ଉଚ୍ଚତମ ନ୍ୟାୟାଳୟଙ୍କୁ ସିଓଏ ପ୍ରସ୍ତାବ:ଅମାନିଆ ରାଜ୍ୟର ଭୋଟିଂ ଅଧିକାର କାଟ

ମୁମ୍ବାଇ: ବିସିସିଆଇ ଦାୟିତ୍ବରେ ଥିବା ପ୍ରଶାସନିକ ସମିତି (ସିଓଏ) ଉଚ୍ଚତମ ନ୍ୟାୟାଳୟକୁ ପ୍ରସ୍ତାବ‌ ଦେଇଛନ୍ତି ଯେଉଁ ୭ ରାଜ୍ୟ କ୍ରିକେଟ୍‌ ସଂଘ ଅଗଷ୍ଟ ୯ ତାରିଖର ନିର୍ଦେଶନାମାକୁ ମାନି ନାହାନ୍ତି ସେମାନଙ୍କ ଭୋଟିଂ ଅଧିକାର କାଟି ଦିଆଯାଉ। ସିଓଏ ଏହି ୭ ରାଜ୍ୟ ସଂଘକୁ ଚିହ୍ନଟ କରିଛି। ଲୋଧା ସୁପାରିସ ଆଧାରରେ ପ୍ରସ୍ତୁତ ନୂଆ ସମ୍ବିଧାନକୁ ଯେଉଁମାନେ ଗ୍ରହଣ କରିନାହାନ୍ତି‌ ସେମାନଙ୍କୁ ‘ଆଇନର ଉଲ୍ଳଂଘନକାରୀ’ ମାନିବାକୁ ସିଓଏ ଉଚ୍ଚତମ ନ୍ୟାୟାଳୟକୁ ଲେଖିଛନ୍ତି। ବିସିସିଆଇର ୩୪ ସଦସ୍ୟ ରାଜ୍ୟ ମଧ୍ୟରୁ କିଛି ‘ଅାଂଶିକ ଅଜ୍ଞାଧୀନ’ ଏବଂ ଅନ୍ୟ କିଛି ରାଜ୍ୟ ‘ଉଲ୍ଲେଖନୀୟ ଆଜ୍ଞାଧୀନ’ ପରିସରଭୁକ୍ତ ଅଛନ୍ତି। ଯେଉଁମାନେ ଲୋଧା ସୁପାରିସର କିଛି ସୁପାରିସକୁ ମାନିଛନ୍ତି ଏବଂ କିଛି ମାନିନାହାନ୍ତି। କିନ୍ତୁ ଯେଉଁ ରାଜ୍ୟଗୁଡ଼ିକ ଅଦ୍ୟାବଧି ମାନିନାହାନ୍ତି ସେମାନଙ୍କୁ ନିଲମ୍ବିତ କରିବା ସହିତ ବିସିସିଆଇ ଭୋଟିଂ ଅଧିକାରରୁ ବଞ୍ଚିତ ରଖିବାକୁ ସିଓଏ ପ୍ରସ୍ତାବ ଦେଇଛି। ଏହି ୩ ଶ୍ରେଣୀଭୁକ୍ତ ରାଜ୍ୟଗୁଡ଼ିକର ତାଲିକା ମଧ୍ୟ ସିଓଏ ଜାରି କରିଛି। ଓଡ଼ିଶା କ୍ରିକେଟ୍‌ ସଂଘ ଆଜ୍ଞାଧୀନ ଶ୍ରେଣୀଭୁକ୍ତ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବରେ ଗଠିତ ୩ ଜଣିଆ ଖଣ୍ଡପୀଠ ଗତ ଅଗଷ୍ଟ ୯ ତାରିଖରେ ସିଓଏର ଦ୍ବାରା ପ୍ରସ୍ତୁତ ଚିଠା ପ୍ରସ୍ତାବରେ କିଛି ସଂଶୋଧନ କରି ନୂଆ ସମ୍ବିଧାନ ଉପରେ ମୋହର ଲଗାଇଥିଲେ। ଏହି ଅନୁସାରେ ଅଗଷ୍ଟ ୨୧ ତାରିଖରେ ବିସିସିଆଇ ନୂଆ ସମ୍ବିଧାନ ସହିତ ରେଜିଷ୍ଟ୍ରାର ଅଫ ସୋସାଇଟିରେ ପଞ୍ଜିକୃତ ହୋଇଥିଲା। ରାଜ୍ୟଗୁଡ଼ିକୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ଅଜ୍ଞାପତ୍ର ପ୍ରଦାନ କରିବାକୁ କୁହାଯାଇଥିଲା। ବିସିସିଆଇ ସମ୍ବିଧାନଠାରୁ କେଉଁମାନେ ଭିନ୍ନ ସମ୍ବିଧାନ ରଖୁଛନ୍ତି ଜଣାଇବାକୁ କୁହାଯାଇଥିଲା। ଅକ୍ଟୋବର ୨୮ ତାରିଖରେ ଏକ ରିପୋର୍ଟ ଦାଖଲ କରି ସିଓଏ ଦର୍ଶାଇଛି ଯେ ୭ଟି ରାଜ୍ୟ ଅମାନିଆ ତାଲିକାରେ ରହିଛନ୍ତି। ଅମାନିଆ ରାଜ୍ୟଗୁଡ଼ିକ ମଧ୍ୟ ବିସିସିଆଇ ଅନୁଦାନରୁ ବଞ୍ଚିତ ‌ହେବେ ବୋଲି ଧମକ ଦିଆଯାଇଥିଲା। ଏବେ ସିଓଏର ‌ବର୍ତମାନର ସ୍ଥିତି ବିବରଣୀ ପାଇବା ପରେ ଉଚ୍ଚତମ ନ୍ୟାୟାଳୟ ନଭେମ୍ବର ୨୭ ତାରିଖରେ ପରବର୍ତୀ ଶୁଣାଣୀ କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ସେହିଭଳି ବିସିସିଆଇ ନିର୍ବାଚନ ରାସ୍ତା ସଫା ହୋଇ ଆସୁଥିବାରୁ ଏଥି ଲାଗି ତୁରନ୍ତ ଅମ୍ବୁଡସମ୍ୟାନ ଓ ନୈତିକ ଅଧିକାରୀ ନିଯୁକ୍ତ ଲାଗି ସିଓଏ ମଧ୍ୟ ଉଚ୍ଚତମ ନ୍ୟାୟାଳୟ ମଧ୍ୟ ଅନୁରୋଧ କରିଛନ୍ତି।
ଅମାନିଆ ରାଜ୍ୟ: ହରିଆନା, ହିମାଚଳପ୍ରଦେଶ, କର୍ଣ୍ଣାଟକ, ଗୁଜରାଟ, ମେଘାଳୟ, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ।
ଆଂଶିକ ଆଜ୍ଞାଧୀନ: ତାମିଲନାଡୁ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଗୋଆ, ମହାରାଷ୍ଟ୍ର, ବିହାର, ବେଙ୍ଗଲ, ଛତିଶଗଡ଼, ମଣିପୁର ଏବଂ ବିଦର୍ଭ।
ଉଲ୍ଲେଖନୀୟ ଆଜ୍ଞାଧୀନ: ଆନ୍ଧ୍ରପ୍ରଦେଶ, ଆସାମ, ବରୋଦା, ମିଜୋରାମ, ପୁଡୁଚେରୀ, ଦିଲ୍ଲୀ, ହାଇଦ୍ରାବାଦ, ଜମ୍ମୁ ଓ କଶ୍ମୀର, କେରଳ, ମୁମ୍ବାଇ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସୌରାଷ୍ଟ୍ର, ସିକିମ, ତ୍ରିପୁରା, ଉତ୍ତରପ୍ରଦେଶ।

ସମ୍ବନ୍ଧିତ ଖବର