ପ୍ରଜ୍ଞାଙ୍କୁ ପ୍ରଥମ ଆନ୍ତର୍ଜାତିକ ପଦକ

ଦକ୍ଷିଣ ଏସୀୟ କନିଷ୍ଠ ଦୌଡ଼କୁଦ

କଟକ: ଶ୍ରୀଲଙ୍କାର କଲମ୍ବୋରେ ଚାଲିଥିବା ଦକ୍ଷିଣ ଏସୀୟ କନିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁଙ୍କୁ ପ୍ରଥମ ଆନ୍ତର୍ଜାତିକ ପଦକ ମିଳିଛି। ସୁଗଥଡ଼ସା ଷ୍ଟାଡିୟମରେ ଶେଷ ହୋଇଥିବା ୧୦୦ ମିଟର ବାଧାଦୌଡ଼ରେ ବାଲେଶ୍ୱର ଜିଲ୍ଲା ବସ୍ତାର ଟିକିରପଡ଼ା ଝିଅ ପ୍ରଜ୍ଞା ରୌପ୍ୟ ପଦକ ଜିତିବାରେ ସଫଳ ହୋଇଛନ୍ତି। ୧୮ ବର୍ଷ ବୟସ୍କା ପ୍ରଜ୍ଞା ୧୪.୯୮ ସେକେଣ୍ଡରେ ୧୦୦ ମିଟର ଦୂରତାକୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ। ଝାଡ଼ଖଣ୍ଡର ସ୍ୱପ୍ନା କୁମାରୀ ୧୪.୧୯ ସେକେଣ୍ଡ ସହ ପ୍ରଥମ ସ୍ଥାନ ଅକ୍ତିଆର କରିବା ସାଙ୍ଗକୁ ନୂଆ ମିଟ୍‌ କୀର୍ତ୍ତିମାନ ସ୍ଥାପନ କରିଥିଲେ। ଆୟୋଜକ ଶ୍ରୀଲଙ୍କାର ଏମ୍‌ଏ ଭାଗ୍ୟ ନିଲମିନି ୧୫.୨୫ ସେକେଣ୍ଡ ସହ କାଂସ୍ୟ ପଦକ ପାଇଛନ୍ତି।

ବାଲେଶ୍ୱରରେ ରହୁଥିବା ପ୍ରଜ୍ଞାଙ୍କ ଏହି ସଫଳତା ପରେ ତାଙ୍କର ସ୍ୱପ୍ନ ପୂରଣ ହୋଇଥିବା ତାଙ୍କ ବାପା ପାର୍ଥସାରଥୀ ସାହୁ କହିଛନ୍ତି। ସ୍ଥାନୀୟ ମଡର୍ଣ୍ଣ ପବ୍ଲିକ୍‌ ସ୍କୁଲ୍‌ରେ ପଢୁଥିବା ବେଳେ ଦୌଡ଼କୁଦ ପ୍ରତି ତାଙ୍କର ପିଲାବେଳୁ ଆଗ୍ରହ ରହିଥିଲା। ଛୋଟବେଳୁ ସେ ଦୌଡ଼ ପ୍ରତିଯୋଗିତାରେ ଅଧିକ ଭାଗ ନେଉଥିବା ବେଳେ ଅଧିକାଂଶ ଥର ପ୍ରଥମ ସ୍ଥାନରେ ରହୁୁଥିଲେ। ପରମିଟ୍‌ ପଡ଼ିଆରେ ଅଭ୍ୟାସ କରୁଥିବା ବେଳେ ପ୍ରଶିକ୍ଷକ କଳିଙ୍ଗ ମହାପାତ୍ରଙ୍କ ସଂସ୍ପର୍ଶରେ ଆସିବା ପରେ ସେ ବାଧାଦୌଡ଼ ପ୍ରଶିକ୍ଷଣ ପାଇଥିଲେ। ସେଠାରୁ ପ୍ରଶିକ୍ଷଣ ନେଇ ଜିଲ୍ଲାସ୍ତରୀୟ ଏବଂ ପରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ହୋଇଥିଲେ। ଗତବର୍ଷ ପୂର୍ବାଞ୍ଚଳ ପ୍ରତିଯୋଗିତାରେ ପ୍ରଥମ ଏବଂ କନିଷ୍ଠ ଫେଡେରେସନ୍‌ କପ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଦକ୍ଷିଣ ଏସୀୟ ଦୌଡ଼କୁଦ ପାଇଁ ମନୋନୀତ ହୋଇଥିଲେ। ପ୍ରଥମ ଥର ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଥିବାରୁ ଏଥିପାଇଁ ସେ କଠୋର ଅଭ୍ୟାସ କରିଥିଲେ। ଆଉ ସେହି ପରିଶ୍ରମର ଫଳ ପ୍ରଜ୍ଞା ପାଇଥିବା ବାପା ପାର୍ଥସାରଥୀ କହିଛନ୍ତି।

ମଡର୍ଣ୍ଣ ପବ୍ଲିକ୍‌ ସ୍କୁଲ୍‌ରେ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବାପା ପାର୍ଥସାରଥୀ, ବସ୍ତା ମୁକୁନ୍ଦପୁର ୟୁଜିଏମ୍‌ଇ ସ୍କୁଲ୍‌ର ଶିକ୍ଷକ ଭାବେ କାର୍ଯ୍ୟରତ ମା’ ସୁକାନ୍ତିମଣୀ ଜେନା, ଜଣେ ଲେଖାଏଁ ଭାଇ, ଭଉଣୀଙ୍କୁ ନେଇ ପ୍ରଜ୍ଞାଙ୍କ ପରିବାର। ବତ୍ତର୍ମାନ ପ୍ରଜ୍ଞା ରେମୁଣା ମହାବିଦ୍ୟାଳୟରେ ଯୁକ୍ତ ୩ ବିଜ୍ଞାନ ପ୍ରଥମ ବର୍ଷର ଛାତ୍ରୀ। ଆନ୍ତର୍ଜାତିକ ପ୍ରତିଯୋଗିତା ଆୟୋଜନରେ ବ୍ୟସ୍ତ ରହିଥିବାରୁ ପ୍ରଜ୍ଞା ଏଥରର ପରୀକ୍ଷା ମଧ୍ୟ ଦେଇପାରିନାହାନ୍ତି। ତଥାପି ପ୍ରତ୍ୟେକ କ୍ରୀଡ଼ାବିତ୍‌ଙ୍କ ପରି ଅଲିମ୍ପିକ୍‌ ଲକ୍ଷ୍ୟ ରହିଥିଲେ ବି ଏବେ ପ୍ରଥମ ପାହ୍ୟାରେ ଭଲ ପ୍ରଦର୍ଶନ କରିଥିବାରୁ ଆଗକୁ ତାଙ୍କର ଭବିଷ୍ୟତ ଉଜ୍ଜଳ ଥିବା ବାପା ପାର୍ଥସାରଥୀ ଆଶାବାଦୀ ଅଛନ୍ତି।

ସମ୍ବନ୍ଧିତ ଖବର