ସଚିନ-ପୃଥ୍ବୀ ରାତ୍ରୀଭୋଜନ

ନୂଆଦିଲ୍ଲୀ: ଗତ ବର୍ଷ ଟେ‌ଷ୍ଟ୍‌ ପଦାର୍ପଣ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟ୍ସମ୍ୟାନ୍‌ ପୃଥ୍ବୀ ସ’ ବୁଧବାର ରାତିରେ ନିଜ ଆଦର୍ଶ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସହ ରାତ୍ରୀଭୋଜନ କରିଛନ୍ତି। ଏହି ରାତ୍ରୀଭୋଜନର ଫଟୋକୁ ପୃଥ୍ବୀ ନିଜ ଟ୍ବିଟର୍‌ ପୃଷ୍ଠାରେ ମଧ୍ୟ ପ୍ରକାଶ କରିଛନ୍ତି। ‘ସୁନ୍ଦର ରାତ୍ରୀଭୋଜନ ପାଇଁ ଧନ୍ୟବାଦ ସଚିନ ସାର୍‌, ଆ‌ପଣଙ୍କ ସହ ଏହି ଭେଟ ନିଶ୍ଚିତ ବଡ଼ ଖୁସିର’ ବୋଲି ଶିରୋନାମା ଲେଖିଛନ୍ତି ପୃଥ୍ବୀ। ଫଟୋଟିକୁ କେବଳ ପୃଥ୍ବୀଙ୍କ ପ୍ରଶଂସକ ନୁହେଁ ଆଇସିସି ମଧ୍ୟ ପସନ୍ଦ କରି ନିଜ ପ୍ରତିକ୍ରିୟା ରଖିଛି। କିମ୍ବଦନ୍ତୀ ସଚିନଙ୍କୁ ନିଜର ଆଦର୍ଶ ମାନୁଥିବା ପୃଥ୍ବୀଙ୍କ ନେତୃତ୍ବରେ ଭାରତ ୧୯ ବର୍ଷରୁ କମ୍‌ ବିଶ୍ବକପ୍ ବିଜେତା ହୋଇଥିଲା। ଏଥିସହ ସେ ହାରିସ ସିଲ୍ଡର ଏକ ମ୍ୟାଚ୍‌ରେ ୫୪୬ ରନ୍‌ ର ପାଳି ଖେଳି ସଚିନଙ୍କ ସମକକ୍ଷ ହୋଇଥିଲେ। ସଚିନ ଓ ବିନୋଦ କାମ୍ବଲି ୧୯୮୮ରେ ଏହି ପ୍ରତିଯୋଗିତାରେ ୬୬୪ ରନ୍‌ ଭାଗୀଦାରିର କୀର୍ତିମାନ କରିଥିଲେ। ୧୯ ବର୍ଷୀୟ ସ’ ଭାରତ ପକ୍ଷରୁ ୨ ଟେଷ୍ଟ୍‌ ଖେଳିଥିଲା ବେଳେ ଗୋଟିଏ ଶତକ ସହ ୧୧୮.୫୦ ହାରରେ ୨୩୭ ରନ୍‌ କରିଛନ୍ତି। ଚଳିତ ଆଇପିଏଲ୍‌ରେ ପ୍ରଥମ ୮ ମ୍ୟାଚ୍‌ରେ ସେ ଗୋଟିଏ ମାତ୍ର ଅର୍ଧଶତକ (୯୯ ବନାମ କେକେଆର୍‌) ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର