ପ୍ରଶାନ୍ତ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ହାଇକୋର୍ଟ ବିଜେତା

ଭୁବନେଶ୍ୱର: ସ୍ଥାନୀୟ ବିଜେବି କଲେଜ ପଡ଼ିଆରେ ଚାଲିଥିବା ଚତୁର୍ଥ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତାରେ ହାଇକୋର୍ଟ ବାର୍‌ (କଟକ) ବିଜେତା ହୋଇଛି। ମଙ୍ଗଳବାର ଫାଇନାଲ୍‌ରେ ଏହି ଦଳ ୭ ଓ୍ଵିକେଟ୍‌ରେ ଭୁବନେଶ୍ୱର ବ୍ଲୁ ଦଳକୁ ପରାସ୍ତ କରିଦେଇଛି। ଶରତ ଜେନା (୬୧)ଙ୍କ ଅର୍ଧଶତକ ବଳରେ ଭୁବନେଶ୍ୱର ବ୍ଲୁ ଦଳ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୨୨ ରନ୍‌ କରିଥିଲା। ରୁଦ୍ର ମହାପାତ୍ର ୩ ଓ ସତ୍ୟବ୍ରତ ମହାପାତ୍ର ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ହାଇକୋର୍ଟ ଦଳ ୧୫.୪ ଓଭରରେ ୩ ଓ୍ଵିକେଟ୍‌ ହରାଇ ୧୨୪ ରନ୍‌ କରି ମ୍ୟାଚ୍‌ ଜିତି ଯାଇଥିଲା। ବିପ୍ଳବ ଶୀଳାଦିତ୍ୟ ୪୦ ରନ୍‌ କରିଥିଲେ। ୩-୧-୯-୨ର ବୋଲିଂ ଚିତ୍ର ପାଇଥିବା ବିଜୟୀ ଦଳର ପ୍ରିନ୍‌ସ ପଟ୍ଟନାୟକ ମ୍ୟାଚ୍‌ର ଶ୍ରେଷ୍ଠ ଏବଂ ଜଗନ ବାରିକ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭୁବନେଶ୍ୱର ବ୍ଲୁ ଦଳର ଦୁଇ ଖେଳାଳି ସୁମନ ରାଉତରାୟ ଓ ଲେଲିଙ୍କର କାନୁନ୍‌ଗୋ ଯଥାକ୍ରମେ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ୍‌ ଓ ଶ୍ରେଷ୍ଠ ବୋଲର ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର