ପ୍ରିମିୟର ବ୍ୟାଡ୍‌ମିଣ୍ଟନ୍‌ ଲିଗ୍‌ରେ ଖେଳାଳିଙ୍କୁ ଅପମାନ

ପୁରସ୍କାର ଟଙ୍କା ଓ ଜର୍ସି ନେଇ ଚାଲିଗଲେ ଫ୍ରାଞ୍ଚାଇଜି ମାଲିକ

ରାତି ୨ଟା ପର୍ଯ୍ୟନ୍ତ ଷ୍ଟାଡିୟମ୍‌ରେ ରହିଲେ ଖେଳାଳି
କଟକ, : କଟକ କ୍ଲବ୍‌ ପକ୍ଷରୁ ଓ ଓଡ଼ିଶା ବ୍ୟାଡମିଣ୍ଟନ ସଂଘର ସ୍ୱୀକୃତିକ୍ରମେ ପ୍ରଥମ ଥର ପାଇଁ ଆୟୋଜିତ ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ରେ ବିବାଦୀୟ ସ୍ଥିତି ଦେଖାଦେଇଛି। ଖେଳାଳିମାନଙ୍କୁ ନେଇ ପ୍ରତିଯୋଗିତା ହେଉଛି। ହେଲେ ଶେଷରେ ସେହି ଖେଳାଳିମାନଙ୍କୁ ଘୋର ଅପମାନିତ କରାଯାଇଛି। ପ୍ରତିଯୋଗତାର ଉପ ବିଜେତା ହୋଇଥିବା ଏଲ୍‌ବିଏନ୍‌ ଲାୟନ୍ସର ଫ୍ରାଞ୍ଚାଇଜି ମାଲିକ ପୁରସ୍କାର ଟଙ୍କା ସହ ଖେଳାଳିମାନଙ୍କ ଜର୍ସି ବି ଓହ୍ଲାଇନେଇ ଚାଲିଯାଇଥିଲେ। ଏହାକୁ ନେଇ ରାତି ୨ଟା ପର୍ଯ୍ୟନ୍ତ ସମସ୍ତ ଦଳର ଖେଳାଳି ଓ ଆୟୋଜକମାନେ ଇଣ୍ଡୋର୍‌ ଷ୍ଟାଡିୟମ ଭିତରେ ଏକାଠି ହୋଇ ରହିଥିଲେ। ସଂପୃକ୍ତ ଫ୍ରାଞ୍ଚାଇଜି ମାଲିକଙ୍କୁ ଯେତେ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ। ବିଳମ୍ବିତ ରାତି ସୁଦ୍ଧା ଖେଳାଳିମାନେ ଅପେକ୍ଷା କରିବା ପରେ ଶେଷରେ ଦୁଃଖରେ ଘରକୁ ଫେରିଯାଇଥିଲେ।
ରବିବାର ଶେଷ ହୋଇଥିବା ଏହି ପ୍ରଥମ ସଂସ୍କରଣରେ ପୁରୀ ସ୍ମାସ୍‌ କିଙ୍ଗ୍ସ ବିଜେତା ହୋଇଥିଲାବେଳେ ଏଲ୍‌ବିଏନ୍‌ ଲାୟନ୍ସ ଉପ ବିଜେତା ହୋଇଥିଲା। ଫାଇନାଲ୍‌ରେ ପୁରୀ ୩-୧ରେ ବିଜୟୀ ହୋଇଥିଲା। ପରେ ପୁରସ୍କାର ବିତରଣ ଉତ୍ସବରେ ବିଜେତାଙ୍କୁ ଟ୍ରଫି ସହ ୫୦ ହଜାର ଟଙ୍କା ଓ ଉପ ବିଜେତାଙ୍କୁ ଟ୍ରଫି ସହ ୩୫ ହଜାର ଟଙ୍କା ଦିଆଯାଇଥିଲା। ସେମି ଫାଇନାଲ୍‌ରେ ପରାଜିତ ଦଳକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ନିୟମ ମୁତାବକ ଅର୍ଥ ରାଶିକୁ ଫ୍ରାଞ୍ଚାଇଜି ମାଲିକଙ୍କୁ ହସ୍ତାନ୍ତର କରାଯାଇଥିଲା। ପ୍ରତିଯୋଗିତାରୁ କୌଣସି ଖେଳାଳିଙ୍କୁ ଟଙ୍କାଟିଏ ବି ଆର୍ଥିକ ପ୍ରୋତ୍ସାହନ ମିଳୁନଥିବାରୁ ମାଲିକମାନେ ଉକ୍ତ ଟଙ୍କାକୁ ସେମାନଙ୍କ ଖେଳାଳିଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ହେଲେ ଏଲ୍‌ବିଏନ୍‌ ଲାୟନ୍ସ ମାଲିକ ସମସ୍ତ ଟଙ୍କା, ଟ୍ରଫି ସାଙ୍ଗରେ ନେଇଯିବା ସହ ଖେଳାଳିମାନେ ପିନ୍ଧିଥିବା ଜର୍ସିକୁ ଖୋଲି ନେଇଥିଲେ।

କେବଳ ଏତିକି ନୁହେଁ ଓନର୍ସ ଲିଗ୍‌ରେ ଏହି ଦଳକୁ ପ୍ରତିନିଧିତ୍ୱ କରିଥିବା ଜଣେ କନିଷ୍ଠ ଖେଳାଳି ଏହାର ପ୍ରତିବାଦ କରିବାରୁ ତାଙ୍କଠୁ ୫୦୦ ଟଙ୍କା ମଗାଯାଇଥିବା ଅଭିଯୋଗ ହୋଇଛି। ଏସବୁ ଘଟଣା ପରେ ଖେଳାଳିମାନେ ଆୟୋଜକ କଟକ କ୍ଲବ୍‌ର କୋଷାଧ୍ୟକ୍ଷ ତଥା ପ୍ରତିଯୋଗିତାର ସଂଗଠନ ସମ୍ପାଦକ କମଳ ଦାସଙ୍କ ନିକଟରେ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଶ୍ରୀ ଦାସ କହିଛନ୍ତି ଯେ, ଏଭଳି ଘଟଣା ପରିପକ୍ୱତାର ଅଭାବ ଯୋଗୁଁ ହୋଇଛି। ତଥାପି ସୋମବାର ଫ୍ରାଞ୍ଚାଇଜି ମାଲିକ ସେହି ଟଙ୍କା ଓ ଜର୍ସିକୁ କଟକ କ୍ଲବ୍‌ରେ ଦାଖଲ କରିଯାଇଛନ୍ତି। ଖୁବ୍‌ଶୀଘ୍ର ସେଗୁଡ଼ିକୁ ଖେଳାଳିମାନଙ୍କ ଭିତରେ ବାଣ୍ଟିଦିଆଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ବ୍ୟାଡମିଣ୍ଟନ ସଂଘର ସମ୍ପାଦକ ପ୍ରଦୀପ ମହାନ୍ତି ଏଥିପାଇଁ ଆୟୋଜକଙ୍କୁ ଦାୟୀ କରିଛନ୍ତି। ଦୃଢ ନିୟମାବଳୀର ଅଭାବ ଯୋଗୁଁ ଫ୍ରାଞ୍ଚାଇଜିମାନଙ୍କ ଉପରେ ଆୟୋଜକଙ୍କ ନିୟନ୍ତ୍ରଣ ରହୁନାହିଁ। ଏଭଳି ପ୍ରତିଯୋଗିତାରୁ ଖେଳର ବିକାଶ ହେବା ପରିବର୍ତ୍ତେ ଖେଳାଳିମାନଙ୍କୁ ନିରୁତ୍ସାହିତ କରାଯାଇଛି। ଯଦି କୌଣସି ଖେଳାଳି ଲିଖିତ ଅଭିଯୋଗ କରନ୍ତି ତାହେଲେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଦୀପ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର