ଭୁବନେଶ୍ୱର: ଏସୀୟ କ୍ରୀଡ଼ାର ପଞ୍ଚଦଶ ସଂସ୍କରଣ କାତାର ରାଜଧାନୀ ଦୋହାରେ ୨୦୦୬ ଡିସେମ୍ବର ପହିଲାରୁ ୧୫ ତାରିଖ ମଧ୍ୟରେ ଖେଳାଯାଇଥିଲା। ସର୍ବାଧିକ ୪୫ ଦେଶରୁ ୯,୫୨୦ ଖେଳାଳି ଭାଗ ନେଇଥିଲେ ୩୯ ଖେଳ ଅନ୍ତର୍ଗତ ୪୨୪ ଇଭେଣ୍ଟ୍ରେ। ୟୁରୋସ୍ପୋର୍ଟସ୍ ପ୍ରସାରଣ କାରଣରୁ ପ୍ରଥମ ଥର ପାଇଁ ୟୁରୋପୀୟ ଦେଶରେ ଏସୀୟ କ୍ରୀଡ଼ା ପହଞ୍ଚିଥିଲା। ଏହି ପ୍ରତିଯୋଗିତା ଅବସରରେ ଏକାଧିକ ବିଶ୍ୱ ଏବଂ ଏସୀୟ କୀର୍ତିମାନ ପ୍ରତିଷ୍ଠା ହୋଇଥିଲା। କିନ୍ତୁ ପ୍ରତିଯୋଗିତା ଅବସରରେ ଦକ୍ଷିଣ କୋରିଆ ଅଶ୍ୱଚାଳକ କିମ୍ ହ୍ୟୁଙ୍ଗ୍ ଚିଲ୍ଙ୍କ ମୃତ୍ୟୁ ସହିତ ବହୁ ବିବାଦ ବି ଏହି ସଂସ୍କରଣକୁ ଆଛାଦିତ ରଖିଥିଲା। କ୍ରୀଡ଼ାଗ୍ରାମରେ ଶଯ୍ୟା ନିଅଣ୍ଟ, ଫୁଟ୍ବଲ୍ରୁ ୩ ଦେଶ ଓହରିଯିବା ପରେ ଏହାର ସୂଚୀକୁ ପୁନଃ ନିର୍ଧାରିତ କରିବା ଭଳି ପରିସ୍ଥିତି ଆସିଥିଲା। ଉଦ୍ଘାଟନୀ ଉତ୍ସବ ପରେ ବର୍ଷା ବିତ୍ପାତ ହେବାରୁ ଆୟୋଜନ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠିଥିଲା। ତଥାପି ଏସୀୟ କ୍ରୀଡ଼ାର ସ୍ତର ଢେର ଉଚ୍ଚକୁ ଉଠିଥିଲା କାତାରରେ। ଅନ୍ୟପକ୍ଷରେ ୮୦୦ ମିଟର ମହିଳା ଦୌଡ଼ରେ ରୌପ୍ୟ ବିଜୟିନୀ ଶାନ୍ତି ସୁନ୍ଦରରାଜନ ଲିଙ୍ଗ ପରୀକ୍ଷାରେ ବିଫଳ ହେବାରୁ ପଦକ ପ୍ରତ୍ୟାହୃତ ହେବା ଭାରତ ପାଇଁ ଶକ୍ତ ଝଟ୍କା ଭଳି ହୋଇଥିଲା।
ପ୍ରତିଯୋଗିତା ବେଳେ ଚୀନ୍ ଲଗାତାର ଷଷ୍ଠ ଥର ଦଳଗତ ବିଜେତା ହୋଇଥିଲା। ସର୍ବାଧିକ ଲୋକସଂଖ୍ୟା ବିଶିଷ୍ଟ ଏହି ଦେଶ ୧୬୫ ସ୍ୱର୍ଣ୍ଣ, ୮୮ ରୌପ୍ୟ, ୬୩ କାଂସ୍ୟ ସହିତ ମୋଟ ୩୧୬ ପଦକ ପାଇ ଶୀର୍ଷରେ ରହିଥିଲା। ଦକ୍ଷିଣ କୋରିଆ (୫୮+୫୨+୮୩) ମୋଟ ୧୯୩ ଏବଂ ଜାପାନ (୫୦+୭୨+୭୮) ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। କାଜାକସ୍ତାନ (୨୩+୨୦+୪୨), ଥାଇଲାଣ୍ଡ୍ (୧୩+୧୫+୨୬), ଇରାନ୍ (୧୧+୧୪+୧୫), ଉଜ୍ବେକିସ୍ତାନ (୧୧+୧୪+୧୫) ତଳକୁ ରହି ଭାରତ (୧୦+୧୭+୨୬) ଅଷ୍ଟମ ସ୍ଥାନରେ ଅଭିଯାନ ଶେଷ କରିଥିଲା। ଆୟୋଜକ କାତାର (୯+୧୨+୧୧) ଏବଂ ଚାଇନିଜ୍ ତାଇପେ (୯+୧୦+୨୭) ନବମ ଓ ଦଶମ ସ୍ଥାନରେ ରହିଥିଲେ।