ଭୁବନେଶ୍ବର: ହାଇକୋର୍ଟ ବାର୍ ସଂଘ ବିଜେବି କଲେଜ ପଡ଼ିଆରେ ଆୟୋଜିତ ଷଷ୍ଠ ବାର୍ଷିକ ପ୍ରଶାନ୍ତ ରାଉତରାୟ ସ୍ମାରକୀ ରାଜ୍ୟସ୍ତରୀୟ ଆଇନଜୀବୀ କ୍ରିକେଟ୍ ପ୍ରତିଯୋଗିତାର ବିଜେତା ହୋଇଛି। ଭୁବନେଶ୍ବର ବାର୍ ସଂଘ (ବିବିଏ) ଅନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାର ଗୁରୁବାର ଫାଇନାଲ୍ରେ ହାଇକୋର୍ଟ ୮ ୱିକେଟ୍ରେ ଆୟୋଜକ ସଂଘକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭୁବନେଶ୍ବର ନିର୍ଧାରିତ ୨୦ ଓଭରରେ ୧୧୧ ରନ୍ କରିଥିଲା। ସୁମନ ରାଉତରାୟ ୩୦ (୨୩ ବଲ୍) ଓ ପ୍ରିୟମ ମଲ୍ଲିକ ୨୭ (୩୧ ବଲ୍) ରନ୍ କରିଥିଲା ବେଳେ କଟକ ପକ୍ଷରୁ ବିପ୍ଳବ ଶିଳାଦିତ୍ୟ ୪ ଓ ସଂଜୀବ ସେଠୀ ୩ ୱିକେଟ୍ ନେଇଥିଲେ। ଜବାବରେ କଟକ ଦଳ ୧୫ ଓଭରରେ ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଅମିତାଭ ନାୟକ ୩୮* (୩୬ ବଲ୍) ଓ ପାର୍ଥ ସାରଥୀ ଆଚାର୍ଯ୍ୟ ୪୪* (୩୦ ବଲ୍) ରନ୍ କରିଥିଲେ। ଭୁବନେଶ୍ବରର ଲେନିନ କୁମାର କାନୁନଗୋ ଗୋଟିଏ ୱିକେଟ୍ ନେଇଥିଲେ। ପାର୍ଥ ସାରଥୀ ଆଚାର୍ଯ୍ୟ ଫାଇନାଲ୍ର ଏବଂ ଜୟନ୍ତ ଜେନା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସୁମନ୍ତ ନାୟକ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଓ ପ୍ରିନ୍ସ ପଟ୍ଟନାୟକ ଶ୍ରେଷ୍ଠ ବୋଲର ବିବେଚିତ ହୋଇଥିଲେ। ଶରତ ସାହୁ ଓ ଅଜୟ ନାୟକ ଅମ୍ପାୟାର ଏବଂ ରମେଶ କୁମାର ନାୟକ ସ୍କୋରର ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଫାଇନାଲ୍ ପୂର୍ବରୁ ଖେଳାଯାଇଥିବା ପ୍ରଦର୍ଶନୀ ମ୍ୟାଚ୍ରେ ଜିଲ୍ଲା ଜଜ୍ ଏକାଦଶ ଦଳ ୧୩ ରନ୍ରେ ଭୁବନେଶ୍ବର ସଭାପତି ଏକାଦଶକୁ ପରାସ୍ତ କରି ବିଜେତା ହେବାର ଗୌରବ ପାଇଥିଲା। ଜଜ୍ ଦଳ ଶିବ ପ୍ରସାଦ ମହାପାତ୍ର ୪୮ ରନ୍ ବଳରେ ୧୭ ଓଭରରେ ୧୨୩/୭ କରିଥିଲା। ସଭାପତି ଏକାଦଶ ପକ୍ଷରୁ ସ୍ବାଗତ ରାୟ ୩ ୱିକେଟ୍ ନେଇଥିଲେ। ଜବାବରେ ସଭାପତି ଦଳ ୧୧୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ନିହାର ସେଠୀ ୨୮ ରନ୍ କରିଥିଲା ବେଳେ ଦିବ୍ୟଶ୍ଚି ବେହେରା ୩ ୱିକେଟ୍ ନେଇଥିଲେ। ସତ୍ୟ ରଂଜନ ପ୍ରଧାନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ହାଇକୋର୍ଟ ବିଚାରପତି ପ୍ରମଥ କୁମାର ପଟ୍ଟନାୟକ ଏବଂ ଅକ୍ଷୟ କୁମାର ମିଶ୍ର ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।