ପ୍ରୟାସ ହେଲେ ସର୍ବକନିଷ୍ଠ

ହାଇଦ୍ରାବାଦ: ରବିବାର ସନ୍‌ ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ପକ୍ଷରୁ ପଦାର୍ପଣ କରିଥିବା ପ୍ରୟାସ ରାୟ ବର୍ମନ୍‌ ଆଇପିଏଲ୍‌ର ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ତାଙ୍କ ବୟସ ଏବେ ୧୬ ବର୍ଷ ୧୫୭ ଦିନ। ପୂର୍ବରୁ ଆଇପିଏଲ୍‌ର ସର୍ବକନିଷ୍ଠ ଖେଳାଳି ଭାବେ ଆଫ୍‌ଗାନିସ୍ତାନ ସ୍ପିନର ମୁଜୀବ୍‌ ଉର୍‌ ରହମନ୍‌ କୀର୍ତିମାନ ରକିଥିଲେ। ମୁଜୀବ୍‌ ଉର୍‌ ୧୭ ବର୍ଷ ୧୧ ଦିନ ବୟସରେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ ପାଇଁ ୨୦୧୮ ଆଇପିଏଲ୍‌ରେ ପଦାର୍ପଣ କରିଥିଲେ। ଚଳିତ ବର୍ଷ ନିଲାମ ବେଳେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏହି ଦୁର୍ଗାପୁର ବାଳକ ପ୍ରୟାସଙ୍କୁ ୧.୫ କୋଟି ଟଙ୍କାରେ କିଣିଥିଲା। ଯାହାକି ତାଙ୍କ ମୂଳ ଦର (୨୦ ଲକ୍ଷ)ଠୁ ୮ ଗୁଣା ଅଧିକ ଥିଲା। ଦକ୍ଷିଣ ଦିଲ୍ଲୀର ଗାର୍ଗି କଲେଜ ଛାତ୍ର ପ୍ରୟାସ ରାମ୍‌ପାଲ୍‌ କ୍ରିକେଟ୍‌ ଏକାଡେମିରେ ପେସାଦାର କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲେ। ସେ ଜଣେ ଲେଗ୍‌ ସ୍ପିନ ଅଲ୍‌ରାଉଣ୍ଡର। ହେଲେ ୬ ଫୁଟ ୧ ଇଞ୍ଚ୍‌ ଉଚ୍ଚତା ବିଶିଷ୍ଟ ପ୍ରୟାସ ଘରୋଇ ପ୍ରତିଯୋଗିତାରେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କ ଆଇପିଏଲ୍‌ ପଦାର୍ପଣ ନୈରାଶ୍ୟଜନକ ଥିଲା। ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ୪ ଓଭର ବୋଲିଂ କରିଥିବା ପ୍ରୟାସ କୌଣସି ମେଡେନ୍‌ ପାଇନଥିଲା ବେଳେ ୫୬ ରନ୍‌ ବ୍ୟୟ କରିଥିଲେ। ସେ ମଧ୍ୟ ୱିକେଟ୍‌ ଶୂନ୍ୟ ରହିଥିଲେ। ପରେ ଶୋଚନୀୟ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇଥିବା ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ବ୍ୟାଟିଂରେ ମଧ୍ୟ କମାଲ ଦେଖାଇ ପାରିନଥିଲେ। ସେ ୨୪ ବଲ୍‌ର ସାମ୍‌ନା କରି ୨ ଚୌକା ସହାୟତାରେ ୧୯ ରନ୍‌ କରି ପାଭିଲିୟନ୍‌ ଫେରିଯାଇଥିଲେ।
ଆଇପିଏଲ୍‌ର ସର୍ବକନିଷ୍ଠ ଖେଳାଳି
୧୬ ବର୍ଷ ୧୫୭ ଦିନ: ପ୍ରୟାସ ରାୟ ବର୍ମନ୍‌ (ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)
୧୭ ବର୍ଷ ୧୧ ଦିନ: ମୁଜୀବ୍‌ ଉର୍‌ ରହମନ୍‌ (କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବ)
୧୭ ବର୍ଷ ୧୭୭ ଦିନ: ସର୍ଫରାଜ ଖାନ୍‌ (ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)
୧୭ ବର୍ଷ ୧୭୯ ଦିନ: ପ୍ରଦୀପ ସାଙ୍ଗ୍‌ୱନ୍‌ (ଡେକାନ୍‌ ଚାର୍ଜର୍ସ)
୧୭ ବର୍ଷ ୧୯୯ ଦିନ: ୱାସିଂଟନ୍‌ ସୁନ୍ଦର (ରାଇଜିଂ ପୁନେ ସୁପରଜିଆଣ୍ଟ୍‌ସ)

ସମ୍ବନ୍ଧିତ ଖବର