ପୃଥ୍ଵୀ ଓ ହନୁମାଙ୍କୁ ଡାକରା: ବିଜୟ, କୁଲଦୀପ ବାଦ୍‌

ନଟିଂହାମ: ଇଂଲଣ୍ଡ ବିପକ୍ଷ ଶେଷ ଦୁଇ ଟେଷ୍ଟ୍‌ ଲାଗି ଦିଲ୍ଲୀର ୧୮ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ ପୃଥ୍ଵୀ ସ’ଙ୍କ ସହ ଆନ୍ଧ୍ରପ୍ରଦେଶ ଅଲରାଉଣ୍ଡର୍‌ ହନୁମା ବିହାରୀଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ ତୃତୀୟ ଟେଷ୍ଟ୍‌ରେ ଆହତ ହୋଇଥିବାରୁ ତାଙ୍କ ବିକଳ୍ପ ଭାବେ ହନୁମାଙ୍କୁ ପ୍ରଥମ ଥର ପାଇଁ ଡାକରା ମିଳିିଛି। ଅନ୍ୟ ପକ୍ଷରେ ପୃଥ୍ଵୀ ଫର୍ମ ହରା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମୁରଲୀ ବିଜୟଙ୍କ ସ୍ଥାନ ନେଇଛନ୍ତି। ବିଜୟଙ୍କ ସହ ଚାଇନାମ୍ୟାନ୍‌ ସ୍ପିନର କୁଲଦୀପ ଯାଦବଙ୍କୁ ମଧ୍ୟ ଶେଷ ଦୁଇ ଟେଷ୍ଟ୍‌ ଦଳରେ ରଖା ଯାଇ ନାହିଁ। ତୃତୀୟ ଟେଷ୍ଟ୍‌ ବିଜୟ ପରେ ଚୟନକର୍ତାମାନେ ନଟିଂହାମର ପାର୍କ ପ୍ଲାଜାଠାରେ ଏକତ୍ରିତ ହୋଇ ହନୁମା ଓ ସ’ଙ୍କୁ ଦଳରେ ସାମିଲ କରିଥିଲେ। ଅନ୍ୟ କୌଣସି ବଡ଼ ଧରଣର ପରିବର୍ତନକରି ନଥିଲେ। ୨୪ ବର୍ଷୀୟ ହନୁମା ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ ଅର୍ଧଶତକ ଅର୍ଜନ କରିଥିଲେ। ସେହିଭଳି ଭାରତ ଏ-ଦକ୍ଷିଣ ଆଫ୍ରିକା ଅଣଆନୁଷ୍ଠାନିକ ଟେଷ୍ଟରେ ୧୪୮ ରନର ଚିତ୍ତାକର୍ଷକ ପାଳି ଖେଳିଥିଲେ। ହନୁମା ୫୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୪୮୨୧, ୫୬ ଲିଷ୍ଟ ଏ ମ୍ୟାଚ୍‌ରୁ ୨୨୬୮ ଏବଂ ୬୫ ଟେ୍ଵଣ୍ଟି-୨୦ରୁ ୧୨୧୯ ରନ୍‌ କରିଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କ ସର୍ବାଧିକ ବ୍ୟକ୍ତିିଗତ ରନ୍‌ ହେଉଛି ୩୦୨*। ପୃଥ୍ଵୀ ୧୪ ପ୍ରଥମ ଶ୍ରେରୀ ମୁକାବିଲାରୁ ୧୪୧୮ ଓ ୧୯ ଲିଷ୍ଟ୍‌ ଏ ମ୍ୟାଚ୍‌ରୁ ୬୫୧ ରନ୍‌ କରିଛନ୍ତି। ଚତୁର୍ଥ ଏବଂ ପଞ୍ଚମ ଟେଷ୍ଟ୍‍ ଯଥାକ୍ରମେ ସାଉ୍‌ଥମ୍ପଟନରେ ଆସନ୍ତା ୩୦ରୁ ଏବଂ ଲଣ୍ଡନର ଓଭାଲରେ ସେପ୍ଟେମ୍ବର ୧୧ରୁ ଆରମ୍ଭ ହେବ।

ଶେଷ ଦୁଇ ଟେଷ୍ଟ୍‌ ଲାଗି ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ପୃଥ୍ଵୀ ସ’, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ (ଉପ ଅଧିନାୟକ), କରୁଣ ନାୟର, ଦୀନେଶ କାର୍ତିକ, ଋଷବ ପନ୍ତ, ଆର ଅଶ୍ୱିନ, ରବୀନ୍ଦ୍ର ଜାଦେଜା, ହାର୍ଦିକ ପାଣ୍ଡ୍ୟା, ଈଶାନ୍ତ ଶର୍ମା, ମହମ୍ମଦ ସାମି, ଉମେଶ ଯାଦବ, ଯସପ୍ରୀତ ବୁମରା, ସାର୍ଦୁଲ ଠାକୁର, ହନୁମା ବିହାରୀ।

ସମ୍ବନ୍ଧିତ ଖବର