ରଣଜୀ ଫାଇନାଲ୍‌: ପୁଣି ପୂଜାରା ବିଫଳ; ବିଜୟ ଦ୍ବାରରେ ବିଦର୍ଭ

ନାଗପୁର: ନାଗପୁରର ବିଦର୍ଭ କ୍ରିକେଟ୍‌ ସଂଘ ଷ୍ଟାଡିୟମ୍‌ରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲ୍‌ରେ ‌ସୌରାଷ୍ଟ୍ର ତାରକା ଚେତେଶ୍ବର ପୂଜାରଙ୍କ ବିଫଳତା ଜାରି ରହିଛି। ପ୍ରଥମ ପାଳିରେ ମାତ୍ର ୧ ରନ୍‌ କରିଥିବା ସୌରା‌ଷ୍ଟ୍ରର ଏହି ଭରସାଯୋଗ୍ୟ ଖେଳାଳି ଦ୍ବିତୀୟ ପାଳିରେ ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଛନ୍ତି। ୨୦୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳୁଥିବା ସୌରାଷ୍ଟ୍ର ବୁଧବାର ଚତୁର୍ଥ ଦିବସ ଷ୍ଟମ୍ପ୍‌ ଅପସାରଣ ବେଳକୁ ୫ ୱିକେଟ୍‌ ବିନିମୟରେ ୫୮ ରନ୍‌ କରି ସଙ୍କଟରେ ପଡ଼ିଛି। ଅନ୍ୟପକ୍ଷରେ ବିଦର୍ଭ ଲଗାତାର ଦ୍ବିତୀୟ ଥର ଲାଗି ଟ୍ରଫି ଜିତିବାର ସମ୍ଭାବନା ସୃଷ୍ଟି କରିଛି। ପ୍ରଥମ ପାଳିରେ ବିଦର୍ଭ ଅକ୍ଷୟ କାର୍ନେକରଙ୍କ (୭୩*) ଅର୍ଧଶତକ ବଳରେ ୩୧୨ ରନ୍‌ କରିଥିଲା ବେଳେ ସୌରାଷ୍ଟ୍ର ସ୍ନେଲ୍ ପଟେଲ (୧୦୨)ଙ୍କ ଶତକ ସହାୟତାରେ ୩୦୭ ରନ୍‌ କରିଥିଲା। ୫ ରନ୍‌ରେ ଆଗୁଆ ଥିବା ବିଦର୍ଭ ମଙ୍ଗଳବାରର ଷ୍ଟମ୍ପ୍‌ସ ଅପସରଣ ବେଳକୁ ୫୫/୨ କରିଥିଲା। ବୁଧବାର ଏଥିରେ ଆଉ ମାତ୍ର ୧୪୫ ରନ୍‌ ଯୋଡ଼ି ବଳକା ୮ ୱିକେଟ୍‌ ହରାଇଥିଲା। ଗଣେଶ ସତୀଶ ୩୫, ମୋହିତ କାଲେ ୩୮ ଏବଂ ସରୱାତେ ୪୯ ରନ୍‌ କରିଥିଲେ। ସୌରାଷ୍ଟ୍ର ପକ୍ଷରୁ ସଫଳ ବୋଳର ଭା‌ବେ ଧର୍ମେନ୍ଦ୍ରସିଂହ ଜାଦେଜା ୬ ଏବଂ କମଲେଶ୍‌ ମକ୍‌ୱାନା ୨ ୱିକେଟ୍‌ ପାଇଥିଲେ। ୨୦୬ ରନ୍‌ର ବିଜୟ ଲକ୍ଷ୍ୟକୁ ‌ନେଇ ଖେଳୁଥିବା ସୌରାଷ୍ଟ୍ର ବୁଧବାରର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ୫୮ ରନ୍‌ରେ ୫ ୱିକେଟ୍‌ ହରାଇଛି। ମ୍ୟାଚ୍‌ ଆଉ ଗୋଟିଏ ଦିନ ଥିଲା ବେଳେ ଦଳ ବିଜୟଠୁ ୧୪୮ ରନ୍‌ ପଛରେ ରହିଛି। ବିଶ୍ବରାଜ ଜାଦେଜା ୨୩* ଓ କମଲେସ ମାକୱାନା ୨* ରନ୍‌ରେ ଅପରାଜିତ ରହିଛନ୍ତି। ପ୍ରଥମ ପାଳିରେ ୫ ୱିକେଟ୍‌ ସଫଳତା ପାଇଥିବା ବିଦର୍ଭର ବାମହାତୀ ‌ସ୍ପିନର ଆଦିତ୍ୟ ସରୱାତେ ଦ୍ବିତୀୟ ପାଳିରେ ୩ ୱିକେଟ୍‌ ଅକ୍ତିଆର କରିଥିଲା ବେଳେ ଉମେଶ ଯାଦବ ଓ ଅକ୍ଷୟ ୱାଖାରେ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି। ବୁଧବାର ଚତୁର୍ଥ ଦିବସରେ ମୋଟ ୧୩ ୱିକେଟ୍‌ର ପତନ ଘଟିଛି।

ସଂକ୍ଷିପ୍ତ ସ୍କୋର: ବିଦର୍ଭ ପ୍ରଥମ ପାଳି ୧୨୦.୨ ଓଭରରେ ୩୧୨ (ଅକ୍ଷୟ କାର୍ନେକର ୭୩*, ଅକ୍ଷୟ ୱାଦକର ୪୫, ଜୟଦେବ ଉନାଦକଟ ୩/୫୪, ଚେତନ ସକାରିଆ ୨/୪୪)। ଦ୍ବିତୀୟ ପାଳି ୯୨.୫ ଓଭରରେ ୨୦୦ (ଆଦିତ୍ୟ ସରୱାତେ ୪୯*, ମୋହିତ କାଲେ ୩୮, ଗଣେଶ ସତୀଶ ୩୫, ଧର୍ମେନ୍ଦ୍ରସିଂହ ଜାଦେଜା ୬/୯୬, କମଲେଶ୍‌ ମକ୍‌ୱାନା ୨/୫୧)। ସୌରାଷ୍ଟ୍ର ପ୍ରଥମ ପାଳି ୧୧୭ ଓଭରରେ ୩୦୭ (ସ୍ନେଲ୍ ପଟେଲ ୧୦୨, ଜୟଦେବ ଉନାଦକଟ ୪୬, ଆଦିତ୍ୟ ସରୱାତେ ୫/୯୮, ଅକ୍ଷୟ ୱାଖରେ ୪/୮୦, ଉମେଶ ଯାଦବ ୧/୫୯)। ଦ୍ବିତୀୟ ପାଳି ୨୮ ଓଭରରେ ୫୮/୫ (ବିଶ୍ବରାଜ ଜାଦେଜା ୨୩*, ଆଦିତ୍ୟ ସରୱାତେ ୩/୧୩।

ସମ୍ବନ୍ଧିତ ଖବର