଲ୍‌ ବେଥେଲଙ୍କୁ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌କୁ ୬-୨୧ରେ ହାରିବା ପରେ ପ୍ରମୋଦ ପରବର୍ତୀ ଦୁଇ ସେଟ୍‌ରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ୨୧-୧୪ ଓ ୨୧-୫ରେ ବେଥେଲ୍‌ଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍‌ଜା କରିଥି‌ଲେ। ଏହି ମ୍ୟାଚ୍‌ ଜିତିବାକୁ ପ୍ରମୋଦଙ୍କୁ ୫୧ ମିନିଟ୍‌ ସମୟ ଲାଗିଥିଲା। ଏହି ବିଜୟ ସହ ପ୍ରମୋଦ ବିଶ୍ବ ପ୍ରତିଯୋଗିତାରେ ନିଜ ପଦକ ସଂଖ୍ୟ‌ା ୭ରେ ପହଞ୍ଚାଇଛନ୍ତି। ଏଥିରେ ୫ ସ୍ବର୍ଣ୍ଣ ଓ ଗୋଟିଏ ଲେଖାଏଁ ରୌପ୍ୟ ଓ କାଂସ୍ୟ ରହିଛି। ପୂର୍ବରୁ ଶନିବାର ରାତିରେ ‌ଖେଳାଯାଇଥିବା ପୁରୁଷ ଯୁଗଳରେ ସେ ଓ ତାଙ୍କ ଭାରତୀୟ ସାଥୀ ମନୋଜ କୁମାର ନିଜ ଦେଶର ତରୁଣ ଓ ନୀତେଶ କୁମାର ଯୋଡ଼ିକୁ ୧୪-୨୧, ୨୧-୧୫ ଓ ୨୧-୧୬ରେ ପରାସ୍ତ କରି ସ୍ବର୍ଣ୍ଣ ପଦକ କବ୍‌ଜା କରିଥିଲେ।

Advertisment

publive-image

ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ
ବିଶ୍ବ ପାରା ବ୍ୟାଡ୍‌ମିଣ୍ଟନ୍‌ ଚାମ୍ପିଆନ୍‌ସିପ୍‌ରେ ଦୁଇଟି ସ୍ବର୍ଣ୍ଣ (ଯୁଗଳ ଓ ଏକକ) ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାକୁ ଲାଗିଛି। ଏହି ସଫଳତା ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ବିଟ୍‌ କରି ଅଭିନନ୍ଦନ ଜଣାଇଛନ୍ତି। ‌ଆପଣ ଓଡ଼ିଶାକୁ ପୁଣି ଥରେ ଗର୍ବିତ କଲେ ବୋଲି ‌ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରିଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, କ୍ରୀଡ଼ା ନିର୍ଦେଶକ ଭିନଲ କ୍ରିଷ୍ଣ, ପୁରୀ ଜିଲ୍ଲାପାଳ ବଲୱତ ସିଂହ ପ୍ରମୁଖ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।