ପ୍ରଶାନ୍ତ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ଭୁବନେଶ୍ୱର, ବାଲେଶ୍ୱର ବିଜୟୀ

ଭୁବନେଶ୍ୱର: ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଚାଲିଥିବା ଚତୁର୍ଥ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ଶନିବାର ଭୁବନେଶ୍ୱର ବ୍ଲୁ ଦଳ ଏବଂ ବାଲେଶ୍ୱର ଓକିଲ ସଂଘ ବିଜୟୀ ହୋଇଛନ୍ତି। ଶନିବାରର ପ୍ରଥମ ମ୍ୟାଚ୍‌ରେ ଭୁବନେଶ୍ୱର ବ୍ଲୁ ଦଳ ୯ ଓ୍ଵିକେଟରେ ଓଡ଼ିଶା ଆଡିମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ୍‌କୁ ପରାସ୍ତ କରିଥିଲା। ପ୍ରଳୟଶ୍ରୀ ଦଳବେହେରା (୩୧) ଏବଂ ଅଶୋକ ଅରବିନ୍ଦ ମହାନ୍ତି (୨୪)ଙ୍କ ଜରିଆରେ ଓଏଟି ବାର୍‌ ସଂଘ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୧୨ ରନ୍‌ କରିଥିଲା। ଲେଲିଙ୍କର କାନୁନଗୋ ୪ ଏବଂ ରାକେଶ ପ୍ରଧାନ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଭୁବନେଶ୍ୱର ଦଳ ସୂର୍ଯ୍ୟ ମହାସୁଆର (୩୧, ୨୩ ବଲ୍‌, ୬ ଚୌକା), ସୁମନ ରାଉତରାୟ (୫୧*, ୩୩ ବଲ୍‌, ୧୦ ଚୌକା) ଏବଂ ପ୍ରିୟମ ମଲ୍ଲିକ (୧୫*, ୧୩ ବଲ୍‌, ୧ ଚୌକା, ୧ ଛକା)ଙ୍କ ବଳରେ ୧୦.୪ ଓଭରରେ ୧ ଓ୍ଵିକେଟ୍‌ରେ ୧୧୮ ରନ୍‌ ସଂଗ୍ରହ କରି ନେଇଥିଲା। ପବିତ୍ର ପ୍ରଧାନ ଓ ସୁଶାନ୍ତ ଦାଶ ମ୍ୟାଚ୍‌ ପରିଚାଳନା କରିଥିଲେ। ଲେଲିଙ୍କର କାନୁନଗୋ (୪-୧-୧୯-୪) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ଦ୍ୱିତୀୟ ମ୍ୟାଚ୍‌ରେ ବାଲେଶ୍ୱର ଦଳ ୩ ରନ୍‌ରେ ପୁରୀ ଓକିଲ ସଂଘକୁ ପରାସ୍ତ କରିଥିଲା। ସରୋଜ ବେହେରା (୧୦୮*, ୬୧ ବଲ୍‌, ୧୫ ଚୌକା, ୫ ଛକା)ଙ୍କ ବିସ୍ଫୋରକ ଶତକ ଏବଂ ବିପ୍ଳବ ତ୍ରିପାଠୀଙ୍କ ୩୬ ରନ୍‌ ବଳରେ ବାଲେଶ୍ୱର ଓକିଲ ସଂଘ ୧୮ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୬୪ ରନ୍‌ କରିଥିଲା। ଜବାବରେ ପୁରୀ ଓକିଲ ସଂଘ ଶ୍ରୀକୁମାର ମିଶ୍ରଙ୍କ ୪୦ ରନ୍‌ ଏବଂ ରଂଜିତ ମହାନ୍ତିଙ୍କ ୪୧* ରନ୍‌ (୧୯ ବଲ୍‌, ୪ ଚୌକା, ୩ ଛକା) ସତ୍ତ୍ୱେ ୧୬୧/୩ରେ ସୀମିତ ରହିଥିଲା। ଚଳିତ ବର୍ଷର ପ୍ରଥମ ଶତକ ହାସଲ କରିଥିବା ସରୋଜ ରଂଜନ ବେହେରା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଶରତ ସାହୁ ଓ ସୁଶାନ୍ତ ଦାଶ ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର