ସର୍ଫରାଜଙ୍କୁ ‘ମୋଟା’ କହିଲେ ପ୍ରଶଂସକ

ଲଣ୍ଡନ: ଭାରତଠାରୁ ପରାଜିତ ‌ହେବା ପରେ ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦ କ୍ରମାଗତ ଭାବେ ପ୍ରଶଂସକଙ୍କ କ୍ରୋଧର ଶିକାର ହେଉଛନ୍ତି। କେବଳ ପୂର୍ବତନ କ୍ରିକେଟର ନୁହଁ, ପ୍ରଶଂସକମା‌ନେ ମଧ୍ୟ ପ୍ରତିଦିନ ତାଙ୍କ ଶାରୀରିକ ସୁସ୍ଥତା ନେଇ ପ୍ରଶ୍ନ ଉଠାଉଛନ୍ତି। ବିଶେଷ କରି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ସେ ବାରମ୍ବାର ହାଇ ମାରିବାକୁ ପ୍ରଶଂସକ ସହଜରେ ଗ୍ରହଣ କରି ପାରି ନାହାନ୍ତି। ପ୍ରଶଂସକ ଏକ ତୀବ୍ର ପ୍ରତିଦ୍ବନ୍ଦ୍ବିତା ପୂର୍ଣ୍ଣ ମ୍ୟାଚ୍ ଦେଖିବା ଆଶାରେ ଥିଲା ବେଳେ ଭାରତ ଆଗରେ ପାକିସ୍ତାନ ପୂରା ଆତ୍ମସମର୍ପଣ କରିଥିଲା। ଏଥିପାଇଁ ପାକ୍ ପ୍ରଶଂସକ ସର୍ଫରାଜଙ୍କୁ ହିଁ ଦାୟୀ କରିଛନ୍ତି। ଓଲ୍ଡ ଟ୍ରାଫର୍ଡରେ ପାକିସ୍ତାନ ୮୯ ରନ୍ (ଡି/ଏଲ୍)ରେ ପରାଜିତ ହେବା ପରେ ସର୍ଫରାଜଙ୍କୁ ପ୍ରଶଂସକମାନେ ଅପମାନିତ କରୁଥିବାର ଏକ ଭିଡିଓ ପଦାକୁ ଆସିଛି। ଯାହା ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚିତ ହେବାରେ ଲାଗିଛି। ଏଥିରେ ପ୍ରଶଂସକ ସର୍ଫରାଜ ତୁମେ ମୋଟା, ମାଞ୍ଚେଷ୍ଟର ପିଚ୍‌ରେ ଟସ୍ ଜିତିବା ପରେ କାହିଁକି ବ୍ୟାଟିଂ ନ କରି ବୋଲିଂ କଲ’ ବୋଲି କହୁଥିବା ଶୁଣିବାକୁ ମିଳୁଛି। ତେବେ ସର୍ଫରାଜ ଏହାକୁ ଅଣଦେଖା କରି ଆଗକୁ ଚାଲିଯାଉଛନ୍ତି।

ସମ୍ବନ୍ଧିତ ଖବର