ପୁଷ୍ପକୁମାରଙ୍କୁ ‘ପର୍‌ଫେକ୍ଟ୍‌ ଟେନ୍‌’

କଲମ୍ବୋ: ଶ୍ରୀଲଙ୍କାର ଅନ୍ତର୍ଜାତୀୟ ଅଭିଜ୍ଞ ବାମହାତୀ ସ୍ପିନର ମାଲିନ୍ଦା ପୁଷ୍ପକୁମାର ଦେଶର ଏକ ଘରୋଇ କ୍ରିକେଟ୍‌ରେ ‘ପରଫେକ୍ଟ ଟେନ୍‌’ (ଗୋଟିଏ ପାଳିର ସମସ୍ତ ୧୦ ୱିକେଟ୍) ସଫଳତା ଅର୍ଜନ କରିଛନ୍ତି। କଲମ୍ବୋ କ୍ରିକେଟ୍ କ୍ଲବ୍ ପାଇଁ ଖେଳୁଥିବା ଏହି ତାରକା ବୋଲର ସାରାସେନ୍ସ ସ୍ପୋର୍ଟସ କ୍ଲବ୍‌ର ସମସ୍ତ ୧୦ ୱିକେଟ୍‌କୁ ୩୭ ରନ୍‌ରେ ଦଖଲ କରି ନେଇଥିଲେ। ଫଳରେ ସାରାସେନ୍ସ ଦଳ ଦ୍ବିତୀୟ ପାଳିରେ ମାତ୍ର ୧୧୩ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ୩୪୯ ରନ୍‌କୁ ପିଛା କରିଥିବା ଏହି ଦଳ ପରାଜୟ ବରଣ କରିଥିଲା। ପ୍ରଥମ ପାଳିରେ ୬ ୱିକେଟ୍ ନେଇଥିବାରୁ ପୁଷ୍ପକୁମାର ମଧ୍ୟ ମ୍ୟାଚ୍‌ରେ ୧୬/୧୧୦ ବୋଲିଂ ଚିତ୍ର ପାଇ ସ୍ମରଣୀୟ ସଫଳତା ଛାଡ଼ିଛନ୍ତି। ଗତବର୍ଷ ଟେଷ୍ଟ୍‌ ପଦାର୍ପଣ କରିଥିବା ୩୧ ବର୍ଷୀୟ ପୁଷ୍ପକୁମାର ମଧ୍ୟ ଏହି ସଫଳତା ଅବସରରେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୭୦୦ ୱିକେଟ୍ ଅତିକ୍ରମ କରିଥିଲେ। ସେ ଏବେ ସୁଦ୍ଧା ୧୯.୧୯ ହାରରେ ମୋଟ ୭୧୫ ୱିକେଟ୍‌ ନେଇ ସାରିଛନ୍ତି। ମଙ୍ଗଳବାର ମ୍ୟାଚ୍ ଅବସରରେ ପରାଜିତ ସାରାସେନ୍ସ ଦଳର ଚାମିକରା ଏଦିରିସିଂଘେ ମଧ୍ୟ ପରଫେକ୍ଟ ଟେନ୍‌ର ନିକଟତର ହୋଇ ବଞ୍ଚିତ ହୋଇଥିଲେ। ସେ ୯ ୱିକେଟ୍‌ ନେଇଥିଲେ, ସାଥୀ ଖେଳାଳି ଆସେନ୍ ବନ୍ଦାରା ଅପରପାର୍ଶ୍ବରୁ ଶେଷ ୱିକେଟ୍‌ଟି ଦଖଲ କରିନେବାରୁ ଐତିହାସିକ ମୁହୂର୍ତରୁ ସେ ବଞ୍ଚିତ ହୋଇଥିଲେ।
ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ପରଫେକ୍ଟ ଟେନ୍‌ ହାସଲରେ ପୁଷ୍ପକୁମାର ବିଶ୍ବର ତ୍ରୟୋଦଶ ବୋଲର ହୋଇଛନ୍ତି। ୧୯୩୨ ମସିହାରେ ନଟିଂହାମସାୟାର ବିପକ୍ଷରେ ୟର୍କସାୟାରର ହେଡଲି ଭେରିଟି ୧୦ ରନ୍ ବିନିମୟରେ ୧୦ ୱିକେଟ୍ ନେଇ ଶୀର୍ଷରେ ରହିଛନ୍ତି। କ୍ରିକେଟ୍‌ରେ ଏହା ବିରଳ କୀର୍ତିମାନ ହୋଇଥିବା ବ‌େଳେ ଟେଷ୍ଟ୍ କ୍ରିକେ‌ଟରେ ମାତ୍ର ୨ ଥର ଏଭଳି ଘଟିଛି। ଇଂଲଣ୍ଡର ଜିମ୍‌ ଲେକର (୧୦/୫୬ ବନାମ ଅଷ୍ଟ୍ରେଲିଆ, ଓଲ୍‌ଡ ଟ୍ରାଫୋର୍ଡ, ୧୯୫୬) ଏବଂ ଭାରତର ଅନିଲ କୁମ୍ବଲେ (୧୦/୭୪ ବନାମ ପାକିସ୍ତାନ, ନୂଆଦିଲ୍ଲୀର ଫିରୋଜ ସାହା କୋଟଲା, ୧୯୯୯) ଏହି କ୍ଲବ୍‌ର ସଦସ୍ୟ ରହିଛନ୍ତି।

ମନେ ପଡ଼ିଲେ ଦେବାଶିଷ
କ୍ରିକେଟ୍‌ରେ ପରଫେକ୍ଟ ଟେନ୍ ସଫଳତା କଥା ଆସିଲେ ନିଶ୍ଚିତ ମନେ ପଡ଼ିବେ ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି। ବିଶ୍ବର ୧୩ ଜଣ ଏହି ବିରଳ କ୍ଲବ୍‌ର ସଦସ୍ୟ ହୋଇଥିବା ବେଳେ ଯେଉଁ ୫ ଜଣ ଭାରତୀୟ ଏଥିରେ ରହିଛନ୍ତି ସେମାନଙ୍କ ମଧ୍ୟରେ ଏହି ଅବସରପ୍ରାପ୍ତ ସୁଇଙ୍ଗ୍‌ ବୋଲର ଅନ୍ୟତମ। ସେ ମଧ୍ୟ ଶେଷ ଥର ପାଇଁ ଭାରତର ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ଏଭଳି ସଫଳତା ଆଣିଥିଲେ। ଅଗରତାଲାଠାରେ ୨୦୦୦-୦୧ ଋତୁର ଦଲିପ ଟ୍ରଫିର ଏକ ମ୍ୟାଚ୍‌ରେ ପୂର୍ବାଞ୍ଚଳ ପାଇଁ ଖେଳୁଥିବା ବେଳେ ଦେବାଶିଷ ପ୍ରତିପକ୍ଷ ଦକ୍ଷିଣାଞ୍ଚଳର ସମସ୍ତ ୧୦ ୱିକେଟ୍ ନେଇଥିଲେ। ଏହି ଦଳରେ ରାହୁଲ ଦ୍ରାବିଡ଼, ଭିଭିଏସ୍ ଲକ୍ଷ୍ମଣ, ଏସ୍‌ ଶ୍ରୀରାମଙ୍କ ଭଳି ବ୍ୟାଟ୍‌ସମ୍ୟାନ ଥିଲେ। ପ୍ରଥମ ପାଳିରେ ୧୦/୪୬ ଏବଂ ଦ୍ବିତୀୟ ପାଳିରେ ୪/୪୫ ସହିତ ଦେବାଶିଷ ୧୪/୯୧ ଚିତ୍ର ନେଇ ଶିବସୁନ୍ଦର ଦାସଙ୍କ ନେତୃତ୍ବାଧୀନ ପୂର୍ବାଞ୍ଚଳକୁ ବିଜୟୀ କରାଇଥିଲେ। ପରଫେକ୍ଟ ଟେନ୍ ତାଲିକାରେ ଥିବା ଅନ୍ୟ ୩ ଭାରତୀୟ ହେଲେ-ପିଏମ୍ ଚାଟାର୍ଜୀ (୧୦/୨୦, ବେଙ୍ଗଲ ବନାମ ଆସାମ, ୧୯୫୬-୫୭), ଏସ୍‌ପି ଗୁପ୍ତେ (୧୦/୭୮ ବମ୍ବେ ବନାମ ପିସିଏସ-ବାହାବଳପୁର ଏକାଦଶ, ୧୯୫୪-୫୫), ପି ସୁନ୍ଦରମ (୧୦/୭୮, ରାଜସ୍ଥାନ ବନାମ ବିଦର୍ଭ, ୧୯୮୫-୮୬)।

ସମ୍ବନ୍ଧିତ ଖବର