ପୁଷ୍ପଲତା ସ୍ମାରକୀ କ୍ରିକେଟ୍‌: ସେମିଫାଇନାଲରେ ୟଙ୍ଗ୍‌ ଭେଟେରାନ୍‌

ଭୁବନେଶ୍ୱର: ପୁରୁଣା ଭୁବନେଶ୍ୱରର ଟାଉନ୍‌ କ୍ଲବ୍‌ ପକ୍ଷରୁ ଆୟୋଜିତ ହେଉଥିବା ତୃତୀୟ ପୁଷ୍ପଲତା ଗରାବଡ଼ୁ ମାଷ୍ଟର୍ସ କ୍ରିକେଟ୍‌ ପ୍ରତିଯୋଗିତାର ଦ୍ୱିତୀୟ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇ ୟଙ୍ଗ୍‌ ଭେଟେରାନ୍‌ ଦଳ ସେମିଫାଇନାଲରେ ପ୍ରବେଶ କରିଛି। ସୋମବାରର ଏହି ମୁକାବିଲାରେ ୟଙ୍ଗ୍‌ ଭେଟେରାନ୍‌ ୯ ଓ୍ଵିକେଟ୍‌ରେ ସ୍କାନ୍‌ ସ୍ପୋର୍ଟିଂ ଭୁବନେଶ୍ୱରକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲା। ଆଜି ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ସ୍କାନ୍‌ ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୩୮ ରନ୍‌ କରିଥିଲା। ଦଳ ପକ୍ଷରୁ ମୋହନ ସାହୁ ସର୍ବାଧିକ ୬୪ (୫୪ ବଲ୍‌) ରନ୍‌ କରିଥିଲେ। ନିର୍ମଳ ବିଶ୍ୱାଳ ୧୯ ରନ୍‌ର ଯୋଗଦାନ ଦେଇଥିଲେ। ୟଙ୍ଗ୍‌ ଭେଟେରାନ୍‌ ପକ୍ଷରୁ ଆଶିଷ ପଟ୍ଟନାୟକ ଘାତକ ବୋଲିଂ କରି ମାତ୍ର ୧୩ ରନ୍‌ରେ ୪ ଓ୍ଵିକେଟ୍‌ ନେଇଥିଲେ।

ସୌମିତ୍ର ସେଠୀ ୨୫ ରନ୍‌ ବିନିମୟରେ ୩ ଓ ପୂର୍ଣ୍ଣ ମହାରଣା ୧୮ ରନ୍‌ ଦେଇ ଗୋଟିଏ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ୧୩୯ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ୟଙ୍ଗ୍‌ ଭେଟେରାନ୍‌ ଅଧିନାୟକ ରଞ୍ଜନ ନାୟକ ଏବଂ ନାରାୟଣ ମହାରଣାଙ୍କ ଅବିଭାଜିତ ୧୧୨ ରନ୍‌ର ଦ୍ୱିତୀୟ ଓ୍ଵିକେଟ୍‌ ଭାଗୀଦାରି ବଳରେ ୧୭,୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ରଞ୍ଜନ ୬୪* (୪୭ ବଲ୍‌) ଏବଂ ନାରାୟଣ ମହାରଣା ୫୦* (୪୮ ବଲ୍‌) ରନ୍‌ କରିଥିଲେ। ଉଭୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ସ୍କାନ୍‌ ପକ୍ଷରୁ ଏକମାତ୍ର ଓ୍ଵିକେଟ୍‌ ମୋହନ ସାହୁ ଅକ୍ତିଆର କରିଥିଲେ। ତପନ ବେହେରା ଓ ଅଭିମନ୍ୟୁ ବେହେରା ଖେଳ ପରିଚାଳନା କରିଥିଲେ। ୟଙ୍ଗ୍‌ ଭେଟେରାନ୍‌ ଦଳର ଆଶିଷ ପଟ୍ଟନାୟକଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏକାମ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଆଶୋକ ପ୍ରଧାନ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ।

ସମ୍ବନ୍ଧିତ ଖବର