ପ୍ରମୋଦ ଭଗତ ଓ ପଞ୍ଚାନନ ଗନ୍ତାୟତ ପାଇବେ ଓସ୍‌ଜା କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର: ବିଶ୍ୱ ଚାମ୍ପିଅନସିପ୍‌ ସ୍ୱର୍ଣ୍ଣ ପଦକ ବିଜେତା ପାରା ବ୍ୟାଡମିିଣ୍ଟନ୍‌ ତାରକା ପ୍ରମୋଦ ଭଗତ ଓ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରପ୍ରାପ୍ତ ଦେଡ଼କୁଦ ପ୍ରଶିକ୍ଷକ ପଞ୍ଚାନନ ଗନ୍ତାୟତ ପାଇବେ ଓସ୍‌ଜା (ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ) ବାର୍ଷିକ ପୁରସ୍କାର। ଓସ୍‌ଜା ପକ୍ଷରୁ ଆସନ୍ତା ୨୧ ତାରିଖରେ ସଂଘର ପଞ୍ଚମ ପ୍ରତିଷ୍ଠା ଦିବସ ଅବସରରେ କଟକର ଓସିଏ ସମ୍ମିଳନୀ କକ୍ଷରେ ଏକ ସ୍ୱତନ୍ତ୍ର ଉତ୍ସବରେ ଉଭୟ କ୍ରୀଡ଼ା ତାରକାଙ୍କୁ ପୁରସ୍କୃତ କରାଯିବ। ପ୍ରମୋଦଙ୍କୁ ୨୦୧୯ କ୍ୟାଲେଣ୍ଡର ବର୍ଷ ପାଇଁ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଓ ପଞ୍ଚାନନଙ୍କୁ କ୍ରୀଡ଼ାକ୍ଷେତ୍ରରେ ଜୀବନବ୍ୟାପି ସାଧନା ଲାଗି ‘ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ୍‌’ ପୁରସ୍କାର ପ୍ରଦାଦ କରାଯିବ।

ଗତବର୍ଷ ଓଡ଼ିଶାର ଅଷ୍ଟମ ଖେଳାଳି ଭାବେ ଅର୍ଜୁନ ପୁରସ୍କାର ଗ୍ରହଣ କରିଥିବା ପ୍ରମୋଦ ଉଭୟ ଏକକ ଓ ଯୁଗଳ ବର୍ଗରେ ୪୫ରୁ ଅଧିକ ଅନ୍ତର୍ଜାତୀୟ ପଦକ ଜିତି ସାରିଛନ୍ତି। କେବଳ ୨୦୧୯ ମସିହାରେ ସେ ୧୧ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୪ କାଂସ୍ୟ ପଦକ ଜିତିଥିଲେ। ବିଶ୍ୱ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ସହ ସେ ମଧ୍ୟ ବିଶ୍ୱମାନ୍ୟତାର ପ୍ରଥମ ସ୍ଥାନରେ ରହିଛନ୍ତି। ଗତବର୍ଷ ପ୍ରମୋଦ ବିଡବ୍ଲ୍ୟୁଏଫ୍‌ ଶ୍ରେଷ୍ଠ ଖେଳାଳି ପୁରସ୍କାର ମନୋନୟନ ତାଲିକାରେ ସ୍ଥାନ ପାଇଥିଲେ।

ଅନ୍ୟପକ୍ଷରେ ନିଜ ସମୟରେ ଜଣେ ବହୁମୁଖୀ କ୍ରୀଡ଼ା ତାରକା ଥିବା ପଞ୍ଚାନନ ଦ୍ଵିତୀୟ ଓଡ଼ିଆ ଭାବେ ଜାତୀୟ ପ୍ରତିଯୋଗିତାର ୧୧୦ ବାଧାଦେଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ପ୍ରଶିକ୍ଷକ ଭାବେ ସେ ମଧ୍ୟ ଅନୁରାଧା ବିଶ୍ୱାଳ ଓ ରଚିତା ମିସ୍ତ୍ରୀଙ୍କ ଭଳି ଅଲିମ୍ପିଆନ୍‌ ସୃଷ୍ଟି କରିଥିଲେ।

ଚଳିତ ବର୍ଷ ସଂଘ ପକ୍ଷରୁ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ୱ ହୃଦୟନାଥ ଦାସ ଓ ଶ୍ୟାମାକାନ୍ତ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଧିତ କରାଯିବ। ରାଜ୍ୟର କିଂବଦନ୍ତି ବାସ୍କେଟବଲର୍‌ ଅରୂପାନନ୍ଦ ରାଉତରାୟ ମୁଖ୍ୟ ଅତିଥି, ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲର୍‌ ରାଜେନ୍ଦ୍ର ପ୍ରସାଦ ସିଂହ ଓ ଓଡ଼ିଶା କ୍ରିକେଟ୍‌ ସଂଘର ସଂପାଦକ ସଞ୍ଜୟ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେବେ।

ସଚନାଯୋଗ୍ୟ, ସର୍ବଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସେ୍‌ଜଏଫ୍‌ଆଇ)ର ଏକମାତ୍ର ଅନୁବନ୍ଧିତ ଓଡ଼ିଶା ସଂଘ ‘ଓସ୍‌ଜା’ ପକ୍ଷରୁ ୨୦୧୮ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଉଭୟ ପୁରସ୍କାର ବାବଦରେ ମାନପତ୍ର ସହ ୨୫,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର