ପ୍ରି-କ୍ୱାର୍ଟରରେ ଫ୍ରାନ୍ସ, ଡେନ୍‌ମାର୍କ 

ପେରୁ ଜିତିକି ବିଦା, ଶେଷରେ ରହିଲା ଅଷ୍ଟ୍ରେଲିଆ

ମସ୍କୋ/ସୋଚି: ପୂର୍ବ ବିଜେତା ଫ୍ରାନ୍ସ ଏବଂ ଡେନ୍‌ମାର୍କ ଗ୍ରୁପ୍‌-ସିର ବିଜେତା ଏବଂ ଉପବିଜେତା ଭାବେ ଚଳିତ ମସ୍କୋ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଫ୍ରାନ୍ସ ଲିଗ୍‌ ପର୍ଯ୍ୟାୟର ତିନିଟି ମ୍ୟାଚ୍‌ ମଧ୍ୟରୁ ଦୁଇଟି ବିଜୟ ଏବଂ ଗୋଟିଏ ଅମୀମାଂସିତ ସହ ୭ ପଏଣ୍ଟ ପାଇ ଗ୍ରୁପ୍‌ ବିଜେତା ହୋଇଛି। ଅନ୍ୟ ପକ୍ଷରେ ଡେନ୍‌ମାର୍କ ଗୋଟିଏ ବିଜୟ ଏବଂ ଦୁଇଟି ଅମୀମାଂସିତ ମ୍ୟାଚ୍‌ରୁ ୫ ପଏଣ୍ଟ ଅର୍ଜନ କରି ଉପବିଜେତା ଆଖ୍ୟା ଅର୍ଜନ କରିଛି। ମଙ୍ଗଳବାରର ଏହି ଦୁଇଟି ମହତ୍ୱପୂର୍ଣ୍ଣ ମୁକାବିଲା ମଧ୍ୟରୁ ପ୍ରଥମରେ ଫ୍ରାନ୍ସ ଏବଂ ଡେନ୍‌ମାର୍କ କେହି କାହାରିକୁ ଗୋଲ୍‌ ଦେଇ ନପାରି ପଏଣ୍ଟ୍‌ ବାଣ୍ଟିଥିଲେ। ୩୬ ମ୍ୟାଚ୍‌ ପରେ ଏହା ମଧ୍ୟ ଚଳିତ ବିଶ୍ୱକପ୍‌ର ପ୍ରଥମ ଗୋଲ୍‌ ଶୂନ୍ୟ ମ୍ୟାଚ୍‌ ଥିଲା। ପେରୁ-ଅଷ୍ଟ୍ରେଲିଆ ଦ୍ୱିତୀୟ ମ୍ୟାଚ୍‌ କିନ୍ତୁ ଫଇସଲା ହୋଇଥିଲା। ଏଥିରେ ପେରୁ ଏକତରଫା ଭାବେ ୨-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ବିଜୟ ସହିତ ସମ୍ମାନର ସହ ମଧ୍ୟ ପାରୁ ନିଜ ବିଶ୍ୱକପ୍‌ ଅଭିଯାନ ଶେଷ କରିଥିଲା। ତିନିଟି ମ୍ୟାଚ୍‌ରୁ ଗୋଟିଏ ବିଜୟ ଏବଂ ଦୁଇଟି ପରାଜୟ ସହ ପେରୁ ୩ ପଏଣ୍ଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲା। ହେଲେ ଡେନ୍‌ମାର୍କ ବିପକ୍ଷ ମୁକାବିଲାକୁ ୧-୧ରେ ଅମୀମାଂସିତ ରଖିଥିବା ଅଷ୍ଟ୍ରେଲିଆ ଦୁଇଟି ପରାଜୟ ଏବଂ ଗୋଟିଏ ଅମୀମାଂସିତ ମ୍ୟାଚ୍‌ରୁ ମାତ୍ର ୧ ପଏଣ୍ଟ୍‌ ପାଇ ଗ୍ରୁପ୍‌ର ସବାଶେଷ ସ୍ଥାନରେ ରହିଥିଲା।
ଲଗାତାର ଦୁଇଟି ବିଜୟ ସହ ଫ୍ରାନ୍ସ ପୂର୍ବରୁ ପ୍ରି-କ୍ୱାର୍ଟରରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ସେଥିପାଇଁ ମସ୍କୋରେ ଆଜି ଖେଳା ଯାଇଥିବା ଡେନମାର୍କ ବିପକ୍ଷ ମ୍ୟାଚ୍‌ରେ ସେତେଟା ଉତ୍ସାହ ଦେଖାଯାଇ ନଥିଲା। ଫ୍ରାନ୍ସ ପ୍ରଶିକ୍ଷକ ଦିଦିଆର ଦେସଚାମ୍ପ୍ସ ନିଜର ପ୍ରମୁଖ ଖେଳାଳିମାନଙ୍କୁ ବିଶ୍ରାମ ଦେବା ମଧ୍ୟ ଏହାର ଅନ୍ୟତମ କାରଣ ଥିଲା। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ମଧ୍ୟ ଏହି ସ୍ଥିତି ଅପରିବର୍ତିତ ରହିଥିଲା। ମ୍ୟାଚ୍‌ରେ ଗୋଟିଏ ହଳଦିଆ କାର୍ଡ ଦେଖିବାକୁ ମିଳିଥିଲା।
ସୋଚିର ପେରୁ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ପେରୁ ଉଭୟାର୍ଧରେ ଗୋଟିଏ ଲେଖାଏଁ ଗୋଲ୍‌ କରି ମ୍ୟାଚ୍‌ ଜିତି ନେଇଥିଲା। ୧୯୭୮ ମସିହା ଏବଂ ୧୪, ୬୨୫ ଦିନ ପରେ ବିଶ୍ୱକପ୍‌ରେ ପେରୁର ଏହା ପ୍ରଥମ ବିଜୟ ଥିଲା। ଆର୍ଜେଣ୍ଟିନାର ମାର୍ଟିନ ପାଲେମୋ (୩୬ ବର୍ଷ ୨୨୭ ଦିନ)ଙ୍କ ପରେ ଏହି ଦେଶର ପାବଲୋ ଗୁରେରୋ (୩୪ ବର୍ଷ ୧୭୬ ଦିନ) ବିଶ୍ୱକପ୍‌ରେ ଗୋଲ୍‌ ଦେବାରେ ବୟୋଜ୍ୟେଷ୍ଠ ଦକ୍ଷିଣ ଆମେରିକୀୟ ଖେଳାଳି ହୋଇଥିଲେ। ମଙ୍ଗଳବାର ଆନ୍ଦ୍ରେ କାରିଲୋ (୧୮) ପେରୁ ପାଇଁ ପ୍ରଥମାର୍ଧରେ ଏବଂ ଗୁରେରୋ (୫୦) ଦ୍ୱିତୀୟାର୍ଧରେ ଗୋଲ୍‌ ଦେଇଥିଲେ। ବିଶ୍ୱକପ୍‌ରେ ପଞ୍ଚମ ଥର ଅଂଶ ଗ୍ରହଣ କରି ଅଷ୍ଟ୍ରେଲିଆ ତୃତୀୟ ଥର ଗୋଟିଏ ହେଲେ ବି ମ୍ୟାଚ୍‌ ଜିତି ପାରି ନଥିଲା।

ସମ୍ବନ୍ଧିତ ଖବର