ବିଶ୍ୱକପ୍‌ ପ୍ରସ୍ତୁତି ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳା ଯିବାକୁ ଥିବା ହକି ବିଶ୍ୱକପ୍‌ର ଚତୁର୍ଦଶ ସଂସ୍କରଣ ଲାଗି ଚାଲିଥିବା ନିର୍ମାଣ ଏବଂ ପ୍ରସ୍ତୁତି କାର୍ଯ୍ୟକୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଲି ଦେଖିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସ୍ତୁତିପର୍ବର ସମୀକ୍ଷା ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ଆଜି ସଂଧ୍ୟା ୬ଟା ୧୫ ମିନିଟ୍‌ରେ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସରେ ପହଞ୍ଚି ସେଠାରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିଥିଲେ। ଏହା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ପ୍ରସ୍ତୁତି କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଥିଲେ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଯଥା ସମୟରେ ଚାଲିଥିବାରୁ ମୁଁ ବହୁତ ଖୁସି। ବିଶ୍ୱକପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ହକି କଂପ୍ଲେକ୍ସର ଦର୍ଶକ କ୍ଷମତା ୮ରୁ ୧୫,୦୦୦କୁ ବଢ଼ାଇ ଦିଆଯାଇଛି। ଏହା ଅଧିକ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଆସି ବିଶ୍ୱକପ୍‌ ଦେଖିବାର ସୁଯୋଗ ପ୍ରଦାନ କରିବ ବୋଲି ସେ କହିଥିଲେ। ଏହି ଅବସରରେ କ୍ରୀଡ଼ା ସଚିବ ବିଶାଳ ଦେବ, ଇଡକୋ ସିଏମଡି ସଂଜୟ ସିଂହ, କ୍ରୀଡ଼ା ନିର୍ଦେଶକ ଆର ଭିନିଲକ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ଷ୍ଟାଡିୟମରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟ ଏବଂ ଏହାର ସ୍ଥିତି ବିଷୟରେ ଅବଗତ କରାଇଥିଲେ।

ବଦଳିବ ହକି କଂପ୍ଲେକ୍ସର ରୂପ
ବିଶ୍ୱକପ୍‌ ପୂର୍ବରୁ କଳିଙ୍ଗ ଷ୍ଟାଡିୟମ ସହ ଏଠାକାର ହକି କଂପ୍ଲେକ୍ସ ରୂପରଙ୍ଗ ପୂରା ବଦଳିଯିବ। ଏହା ତୁଳନାତ୍ମକ ଭାବେ ଅଧିକ ସୁନ୍ଦର ଏବଂ ସବୁଜମୟ ହେବ। ହକି କଂପ୍ଲେକ୍ସର ପ୍ରବେଶ ପଥକୁ ନୂଆ ରୂପ ଦିଆଯିବ। ସେହିଭଳି ଉତ୍ତର ଏବଂ ଦକ୍ଷିଣ ଦିଗରେ ନିର୍ମାଣାଧୀନ ଦର୍ଶକ ଗ୍ୟାଲେରିକୁ ବିଶ୍ୱକପ୍‌ ପୂର୍ବରୁ ଶେଷ କରାଯାଇ ଚାରିଟି ଯାକ ଗ୍ୟାଲେରିରେ ନୂଆ ଚେୟାର ପକାଯିବ। କଂପ୍ଲେକ୍ସରେ ନୂଆ ଅଷ୍ଟ୍ରୋଟର୍ଫ ମଧ୍ୟ ବିଛାଯିବ। ଏହାଛଡ଼ା ସାମଗ୍ରିକ ଭାବେ କଳିଙ୍ଗ ଷ୍ଟାଡିୟମକୁ ଅଧିକ ସୌନ୍ଦର୍ଯ୍ୟମୟ କରାଯିବ। ଷ୍ଟାଡିୟମର ୩ ନମ୍ବର ଗେଟ୍‌ ବା ମୁଖ୍ୟ ପ୍ରବେଶ ପଥ ସହ ଅଧିକାଂଶ ଆଭ୍ୟନ୍ତରୀଣ ରାସ୍ତାକୁ ମଧ୍ୟ ଚଉଡ଼ା କରାଯିବ। ତା’ ସହ ଷ୍ଟାଡିୟମ୍‌ ଯେମିତି ପୂର୍ବାପେକ୍ଷା ସୁନ୍ଦର ଏବଂ ସରଦ ଦେଖାଯାଏ ସେଥିଲାଗି ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ମଧ୍ୟ କରାଯିବ। କେତେକ ନିର୍ମାଣ ଲାଗି ବିଡିଏଠାରୁ ଅନୁମତି ପତ୍ର ମିଳି ନଥିଲେ ମଧ୍ୟ ନିର୍ଧାରିତ ସମୟ ମଧ୍ୟରେ ଏହି କାମ ଶେଷ କରାଯିବ। ଏଥିନେଇ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବିଶ୍ୱକପ୍‌ ପୂର୍ବରୁ କୌଣସି କାର୍ଯ୍ୟକୁ ଅସପୂର୍ଣ୍ଣ ଛଡ଼ାଯିବ ନାହିଁ ବୋଲି ଇଡକୋ ସିଏମ୍‌ଡି ସଂଜୟ ସିଂହ କହିଥିଲେ। ସବୁ କାର୍ଯ୍ୟ ନିର୍ଧାରିତ ସମୟ ଅନୁସାରେ ଚାଲିଥିବା ସେ ଏହି ଅବସରରେ ଦୃଢ଼ତାର ସହ ମତ ରଖିଥିଲେ। ହକି କଂପ୍ଲେକ୍ସରେ ସ୍ଥାୟୀ ଭାବେ ସିସିଟିଭି ଲଗାଯିବାର ଯୋଜନା ଥିବା ମଧ୍ୟ କ୍ରୀଡ଼ା ସଚିବ ବିଶାଲ ଦେବ ସୂଚନା ଦେଇଥିଲେ।

ଲଣ୍ଡନରେ ପ୍ରଚାର
ଓଡ଼ିଶା ବିଶ୍ୱକପ୍‌କୁ ବିଶ୍ୱସ୍ତରରେ ଲୋକପ୍ରିୟ କରାଇବା ଲାଗି ମଧ୍ୟ କ୍ରୀଡ଼ା ବିଭାଗ ବିଭିନ୍ନ ପଦକ୍ଷେପ ହାତକୁ ନେଇଛି। ଦେଶ ସାରା ମଶାଲ ଓ ଷ୍ଟିକ୍‌ ଯାତ୍ରା ସହ ଲଣ୍ଡନରେ ଆୟୋଜିତ ହେବାକୁ ଥିବା ମହିଳା ହକି ବିଶ୍ୱକପ୍‌ ଅବସରରେ ବି ଓଡ଼ିଶା ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର କରାଯିବ। ମଶାଲ ଯାତ୍ରା ଆସନ୍ତାମାସରୁ ଆରମ୍ଭ କରାଯିବ। ଏଥିରେ ଦେଶର ମହାନ ଏବଂ ପ୍ରସିଦ୍ଧ ହକି ତାରକାଙ୍କୁ ସାମିଲ କରାଯିବ। ସେହିଭଳି ପର୍ଯ୍ୟଟନ ବିଭାଗ ସହ ମିଳିତ ଭାବେ ଅନେକ କାର୍ଯର୍୍ୟକ୍ରମ ଓ ଯୋଜନା ବିଶ୍ୱକପ୍‌ ପାଇଁ ଆରମ୍ଭ କରାଯିବ। ମୁମ୍ବାଇ ଓ ଦିଲ୍ଲୀ ଭଳି ବଡ଼ ବଡ଼ ସହରରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବିଶ୍ୱକପ୍‌ ବିଷୟରେ ହକି ପ୍ରେମୀଙ୍କୁ ଅବଗତ କରାଯିବ। ନଭେମ୍ବର ୨ ଏବଂ ୩ ତାରିଖରେ କ୍ରୀଡ଼ା ସାହିତ୍ୟ ମହୋତ୍ସବ ଆୟୋଜନ କରାଯିବ। ଓଡ଼ିଶା ଏଭଳି ଏକ ପ୍ରତିଯୋଗିତା ଆୟୋଜନ କରୁଛି ବୋଲି ଏହା ମାଧ୍ୟମରେ ସମଗ୍ର ଦେଶ ଓ ବିଶ୍ୱକୁ ଜଣାଇ ଦିଆଯିବ। ବିଶ୍ୱକପ୍‌କୁ ନେଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ଏହାକୁ ବଜାରରେ ଛାଡ଼ିବାର ଯୋଜନା ବି ରହିଛି। ବିଶ୍ୱକପ୍‌ ଅବସରରେ ହଫ୍‌ ଅନ୍‌ ହଫ୍‌ ଅଫ୍‌ ବସ୍‌ ସେବା ସହ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଦିନିକିଆ ଏବଂ ଦୁଇ ଦିନିଆ ପ୍ୟାକେଜ୍‌ ପ୍ରଦାନ କରାଯିବ ବୋଲି କ୍ରୀଡ଼ା ସଚିବ ଶ୍ରୀ ଦେବ ଏହି ଅବସରରେ କହିଥିଲେ।

ସମ୍ବନ୍ଧିତ ଖବର