ପୋମସି ଟାଏକୋଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ବର: ସ୍ଥାନୀୟ ରେଳବାଇ ଷ୍ଟାଡିୟମରେ ଏକ ଉଚ୍ଚସ୍ତରୀୟ ପୋମସି ଟାଏକୋଣ୍ଡୋ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ଶିବିରରେ ୭୦ରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ। କର୍ଣ୍ଣାଟକର ପ୍ରତିଷ୍ଠିତ ପୋମସି ଟାଏକୋଣ୍ଡୋ ପ୍ରଶିକ୍ଷକ ତଥା ଷଷ୍ଠ ଡାନ୍ ବ୍ଲାକ୍ ବେଲ୍ଟ ଓ ଅନ୍ତର୍ଜାତୀୟ ରେଫରି ଡବ୍ଲ୍ୟୁଆର ମାଇତି ଏହାକୁ ପରିଚାଳନା କରିଥିଲେ। ଓଡ଼ିଶା ଟାଏକୋଣ୍ଡୋ ସଂଘ ଆନୁକୂଲ୍ୟରେ ଭୁବନେଶ୍ବର ଟାଏକୋଣ୍ଡୋ ସଂଘ ଏହାକୁ ଆୟୋଜନ କରିଥିଲା। ପ୍ରଥମ ତିନି ଦିନ ମାଇତି ପିଲାମାନଙ୍କୁ ପୋମସି ଟାଏକୋଣ୍ଡୋର ବିଭିନ୍ନ କଳା କୌଶଳ ଶିଖାଇଥିଲେ। ରବିବାର ଚତୁର୍ଥ ତଥା ଶେଷ ଦିନରେ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମାନ୍ତରାଳ ଭାବେ ଏଠାରେ ଜାତୀୟ ଟାଏକୋଣ୍ଡୋ କର୍ମଶାଳା ଏବଂ ରିଫ୍ରେସର ପାଠ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ସାରା ଭାରତର ୩୬ ଜଣ ବଛାବଛା ରେଫରି ଅଂଶଗ୍ରହଣ କରିଥିଲେ। ରବିବାର ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ଟାଏକୋଣ୍ଡୋ ସଂଘର ସଂପାଦକ ସନ୍ତୋଷ ମହାନ୍ତି ଓ ଭୁବନେଶ୍ବର ସଂଘ ସମ୍ପାଦକ ଜୟକୃଷ୍ଣ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର