ପ୍ରମୋଦ ଓ ଚନ୍ଦନଙ୍କ ବିଶ୍ୱ ବାହୁକୁସ୍ତି ବାଟରେ ଅର୍ଥ ପ୍ରତିବନ୍ଧକ

ପ୍ରଥମ ଆନ୍ତର୍ଜାତିକ ଗସ୍ତ ପାଇଁ ଅର୍ଥ ପ୍ରତିବନ୍ଧକ, ହାତ ଟେକି ଦେଇଛି ଭାରତୀୟ ମହାସଂଘ

କଟକ: ତୁର୍କିରେ ଅକ୍ଟୋବର ୧୩ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଶ୍ୱ ବାହୁକୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳରେ ଓଡ଼ିଶାରୁ ପ୍ରମୋଦ ମୁଖୀ (୯୦ କିଗ୍ରା ଓଜନ ବର୍ଗ) ଓ ଭିନ୍ନକ୍ଷମ ବିଭାଗରେ ଚନ୍ଦନ କୁମାର ବେହେରା ସ୍ଥାନ ପାଇଛନ୍ତି। ଅନେକ ବର୍ଷ ଧରି ବାହୁକୁସ୍ତିରେ ଜାତୀୟ ବିଜେତା ହୋଇଆସୁଥିବା ବେଳେ ପ୍ରଥମ ଥର ପାଇଁ ବିଦେଶ ଯିବାର ସୁଯୋଗ ମିଳିଛି। ହେଲେ ଉଭୟଙ୍କ ଏହି ସ୍ୱପ୍ନରେ ଏବେ ଅର୍ଥ ପ୍ରତିବନ୍ଧକ ସାଜିଛି। ଦୁଇ ଜଣଙ୍କ ପରିବାରର ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ। ଏଭଳି ସ୍ଥିତିରେ ବିଶ୍ୱ କପ୍‌ ପ୍ରସ୍ତୁତି ପାଇଁ ସେମାନଙ୍କ ପାଖରେ ସମ୍ବଳର ଅଭାବ ଥିବା ବେଳେ ବିଦେଶ ଗସ୍ତକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ଏଥିପାଇଁ ପ୍ରାୟୋଜକ ଯୋଗାଡ଼ କରିବାକୁ ରାଜ୍ୟ ସଂଘ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏହି ଦୁଇ ଜଣଙ୍କ ବ୍ୟତୀତ ପୁରୀର ପ୍ରଫୁଲ୍ଲ କୁମାର ସାହୁ ମାଷ୍ଟର୍ସ ବିଭାଗର ୮୦ କିଗ୍ରା ବର୍ଗରେ ଭାରତକୁ ପ୍ରତିନିଧିତ୍ୱ କରିବେ। ଗତମାସରେ ଲକ୍ଷ୍ନୌରେ ଶେଷ ହୋଇଥିବା ଜାତୀୟ ବାହୁକୁସ୍ତି ପ୍ରତିଯୋଗିତାରେ ପ୍ରମୋଦ ଚାମ୍ପିଅନ୍‌ ଅଫ୍‌ ଚାମ୍ପିଅନ୍‌ସ ଆଖ୍ୟା ଅର୍ଜନ କରି ଇତିହାସ ରଚିଥିଲେ। ୫୫ କିଗ୍ରାରୁ ୯୦ କିଗ୍ରା ଓଜନ ବର୍ଗର ବିଜେତାମାନଙ୍କୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ସମସ୍ତଙ୍କୁ ପରାସ୍ତ କରି ପ୍ରମୋଦ ଏହି ଗୌରବ ପାଇଥିଲେ। କେବଳ ଏତିକି ନୁହେଁ ଗତ ତିନିବର୍ଷ ଧରି ତାଙ୍କ ଓଜନ ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତି ଆସୁଛନ୍ତି। ସେହିପରି ଚନ୍ଦନ ପୂର୍ବରୁ ଥରେ ଆନ୍ତର୍ଜାତିକ ପ୍ରତିଯୋଗିତା ଖେଳିବାର ଅଭିଜ୍ଞତା ରଖିଛନ୍ତି। ୨୦୦୯ରେ ଆସାମରେ ଅନୁଷ୍ଠିତ ଏସୀୟ ପ୍ରତିଯୋଗିତାର ଭିନ୍ନକ୍ଷମ ବିଭାଗରେ ଚନ୍ଦନ ସ୍ୱର୍ଣ୍ଣ ଜିତିଥିଲେ। ଜାତୀୟ ପ୍ରତିଯୋଗିତାରେ ଗତ ୮ ବର୍ଷ ଧରି ସେ ସ୍ୱର୍ଣ୍ଣ ପଦକ ଜିତି ଆସୁଛନ୍ତି। କେବଳ ଏତିକି ନୁହଁ ୮ଥର ସମସ୍ତଙ୍କ ମଧ୍ୟରେ ବିଜେତା ହୋଇଛନ୍ତି। ଏଗୁଡ଼ିକ ବ୍ୟତୀତ ରାଜ୍ୟ ଓ ଜାତୀୟ ସ୍ତରରେ ଉଭୟଙ୍କର ୧୦ରୁ ଅଧିକ ପଦକ ରହିଛି। ଏତେସବୁ ସଫଳତା ସତ୍ତ୍ୱେ ସରକାରଙ୍କ ତରଫରୁ ଆର୍ଥିକ ପ୍ରୋତ୍ସାହନ କିମ୍ବା ନିଯୁକ୍ତି ସୁବିଧାରୁ ଉଭୟ ବଞ୍ଚିତ ହୋଇଆସୁଛନ୍ତି। ପରିବାରର ବୋଝ ମୁଣ୍ଡାଇଥିବା ବେଳେ ବିଶ୍ୱ ପ୍ରତିଯୋଗିତା ଖେଳିବା ସ୍ୱପ୍ନ କେମିତି ପୂରଣ ହେବ ବୋଲି ଉଭୟ ଚିନ୍ତାରେ ପଡ଼ିଛନ୍ତି।

ହେଲେ ଭାରତୀୟ ମହାସଂଘ ବିଶ୍ୱ ପ୍ରତିଯୋଗିତା ପାଇଁ ଏମାନଙ୍କୁ କୌଣସି ସହାୟତା ଦେଇପାରିବ ନାହିଁ ବୋଲି ଏକ ଚିଠି ଜରିଆରେ ରୋକ୍‌ଠୋକ୍‌ ମନା କରିଦେଇଛି। ଭାରତୀୟ ମହାସଂଘର କୌଣସି ଆର୍ଥିକ ସମ୍ବଳ ନଥିବାବେଳେ ଖେଳାଳିମାନଙ୍କ ପାଇଁ ଅର୍ଥର ବ୍ୟବସ୍ଥା କରାଇବାରେ ଅକ୍ଷମତା ପ୍ରକାଶ କରିଛି। ବିମାନ ଟିକେଟ, ଭିସା ଫି’, ଆଫିଲିଏସନ୍‌ ଫି’, ପ୍ରବେଶିକା ଦେୟ, ଖେଳ ଉପକରଣ, ପରିବହନ, ଖାଦ୍ୟ ଇତ୍ୟାଦି ପାଇଁ ଖେଳାଳିମାନେ ବ୍ୟକ୍ତିଗତ ଭାବେ ଟଙ୍କା ଯୋଗାଡ଼ କରିବାକୁ କୁହାଯାଇଛି। ଏଥିସହିତ ବିଭିନ୍ନ କାଗଜପତ୍ର ସହିତ ୧ ଲକ୍ଷ ୫୪ ହଜାର ଟଙ୍କା ଆର୍‌ଟିଜିଏସ୍‌ ମାଧ୍ୟମରେ ଜୁଲାଇ ୧୩ ତାରିଖ ସୁଦ୍ଧା ମହାସଂଘ ଆକାଉଣ୍ଟକୁ ପଠାଇବାକୁ ଚିଠିରେ କୁହାଯାଇଛି। ଯଦି ଭିସା ନାକଚ ହୋଇଯାଏ, ତାହେଲେ ଦେଇଥିବା ଟଙ୍କାରୁ ୧୦ ହଜାର ଟଙ୍କା କାଟି ଅବଶିଷ୍ଟ ଟଙ୍କା ଫେରାଇ ଦିଆଯିବ ବୋଲି ଦର୍ଶାଯାଇଛି। ହେଲେ ସ୍ପଳ୍ପ ସମୟ ମଧ୍ୟରେ ଏତେ ଟଙ୍କା କେଉଁଠୁ ଯୋଗାଡ଼ କରାଯିବ ବୋଲି ଉଭୟ ଆଶଙ୍କା ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ଭାରତୀୟ ବାହୁକୁସ୍ତି ମହାସଂଘ ସମ୍ପାଦକ ତଥା ରାଜ୍ୟ ବାହୁକୁସ୍ତି ସଂଘ ସଂପାଦକ କେଦାର ଷଡ଼ଙ୍ଗୀ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅନୁଦାନ ସମୁଦ୍ରକୁ ଶଙ୍ଖେ ଭଳି। ତେଣୁ କର୍ପୋରେଟ୍‌ ଓ ଘରୋଇ ସଂସ୍ଥାଙ୍କଠୁ ଆର୍ଥିକ ସହଯୋଗ ପାଇଁ ଚେଷ୍ଟା ଚାଲିଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର