ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରମୋଦଙ୍କୁ ଯୁଗଳ ପଦକ

ଭୁବନେଶ୍ୱର: ଦୁବାଇର ଶାହାବାବ ଅଲ୍‌-ଅହଲି ସ୍ପୋର୍ଟସ୍‌ କ୍ଲବ୍‌ରେ ଆୟୋଜିତ ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଓଡ଼ିଶାର ପ୍ରମୋଦ ଭଗତ ଯୁଗଳ ପଦକ କରାୟତ କରିଛନ୍ତି। ଏସ୍‌ଏଲ୍‌-୩ ଏକକ ବର୍ଗରେ ସେ ରୌପ୍ୟ ଜିତିଥିଲା ବେଳେ ପୁରୁଷ ଯୁଗଳରେ କାଂସ୍ୟ ପଦକ ଜିତିଥିଲେ। ଏକକ ସେମିଫାଇନାଲ୍‌ରେ ଇଂଲଣ୍ଡର ଡାନେଲ୍‌ ବିଥେଲ୍‌ଙ୍କୁ ୧୮-୨୧, ୨୧-୧୬, ୨୨-୨୦ରେ ହରାଇ ଫାଇନାଲ୍‌ ପହଞ୍ଚିଥିଲେ ମଧ୍ୟ ଆହତ ଯୋଗୁଁ ଓହରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ତେବେ ମନୋଜ ସରକାରଙ୍କୁ ସାଥୀ କରି ଖେଳୁଥିବା ପ୍ରମୋଦ ଯୁଗଳ ସେମିଫାଇନାଲ୍‌ରେ ଇଣ୍ଡୋନେସିଆ ଯୋଡ଼ି ହେରି ସୁଶାନ୍ତ-ଉକୁନ ରୁକାଣ୍ଡିଙ୍କଠୁ ୨୦-୨୨, ୧୯-୨୧ରେ ହାରି କାଂସ୍ୟ ପଦକ ପାଇଥିଲେ। ଅନ୍ୟ ଦୁଇ ଓଡ଼ିଆ ଖେଳାଳି ଦିଲେଶ୍ୱର ରାଓ ଏବଂ ସୁନିଲ ପ୍ରଧାନ କ୍ୱାର୍ଟର୍‌ ଫାଇନାଲ୍‌ରୁ ବିଦାୟ ନେଇଥିଲେ।

ସମ୍ବନ୍ଧିତ ଖବର