କ୍ୱାର୍ଟରରେ ପ୍ରଣୀତ, ସମୀର

ପୁରୁଷ ଯୁଗଳ କ୍ୱାର୍ଟରରେ ଦୁଇ ଭାରତୀୟ ଯୋଡ଼ି ମୁହାଁମୁହିଁ

ନୂଆଦିଲ୍ଲୀ: ଭାରତୀୟ ତାରକା ବି ସାଇ ପ୍ରଣୀତ ଏବଂ ସମୀର ବର୍ମା ମେଲ୍‌ବର୍ନରେ ଚାଲିଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ନିଜ ନିଜର ବିଜୟ ଧାରା ଜାରି ରଖି ପୁରୁଷ ଏକକ କ୍ୱାର୍ଟର ଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଛନ୍ତି। ପ୍ରଥମ ରାଉଣ୍ଡ୍‌ରେ ଇସ୍ରାଏଲ୍‌ର ମିସା ଜିଲ୍‌ବର୍‌ମ୍ୟାନ୍‌ଙ୍କ ପରାସ୍ତ କରିଥିବା ଦ୍ୱିତୀୟ ମାନ୍ୟତା ପ୍ରଣୀତ ଗୁରୁବାର ଦ୍ୱିତୀୟ ରାଉଣ୍ଡ୍‌ରେ ମାତ୍ର ୩୨ ମିନିଟ୍‌ ମଧ୍ୟରେ ଇଣ୍ଡୋନେସିଆର ପାନ୍‌ଜୀ ଅହମ୍ମଦ ମୌଲାନାଙ୍କୁ ସିଧାସଳଖ ୨୧-୧୨ ଓ ୨୧-୧୪ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ବିଜୟ ସହ କ୍ୱାର୍ଟର ଫାଇନାଲ୍‌ ପ୍ରବେଶ କରିଛନ୍ତି। ସେହିପରି ପ୍ରଥମ ରାଉଣ୍ଡ୍‌ରେ ନ୍ୟୁଜିଲାଣ୍ଡ୍‌ର ଅଭିନବ ମନୋଟାଙ୍କୁ ପରାସ୍ତ କରିଥିବା ଚତୁର୍ଥ ମାନ୍ୟତା ସମୀର ଗୁରୁବାର ଦ୍ୱିତୀୟ ରାଉଣ୍ଡ୍‌ରେ ଜାପାନର ଟାକୁମା ଉଏଦାଙ୍କୁ ସିଧାସଳଖ ୨୧-୧୬ ଓ ୨୧-୧୨ରେ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ୩୭ ମିନିଟ୍‌ରେ ଶେଷ ହୋଇଥିଲା ବେଳେ ସମୀର ମଧ୍ୟ ଲଗାତାର ଦ୍ୱିତୀୟ ବିଜୟ ପାଇ କ୍ୱାର୍ଟର ଫାଇନାଲ୍‌ ପହଞ୍ଚିଛନ୍ତି। ଏଠାରେ ସୂଚନାଯୋଗ୍ୟ, ଟାକୁମା ପ୍ରଥମ ରାଉଣ୍ଡ୍‌ରେ ସମୀରଙ୍କ ଭାଈ ସୌରଭ ବର୍ମାଙ୍କୁ ପରାସ୍ତ କରିଥିଲା ବେଳେ ଏହାର ପ୍ରତିଶୋଧ ନେଇ ସମୀର ତାଙ୍କୁ ଦ୍ୱିତୀୟ ରାଉଣ୍ଡ୍‌ର ବିଦା କରିଦେଇଛନ୍ତି। ତେବେ ଏକମାତ୍ର ଭାରତୀୟ ମହିଳା ଭାବେ ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚିଥିବା ବୈଷ୍ଣବୀ ରେଡ୍ଡୀ ଜାକା ଆଉ ଆଗକୁ ବଢ଼ିପାରି ନାହାନ୍ତି। ସେ ମାତ୍ର ୨୧ ମିନିଟ୍‌ ଲଢ଼େଇ କରିବା ପରେ ଚୀନ୍‌ର ହାନ୍‌ ୟୁ’ଙ୍କଠାରୁ ୫-୨୧ ଓ ୫-୨୧ରେ ହାରିଯାଇଛନ୍ତି।

ଅନ୍ୟପକ୍ଷରେ ପୁରୁଷ କ୍ୱାର୍ଟର ଫାଇନାଲ୍‌ରେ ଦୁଇ ଭାରତୀୟ ମୁହାଁମୁହିଁ ହେବେ। ଏହି ଦୁଇ ଭାରତୀୟ ଯୋଡ଼ି ଏମ୍‌ଆର୍‌ ଅର୍ଜୁନ-ଶ୍ଲୋକ୍‌ ରାମଚନ୍ଦ୍ରନ୍‌ ଏବଂ ମନୁ ଅତ୍ରି-ବି ସୁମିତ୍‌ ରେଡ୍ଡୀ ଗୁରୁବାର ସେମାନଙ୍କ ଦ୍ୱିତୀୟ ରାଉଣ୍ଡ୍‌ ଜିତି ନେଇଛନ୍ତି। ସପ୍ତମ ମାନ୍ୟତା ଯୋଡ଼ି ଅର୍ଜୁନ-ଶ୍ଲୋକ୍‌ ୨୧-୧୫ ଓ ୨୫-୨୩ରେ ଜାପାନ ଯୋଡ଼ି ହିରୋକି ଓକୁମୁରା-ମାସାୟୁକି ଓନୋଡେରାଙ୍କୁ ଏବଂ ତୃତୀୟ ମାନ୍ୟତା ଯୋଡ଼ି ମନୁ-ସୁମିତ୍‌ ୨୧-୧୭ ଓ ୨୧-୧୭ରେ ହ୍ୟୁକ୍‌ ଗ୍ୟୁନ୍‌ ଚୋଇ-ପାର୍କ କ୍ୟୁଙ୍ଗ୍‌ ହୁନ୍‌ଙ୍କୁ ପରାସ୍ତ କରିଦେଇଛନ୍ତି। ଶୁକ୍ରବାର ଦୁଇ ଭାରତୀୟ ଯୋଡ଼ି ମଧ୍ୟରେ କ୍ୱାର୍ଟର ଫାଇନାଲ୍‌ ମୁକାବିଲା ହେବ। ତେବେ ମିଶ୍ରିତ ଯୁଗଳରେ ଶିବମ୍‌ ଶର୍ମା-ପୂର୍ବୀଶା ଏସ୍‌ ରାମ ପଞ୍ଚମ ମାନ୍ୟତା କୋରିଆ ଯୋଡ଼ିଙ୍କଠୁ ୬-୨୧ ଓ ୧୩-୨୧ରେ ଏବଂ ମହିଳା ଯୁଗଳ ଯୋଡ଼ି ଜେ ମେଘନା-ପୂର୍ବୀଶା ଜାପାନର ମିକି କାଶିହରା-ମିୟୁକି କାଟୋଙ୍କଠୁ ୧୧-୨୧ ଓ ୧୩-୨୧ରେ ହାରିଯାଇଛନ୍ତି।

ସମ୍ବନ୍ଧିତ ଖବର