ଓସିଏ ସମ୍ବିଧାନକୁ ନେଇ ତେଜିଲା ଅସନ୍ତୋଷ

ଘରୋଇ ହୋଟେଲ୍‌ରେ ଏକାଠି ହେଲେ ସ୍କୁଲ୍‌, କଲେଜ, କ୍ଲବ୍‌

କଟକ: ଓଡ଼ିଶା କ୍ରିକେଟ ସଂଘ (ଓସିଏ)ର ନୂଆ ସମ୍ବିଧାନକୁ ନେଇ ଏବେ ଅସନ୍ତୋଷ ତେଜିବାରେ ଲାଗିଛି। ନୂଆ ସମ୍ବିଧାନର ପୂର୍ଣ୍ଣ ସଦସ୍ୟତା ତାଲିକାରୁ ସମସ୍ତ ସ୍ୱୀକୃତିପ୍ରାପ୍ତ ସ୍କୁଲ୍‌, କଲେଜ ଓ କ୍ଲବ୍‌ମାନଙ୍କୁ ବାଦ୍‌ ଦିଆଯାଇଥିବା ଜଣାପଡ଼ିଛି। ତେଣୁ ସମ୍ବିଧାନ ପ୍ରସ୍ତୁତ କରିବା ପୂର୍ବରୁ କାହିଁକି ସେମାନଙ୍କ ସହ ଆଲୋଚନା କରାଗଲା ନାହିଁ ଓ ସାଧାରଣ ବୈଠକ ଡକାଗଲା ନାହିଁ ବୋଲି ସଂପୃକ୍ତ ଅନୁଷ୍ଠାନମାନଙ୍କର କର୍ମକର୍ତ୍ତା ଅସନ୍ତୋଷ ବ୍ୟକ୍ତ କରିବା ସହ ଶୁକ୍ରବାର ଓସିଏ କାର୍ଯ୍ୟାଳୟରେ ହୋହାଲ୍ଲା କରିଥିଲେ। ସଦସ୍ୟମାନଙ୍କୁ ନଜଣାଇ କିପରି ସମ୍ବିଧାନ ପ୍ରସ୍ତୁତ କରାଗଲା ବୋଲି ପରିଚାଳନା ସମିତି ଅଧ୍ୟକ୍ଷଙ୍କୁ ପଚରାଯାଇଥିଲା ବେଳେ ସେ ମଧ୍ୟ କିଛି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ସେହିପରି ପଠାଯାଇଥିବା ସମ୍ବିଧାନର ନକଲ ଓ ବିସିସିଆଇ ସହିତ ଯୋଗାଯୋଗ ହୋଇଥିବା ସମସ୍ତ ଇ-ମେଲ ଚିଠିର ନକଲ ଯୋଗାଇ ଦେବାକୁ ସଂପୃକ୍ତ ସଦସ୍ୟମାନେ ଦାବି କରିଥିଲେ ବି ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିପାଇଁ ଗୋଟିଏ ଦିନ ସମୟ ନେଇଛନ୍ତି। ତେବେ ଓସିଏ ପଠାଇଥିବା ସମ୍ବିଧାନକୁ ଗ୍ରହଣ ନକରିବାକୁ ଅସନ୍ତୁଷ୍ଟ ଗୋଷ୍ଠୀମାନଙ୍କ ମିଳିତ ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ବିସିସିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ରାହୁଲ ଜୋହରି, ପ୍ରଶାସନିକ ସମିତି ଅଧ୍ୟକ୍ଷ ବିନୋଦ ରାଏ, ଆମିକସ୍‌ କ୍ୟୁରି ଗୋପାଳ ସୁବ୍ରମଣ୍ୟମ୍‌ଙ୍କ ନିକଟକୁ ପଠାଯାଇଛି।

ଓସିଏ କ୍ଲବ୍‌ରେ ମନାଇବାକୁ ପ୍ରୟାସ
ବିସିସିଆଇ, ସିଓଏ, ଆମିକସ୍‌ କ୍ୟୁରିଙ୍କୁ ଅଭିଯୋଗ କଲେ ଅସନ୍ତୁଷ୍ଟ ଗୋଷ୍ଠୀ

ବିସିସିଆଇକୁ ପଠାଯାଇଥିବା ନୂଆ ସମ୍ବିଧାନରେ ଯଦିଓ ସ୍କୁଲ୍‌, କଲେଜ ଓ କ୍ଲବ୍‌ମାନଙ୍କୁ ପୂର୍ଣ୍ଣ ସଦସ୍ୟତାରୁ କାଟିଦିଆଯାଇଛି, ତଥାପି ସେମାନଙ୍କୁ ଆସୋସିଏଟ୍‌ ସଦସ୍ୟ ଭାବେ ଗ୍ରହଣ କରିବାକୁ ଆଉ ଏକ ପ୍ରସ୍ତାବ ଦିଆଯାଇଥିବା ଓସିଏ ପକ୍ଷରୁ ସୂଚନା ମିଳିଛି। କିନ୍ତୁ ଯେଉଁମାନଙ୍କୁ ନେଇ ସଂଘ ଗଠନ କରାଯାଇଛି, ସେମାନଙ୍କୁ କିପରି ପୂର୍ଣ୍ଣ ସଦସ୍ୟତାରୁ ବାଦ୍‌ ଦିଆଯାଇପାରିବ? ସେହିପରି ଅନ୍ୟ ରାଜ୍ୟମାନଙ୍କରେ କ୍ଲବ୍‌ମାନଙ୍କୁ ପୂର୍ଣ୍ଣ ସଦସ୍ୟତା ଦିଆଯାଇଥିଲା ବେଳେ ଓସିଏ କେଉଁ ନିର୍ଦେଶ ଆଧାରରେ ଏପରି କରିବାକୁ ସାହସ କଲାବୋଲି ପ୍ରଶ୍ନ କରାଯାଇଛି। କ୍ରିକେଟ କ୍ଲବ୍‌ ଅଫ ଇଣ୍ଡିଆ ଓ ନ୍ୟାସନାଲ୍‌ କ୍ରିକେଟ କ୍ଲବ୍‌ର କୌଣସି କାର୍ଯ୍ୟକ୍ରମ ହେଉନଥିବାରୁ ସର୍ବୋଚ୍ଚ ନ୍ୟାୟାଳୟ ସେମାନଙ୍କ ସଦସ୍ୟତାକୁ ନାକଚ କରିଥିଲା। କିନ୍ତୁ ଓସିଏ ଅଧିନ କ୍ଲବ୍‌, ସ୍କୁଲ୍‌ ଓ କଲେଜମାନଙ୍କୁ ପୂର୍ଣ୍ଣ ସଦସ୍ୟତାରୁ ବାଦ୍‌ ଦେବାକୁ କିଛି ସ୍ପଷ୍ଟ ନିର୍ଦେଶ ନାହିଁ। ଯଦି ବିସିସିଆଇ କିମ୍ବା କୋର୍ଟ କ୍ଲବ୍‌, ସ୍କୁଲ୍‌, କଲେଜମାନଙ୍କର ସଦସ୍ୟତା କାଟିଦେବାକୁ ସ୍ପଷ୍ଟ ନିର୍ଦେଶ ଦେବେ, ତାହେଲେ ଆମେ ଚୁପ୍‌ ରହିବୁ ବୋଲି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଓସିଏର ଜଣେ ପୂର୍ବତନ ସମ୍ପାଦକ ଆପ୍ରାଣ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। ଓସିଏ କ୍ଲବ୍‌ରେ ଶୁକ୍ରବାର କିଛି ଅସନ୍ତୁଷ୍ଟଙ୍କୁ ଡକାଇ ଆଲୋଚନା କରିଥିଲା ବେଳେ ଶନିବାର ମଧ୍ୟ ଅନୌପଚାରିକ ଭାବେ ବୈଠକ ଡକାଯାଇଛି। ହେଲେ ପଠାଯାଇଥିବା ସମ୍ବିଧାନକୁ ଯେପର୍ଯ୍ୟନ୍ତ ନାକଚ କରାନଯାଇଛି, ସେପର୍ଯ୍ୟନ୍ତ ଉକ୍ତ ବୈଠକରେ କେହି ଯୋଗଦେବେନାହିଁ ବୋଲି ଅସନ୍ତୁଷ୍ଟ ଗୋଷ୍ଠୀ ପକ୍ଷରୁ କୁହାଯାଇଛି। ତେବେ ଏହି ସମ୍ବିଧାନ ପାଇବା ପରେ ବିସିସିଆଇର ପ୍ରଶାସନିକ ସମିତି ବୁଧବାର ଓସିଏକୁ ପୁଣି ଏକ ଚିଠି ଲେଖିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ବିସିସିଆଇର ପଞ୍ଜୀକୃତ ସମ୍ବିଧାନରୁ ବିସିସିଆଇକୁ ହଟାଇ ଓସିଏ ଲେଖିବା ପାଇଁ ପରାମର୍ଶ ଦିଆଯାଇଥିଲା। ସମ୍ବିଧାନ ଅନୁଯାୟୀ, ଯେଉଁ ସ୍ଥାନ ମାନଙ୍କରେ ଓସିଏ ପରିବର୍ତ୍ତନ କରିଛି, ତାହାର ସ୍ପଷ୍ଟିକରଣ ଦେବାକୁ ପ୍ରଶାସନିକ ସମିତି ଓସିଏକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ଚିଠି ଉପରେ ଜବାବ ଦିଆଯାଇଥିବା ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ କହିଛନ୍ତି।

ସମ୍ବନ୍ଧିତ ଖବର