ପ୍ରତିମାଙ୍କ ସହ ଲଣ୍ଡନରେ ସମୟ କାଟୁଛନ୍ତି ଈଶାନ୍ତ

ବ୍ରାଇଟନ୍‌: ଭାରତୀୟ ଦ୍ରୁତ ବୋଲର ଈଶାନ୍ତ ଶର୍ମାଙ୍କୁ ଧନୀ କ୍ରିକେଟ୍‌ ଲିଗ୍‌ ଆଇପିଏଲ୍‌ରେ ଅଣ ଦେଖା କରାଗଲା। ତାଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିଲେନି। ଫଳରେ ଚଳିତ ଆଇପିଏଲ୍‌ରେ ଈଶାନ୍ତଙ୍କୁ ଦେଖିବାକୁ ମିଳିଲାନି। ଆଇପିଏଲ୍‌ରୁ ବାଦ୍‌ ପଡ଼ିବାପରେ ସେ ସସେକ୍ସ ପାଇଁ କାଉଣ୍ଟି ଖେଳିବାକୁ ଇଂଲଣ୍ଡ ପହଞ୍ଚି ଯାଇଥିଲେ। ଏପ୍ରିଲ ୪ରୁ ଜୁନ୍‌ ୪ ତାରିଖ ପର୍ଯ୍ୟନ୍ତ ସେ ଇଂଲଣ୍ଡରେ ରହିବେ। ସେଠାରେ କ୍ରିକେଟ୍‌ ଖେଳିବା ସହ ବୁଲାବୁଲିରେ ସମୟ କାଟି ଈଶାନ୍ତ ଆଇପିଏଲ୍‌ ଦୁଃଖ ଭୁଲିଯାଇଛନ୍ତି। ଚଳିତ ମାସ ୪ରୁ ୭ ତାରିଖ ପର୍ଯ୍ୟନ୍ତ ମିଡିଲ୍‌ସେକ୍ସ ବିପକ୍ଷ ମ୍ୟାଚ୍‌ରୁ କାନ୍ଧ ଯନ୍ତ୍ରଣା ଯୋଗୁଁ ଓହରି ଯାଇଥିଲେ। ଏହି ଅବସରରେ ଈଶାନ୍ତ ପତ୍ନୀ ପ୍ରତିମା ସିଂହଙ୍କ ସହ ପୂରା ସମୟ କାଟିଥିଲେ। ଉଭୟ ପତିପତ୍ନୀ ବେଶ୍‌ ନିବିଡ଼ତାରେ ସମୟ କାଟୁଥିବାର ଏକ ଫଟୋ ପ୍ରତିମା ନିଜ ଇଷ୍ଟାଗ୍ରାମ୍‌ ପୃଷ୍ଠାରେ ଛାଡ଼ିଥିଲେ। ଯେଉଁଥିରେ ପ୍ରତିମା ଈଶାନ୍ତଙ୍କ ଗାଲକୁ ଚୁମ୍ବନ ଦେଉଛନ୍ତି। ଏହା ପ୍ୟାରିସ୍‌ ନୁହେଁ, ବ୍ରାଇଟନ୍‌ ବୋଲି ପ୍ରତିମା ଏହି ଫଟୋର ଶିରୋନାମା ରଖିଥିଲେ। ଏହାପରେ ଈଶାନ୍ତ ମଧ୍ୟ ଏହି ଫଟୋକୁ ବାଣ୍ଟିଥିଲେ ଏବଂ ‘ସୁନ୍ଦର ସାଥୀ ସହ ଅଗାମୀ ଗୋଟେ ମାସ ଏହି ସୁନ୍ଦର ସ୍ଥାନରେ ଜୀବନ କାଟିବି’ ବେଲି ଲେଖିଥିଲେ। ସୂଚନାଯୋଗ୍ୟ, ଈଶାନ୍ତ ୨୦୧୬ ଡିସେମ୍ବରେ ପେସାଦାର ବାସ୍କେଟ୍‌ବ୍‌ଲ ଖେଳାଳି ପ୍ରତିମାଙ୍କ ହାତ ଧରିଥିଲେ।

ସମ୍ବନ୍ଧିତ ଖବର