ପୁନେ ପ୍ରଥମ ଥର ସେମିରେ

ମୁମ୍ବାଇ: ରବିବାର ସଂଧ୍ୟାରେ ଚଳିତ ଋତୁର ସର୍ବବୃହତ୍‌ ପରାଜୟ ବରଣ କରିବା ସତ୍ତ୍ୱେ ପୁନେ ଏଫ୍‌ସି ପ୍ରଥମ ଥର ପାଇଁ ଆଇଏସ୍‌ଏଲ୍‌ର ସେମିଫାଇନାଲରେ ପ୍ରବେଶ କରିଛି। ଏହି କ୍ଷେତ୍ରରେ ପୂର୍ବ ପ୍ରଦର୍ଶନ ହିଁ ପୁନେକୁ ସହାୟକ ହୋଇଛି। ରବିବାର ପୁନେ ୦-୪ ଗୋଲ୍‌ରେ ଗୋଆ ଏଫ୍‌ସିଠାରୁ ହାରି ଯାଇଥିଲା। ଫଳରେ ୧୭ ମ୍ୟାଚ୍‌ରୁ ୯ ବିଜୟ ସହ ୨୯ ପଏଣ୍ଟରେ ଅପରିବର୍ତିତ ରହିଛି। ଏହି ଦଳ ଲିଗ୍‌ ପର୍ଯ୍ୟାୟରେ ଆଉ ଏକ ମ୍ୟାଚ୍‌ ଖେଳିବାର ଅଛି। ତେବେ ଶେଷ ମ୍ୟାଚ୍‌ରେ ପରାଜିତ ହେଲେ ମଧ୍ୟ ପୁନେର ସେମିଫାଇନାଲ୍‌ ପ୍ରବେଶକୁ କେହି ଅଟକାଇ ପାରିବେ ନାହିଁ। ସଂପ୍ରତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ପୁନେ ୨୯ ପଏଣ୍ଟ ଆଗକୁ ନବଢ଼ିଲେ ମଧ୍ୟ ଶ୍ରେଷ୍ଠ ୪ ଦଳ ମଧ୍ୟରେ ତା’ର ଲିଗ୍‌ ଅଭିଯାନ ଶେଷ କରିବ। ଫଳରେ ସେମି ଖେଳିବାର ଟିକେଟ ହାସଲ କରିନେବ। ଶେଷ ମୁକାବିଲାରେ ଦିଲ୍ଲୀଠାରୁ ପୁନେ ହାରିଲେ, ମୁମ୍ବାଇଠାରୁ ଚେନ୍ନାଇ ହାରିଲେ, ଗୋଆକୁ ଜାମସେଦପୁର ପରାସ୍ତ କଲେ ଚାରିଟି ଦଳ ୨୯ ପଏଣ୍ଟରେ ରହିବେ। ଏହି କ୍ଷେତ୍ରରେ ପରସ୍ପର ବିପକ୍ଷରେ ଖେଳିଥିବା ମ୍ୟାଚ୍‌ର ଫଳାଫଳକୁ ବିଚାରକୁ ନିଆଯିବ। ଏହି ତିନିଟି ଦଳକୁ ପୁନେ ଲିଗ୍‌ ପର୍ଯ୍ୟାୟରେ ପରାସ୍ତ କରିଥିବାରୁ ସେମିଫାଇନାଲ୍‌ ଟିକେଟ ଅପଣାଛାଏଁ ହାସଲ କରିନେବ।

ସମ୍ବନ୍ଧିତ ଖବର