ପ୍ରସାଦଙ୍କ ପରାମର୍ଶ!:‘ଧୋନି ଆଉ କିଛିଦିନ ଖେଳନ୍ତୁ’

ନୂଆଦିଲ୍ଲୀ: ଯୁବ ୱିକେଟରକ୍ଷକ ଋଷବ ପନ୍ତ୍‌ ଅନ୍ତର୍ଜାତୀୟ କ୍ରିକେଟ୍ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଛାଡ଼ିବା ସ୍ଥିତିରେ ନାହିଁ ଭାରତୀୟ ଦଳ। ପନ୍ତ୍‌ଙ୍କୁ ସମ୍ପୂର୍ଣ୍ଣ ଗଢ଼ି ତୋଳିବା ପର୍ଯ୍ୟନ୍ତ ଅବସର ନ ନେବାକୁ ମଧ୍ୟ ଦଳୀୟ ପରିଚାଳନା କର୍ତୃପକ୍ଷ ଧୋନିଙ୍କୁ କହିଥିବା ସୂଚନା ମିଳିଛି। ଧୋନିଙ୍କ ଭବିଷ୍ୟତ ନେଇ କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଦୁଇ ଦୁଇ ଥର ବିଶ୍ବକପ୍‌ ବିଜେତା ଏହି ପୂର୍ବତନ ଅଧିନାୟକ ନିରବ ରହିଛନ୍ତି। ୨ ମାସିଆ ବିରାମ ନେଇ ପାରାଚ୍ୟୁଟ ଆର୍ମିରେ ନିଜକୁ ନିଯୁକ୍ତ ରଖିଛନ୍ତି। ମୁଖ୍ୟ ଚୟନକର୍ତା ଏମ୍‌ଏସ୍‌କେ ପ୍ରସାଦ ପନ୍ତ୍‌ଙ୍କୁ ଯେତେ ସମ୍ଭବ ଅଧିକରୁ ଅଧିକ ସୁଯୋଗ ଦିଆଯିବ ବୋଲି ଘୋଷଣା କରି ସାରିଛନ୍ତି। ଧୋନିଙ୍କ ଅବସର ସମ୍ପର୍କିତ ନିଷ୍ପତ୍ତି ତାଙ୍କ ଉପରେ ଛାଡ଼ି ଦେଇଛନ୍ତି। କିନ୍ତୁ ପନ୍ତ୍‌ ପ୍ରସ୍ତୁତ ନ ହେବା ପର୍ଯ୍ୟନ୍ତ ଅବସର ‌ନ ନେବାକୁ ଧୋନିଙ୍କୁ ସେ କହିଥିବା ଦାବି କରାଯାଇଛି। ପନ୍ତ୍‌ଙ୍କୁ ଆଗାମୀ ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ସମସ୍ତ ୩ ଫର୍ମାଟରେ ପ୍ରଥମ ପସନ୍ଦ ୱିକେଟରକ୍ଷକ ରଖାଯାଇଛି। ଆସନ୍ତା ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପର୍ଯ୍ୟନ୍ତ ଧୋନି ଦଳରେ ରହି ପନ୍ତ୍‌ଙ୍କ ମାର୍ଗଦର୍ଶକ ସାଜନ୍ତୁ ଏବଂ ତାଙ୍କୁ ଗଢ଼ି‌ ତୋଳିବାରେ ସହାୟକ ହୁଅନ୍ତୁ ବୋଲି ଦଳୀୟ ପରିଚାଳନା ଆଶା କରିଛି।
ସାହାଙ୍କ ପାଇଁ ଶେଷ ସୁଯୋଗ
ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଭାରତୀୟ ଟେଷ୍ଟ୍ ଦଳକୁ ଋଦ୍ଧିମାନ ସାହାଙ୍କ ପ୍ରତ୍ୟାବର୍ତନ ଘଟିଥିଲେ ମଧ୍ୟ ପନ୍ତ୍‌ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। କିନ୍ତୁ ଭାରତୀୟ ଟେଷ୍ଟ୍‌ ଦଳରେ ସ୍ଥାନ ବଜାୟ ରଖିବାକୁ ହେଲେ ଋଦ୍ଧିମାନ ସାହାଙ୍କ ପାଇଁ ଏହା ଶେଷ ସୁଯୋଗ ଭଳି ହେବ। ୨୦୧୮ ମସିହା ଜାନୁଆରିରେ କେପ୍‌ ଟାଉନ୍ ଟେଷ୍ଟରେ ଆହତ ହୋଇଥିବା ସାହା ଲମ୍ବା ବ୍ୟବଧାନ ପରେ ଦଳକୁ‌ ଫେରିଛନ୍ତି। ଇତି ମଧ୍ୟରେ ସାହାଙ୍କ ବିନା ଭାରତ ୧୪ ଟେଷ୍ଟ୍ ଖେଳିଛି। ପାର୍ଥିବ ପଟେଲ, ଦୀନେଶ କାର୍ତିକଙ୍କ ପରେ ପନ୍ତ୍‌ ଟେଷ୍ଟ୍‌ ଯୋଜନାରେ ସାମିଲ ହୋଇ ଏହି ସମୟରେ ଖେଳିଛନ୍ତି। ଏବେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ସାହାଙ୍କୁ ସଂରକ୍ଷିତ ୱିକେଟରକ୍ଷକ ରଖାଯାଇଛି। ପନ୍ତ୍‌ ଭଲ ନ ଖେଳିଲେ କିମ୍ବା ଆହତ ହେଲେ ହିଁ ସାହାଙ୍କୁ ସୁଯୋଗ ମିଳିବ। ସାହାଙ୍କ ଅତୀତ ପ୍ରଦର୍ଶନ ମଧ୍ୟ ତାଙ୍କୁ ଚୂଡାନ୍ତ ଏକାଦଶ ପାଇଁ ଦଳରେ ରଖିବାକୁ ଯଥେଷ୍ଟ ହେଉ ନାହିଁ। ୩୨ ଟେଷ୍ଟ୍ ଖେଳି ସାହା ୩୦.୬୩ ହାରରେ ୧,୧୬୪ ରନ୍ କରିଛନ୍ତି। ପନ୍ତ୍‌ଙ୍କୁ ଭାରତର ଭବିଷ୍ୟତ ବିବେଚନା କରାଯାଉଥିବାରୁ ସାହାଙ୍କ ଭବିଷ୍ୟତ ମଧ୍ୟ ଶେଷ ସ୍ଥିତିରେ ପହଞ୍ଚିଛି। ଆନ୍ଧ୍ରପ୍ରଦେଶ ୱିକେଟରକ୍ଷକ କେଏସ୍ ଭରତ ମଧ୍ୟ ପନ୍ତଙ୍କ ପରବର୍ତୀ ୱିକେଟ୍‌ରକ୍ଷକ ଭାବେ ଉଭା ହୋଇଛନ୍ତି। ସେ ଦୃଷ୍ଟିରୁ ସାହାଙ୍କୁ ଏବେ ପନ୍ତ୍‌ଙ୍କ ସହିତ ନୁହେଁ ଭରତଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ପଡୁଛି।
ଅନ୍ୟୁନ ଗୋଟିଏ ଦଳ ଆଶା ରଖିଥିଲେ ଗିଲ୍‌
ଆସନ୍ତା ମାସର ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶୃଙ୍ଖଳା ଲାଗି ଘୋଷିତ ୩ଟି ଯାକ ଫର୍ମାଟ ଭାରତୀୟ ଦଳରେ ଯୁବ ବ୍ୟାଟସମ୍ୟାନ୍‌ ଶୁଭମନ୍ ଗିଲ୍ ସ୍ଥାନ ନ ପାଇବା ଫଳରେ ସେ ନିରାଶ ହୋଇପଡିଛନ୍ତି। ସମ୍ପ୍ରତି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ‘ଏ’ ଦଳରୁ ଖେଳି ଏହି ପଞ୍ଜାବୀ ବ୍ୟାଟସମ୍ୟାନ୍‌ ଅଣଆନୁଷ୍ଠାନିକ ଦିନିକିଆ ଶୃଙ୍ଖଳାରେ ଅଗ୍ରଣୀ ରନ୍ ସଂଗ୍ରହକାରୀ ହୋଇଛନ୍ତି। ୫ ମ୍ୟାଚ୍‌ରୁ ୩ ଅର୍ଧଶତକ ସହିତ ୫୪.୫୦ ହାରରେ ମୋଟ ୨୧୮ ରନ୍ କରିଥିଲେ। ‘ଏ’ ଦଳରୁ ମୋଟ ୭ ଜଣ ଖେଳାଳି ଉଭୟ ସୀମିତ ଓଭର (ଦିନିକିଆ ଏବଂ ଟି-୨୦) ଦଳରେ ସ୍ଥାନ ପାଇଛନ୍ତି। ଗିଲ କିନ୍ତୁ ନ ପାଇବା ପ୍ରଶଂସକମାନଙ୍କୁ ଖପ୍ପା କରିଛି। ସାମାଜିକ ଗଣମାଧ୍ୟମରେ ସେମାନେ ଏଥି ପାଇଁ ଚୟନକର୍ତାଙ୍କୁ ଗାଳି ଦେବାରେ ଲାଗିଛନ୍ତି। ‘ମୁଁ ଅନ୍ୟୁନ‌ ଗୋଟିଏ ଦଳରେ ସ୍ଥାନ ପାଇବାର ଆଶା ରଖିଥିଲି। ରନ୍ ସଂଗ୍ରହ ଜାରି ରଖିବି ଏବଂ ଚୟନକର୍ତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବି’ ବୋଲି ଗିଲ୍ କହିଛନ୍ତି। ଲୋକେଶ ରାହୁଲ ନିଲମ୍ବିତ ହୋଇଥିବା ବେଳେ ଗତବର୍ଷ ନ୍ୟୁଜିଲାଣ୍ଡ୍‌ ଗସ୍ତରେ ଗିଲ୍ ଶେଷ ଦୁଇଟି ଦିନିକିଆ ଖେଳି ମାତ୍ର ୯ ଓ ୭ ରନ୍ କରିଥିବାରୁ ସମ୍ଭବତଃ ଏହା ତାଙ୍କ ବିରୋଧରେ ଯାଇଛି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର