କୋଲକତାକୁ ୯ ଓ୍ଵିକେଟରେ ହରାଇଲା ପଂଜାବ

କୋଲକତା : ସ୍ଥାନୀୟ ଐତିହାସିକ ଇଡେନ ଗାଡେନ୍ସଠାରେ ଅନୁଷ୍ଠିତ ଆଇପିଏଲ ୨୦୧୮ର ଏକ ଲିଗ ମ୍ୟାଚରେ କିଙ୍ଗସ ଏକାଦଶ ପଂଜାବ କୋଲକତା ନାଇଟ୍‌ ରାଇଡର୍ସକୁ ୯ ଓ୍ଵିକେଟରେ ପରାସ୍ତ କରିଛି । କୋଲକତା ନାଇଟ ରାଇଡର୍ସ କିଙ୍ଗସ ଏକାଦଶ ପଂଜାବ ସମ୍ମୁଖରେ ୧୯୨ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ପଂଜାବ ଦ୍ରୁତ ଗତିରେ ବ୍ୟାଟିଂ ଆରମ୍ଭ କରିଥିଲା । କିନ୍ତୁ ୧୧ ଓଭର ବେଳକୁ ବର୍ଷା ହେବାରୁ ମ୍ୟାଚ ବନ୍ଦ ହୋଇଥିଲା । ଏହି ସମୟ ସୁଦ୍ଧା ପଂଜାବ ୧ ଓ୍ଵିକେଟ ହରାଇ ୧୨୬ ରନ କରିଥିଲା । ଦଳ ପକ୍ଷରୁ ଲୋକେଶ ରାହୁଲ ୨୭ ବଲରେ ୬୦ ରନ ଓ କ୍ରିସ ଗେଲ୍‌ ୩୮ ବଲରେ ୬୨ରନ କରିଥିଲେ । ଡିଏଲ ନିୟମ ଅନୁସାରେ ପଂଜାବକୁ ବିଜୟୀ ଘୋଷିତ କରାଯାଇଥିଲା ।
ଏହା ପୂର୍ବରୁ କିଙ୍ଗସ ଏକାଦଶ ପଂଜାବ ପ୍ରଥମେ ଟସ ଜିଣି କୋଲକତା ନାଇଟ ରାଇଡର୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଇନିଙ୍ଗସ ଆରମ୍ଭରୁ କୋଲକତା ସୁନିଲ ନାରିନଙ୍କ ଓ୍ଵିକେଟ ହରାଇଥିଲା । କିନ୍ତୁ ଓପନର କ୍ରିସ ଲିନ ଓ ରବିନ ଉଥାପ୍ପା ସତର୍କତାର ସହ ଖେଳି ଦଳର ସ୍ଥିତିକୁ ମଝବୁତ କରିଥିଲେ । କ୍ରିସ ଲିନ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୧ ବଲରେ ୭୪ ରନ ସଂଗ୍ରହ କରିଥିବାବେଳେ ଉଥାପ୍ପା ୨୩ ବଲରେ ୩୪ ରନ ସଂଗ୍ରହ କରିଥିଲେ । ପରବର୍ତ୍ତି ସମୟରେ ଅଧିନାୟକ ଦିନେଶ କାର୍ତ୍ତିକ ଲଢୁଆ ବ୍ୟାଟିଂ କରି ୨୮ ବଲରେ ୪୩ ରନ ସଂଗ୍ରହ କରି ନିଜ ଦଳକୁ ଏକ ମଝବୁତ ସ୍ଥିତିକୁ ନେଇ ଯାଇଥିଲେ । ତେବେ କାର୍ତ୍ତିକ ଆଉଟ ହେବା ପରେ ଦଳ ଅଳ୍ପ ରନ ବ୍ୟବଧାନରେ ୨ଟି ଓ୍ଵିକେଟ ହରାଇଥିଲା । ପଂଜାବ ପକ୍ଷରୁ ବରିନ୍ଦର ସ୍ରାନ ଓ ଆଣ୍ଡ୍ରୁ ଟାଇ ୨ ଲେଖାଏଁ ଓ୍ଵିକେଟ ସଂଗ୍ରହ କରିଥିଲେ । ସେହିପରି ମୁଜିବୁର ରେହମାନ ଓ ରବିଚନ୍ଦ୍ରନ ଅଶ୍ୱୀନ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର