ଚର୍ଚ୍ଚାରେ ପି.ଭି ସିନ୍ଧୁ; ଲି ନିଙ୍ଗ୍‌ କମ୍ପାନି ସହ ୪ ବର୍ଷ ପାଇଁ ୫୦ କୋଟି ଟଙ୍କାର ଚୁକ୍ତି କଲେ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପି.ଭି.ସିନ୍ଧୁ ପୂର୍ବରୁ ଅନେକ ଥର ନିଜର ସଫଳତା ପାଇଁ ଦେଶର ଗର୍ବ ପାଲଟି ସାରିଛନ୍ତି। ନିକଟରେ ସିନ୍ଧୁଙ୍କୁ ମିଳିଛି ଆଉ ଏକ ବିରାଟ ସଫଳତା। ଜାଣିବାକୁ ମଳିଛି ଯେ ଖେଳ ସାମଗ୍ରୀ ତିଆରି କରୁଥିବା ଚୀନ କମ୍ପାନି ‘ଲି ନିଙ୍ଗ୍‌’ ସିନ୍ଧୁଙ୍କ ସହ ୫୦ କୋଟି ଟଙ୍କାର ଚୁକ୍ତି କରିଛି। ସିନ୍ଧୁଙ୍କ ପୂର୍ବରୁ ଏହି କମ୍ପାନି ନିକଟ ଅତୀତରେ ଭାରତୀୟ ଖେଳାଳି କିଦାମ୍ବି ଶ୍ରୀକାନ୍ତଙ୍କ ସହ ୩୫ କୋଟି ଟଙ୍କାର ଚୁକ୍ତି କରିଥିଲା।

ସିନ୍ଧୁଙ୍କ ସହ କମ୍ପାନି ୫୦ କୋଟି ବିନିମୟରେ ୪ ବର୍ଷ ପର୍ଯ୍ୟନ୍ତ ଚୁକ୍ତି କରିଛି ବୋଲି ‘ଲି ନିଙ୍ଗ୍‌’ର ଭାଗିଦାରୀ ଭାରତୀୟ କମ୍ପାନି ‘ସନ୍‌ଲାଇଟ୍‌ ସ୍ପୋର୍ସ ପ୍ରାଇଭେଟ୍‌ ଲିମିଟେଡ୍‌’ର ନିର୍ଦ୍ଦେଶକ ମହେନ୍ଦ୍ର କପୁର ସୂଚନା ଦେଇଛନ୍ତି। ଗଣମଧ୍ୟମରେ ସୂଚନା ଦେଇ କପୁର କହିଛନ୍ତି, ‘ପି.ଭି ସିନ୍ଧୁଙ୍କ ସହ ପୁଣି ଥରେ ଯୋଡ଼ି ହୋଇଥିବାରୁ ଆମେ ଖୁବ୍‌ ଖୁସି। ସିନ୍ଧୁଙ୍କ ସହ ହୋଇଥିବା ଏହି ୪ ବର୍ଷର ଚୁକ୍ତି ପାଖାପାଖି ୫୦ କୋଟି ଟଙ୍କାର। ସିନ୍ଧୁଙ୍କୁ ସିଧାସଳଖ ୪୦ କୋଟି ଦିଆଯିବାକୁ ଥିବା ବେଳେ ଆଉ ୧୦ କୋଟି ଉପକରଣ ବାବଦରେ ପ୍ରଦାନ କରାଯିବ।’

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଅଲମ୍ପିକ୍‌ରେ ରୌପ୍ୟ ଓ ବିଶ୍ୱ ଚାମ୍ପିୟନ୍‌ସିପ୍‌ରେ ରୌପ୍ୟ ଜିତିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳି। ଅଲମ୍ପିକ୍‌ ପରେ ସିନ୍ଧୁ ସ୍ପୋର୍ଟସ ମ୍ୟାନେଜ୍‌ମେଣ୍ଟ୍‌ କମ୍ପାନି ‘ବାସେଲିନ୍‌ ଭେଞ୍ଚର୍‌’ ସହ ମଧ୍ୟ ଏକ ଆଖିଦୃଶିଆ ଚୁକ୍ତି କରିଥିଲେ।

‘ଲି ନିଙ୍ଗ୍‌’ କମ୍ପାନି ସହ ଚୁକ୍ତି ପରେ ସିନ୍ଧୁ ନିଜର ଖୁସି ବ୍ୟକ୍ତ କରିଛନ୍ତି। କମ୍ପାନି ପକ୍ଷରୁ ସିନ୍ଧୁ ଓ ଶ୍ରୀକାନ୍ତଙ୍କ ସମସ୍ତ ପ୍ରକାର ପ୍ରଶିକ୍ଷଣ ସମର୍ଥନ ମିଳିବ ବୋଲି କୁହାଯାଇଛି। ଆଗାମୀ ବର୍ଷ ସିନ୍ଧୁ ଓ ଶ୍ରୀକାନ୍ତ ଅଲମ୍ପିକରେ ସ୍ୱର୍ଣ୍ଣ ପାଇବା ପାଇବା ଆମର ଲକ୍ଷ୍ୟ ବୋଲି କମ୍ପାନି ଘୋଷଣା କରିଛି। ଖେଳ ପାଇଁ ଉପଯୁକ୍ତ ସମର୍ଥନ ସହ ଉଚିତ ପ୍ରଶିକ୍ଷକ ପ୍ରଦାନ କରି ଆମ ଆଡୁ ପୂର୍ଣ୍ଣ ଚେଷ୍ଟା ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ସିନ୍ଧୁଙ୍କର ‘ଲି ନିଙ୍ଗ୍‌’ କମ୍ପାନି ସହ ଚୁକ୍ତି ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ତାଙ୍କ ବାପା ପି.ଭି ରମନ। ସେ କହିଛନ୍ତି, ‘ଲି ନିଙ୍ଗ୍‌ କମ୍ପାନି ସବୁବେଳେ ଖେଳାଳିମାନଙ୍କର ଉପଯୁକ୍ତ ଯତ୍ନ ନେଇଥାଏ। ମୋର ବିଶ୍ୱାସ ସିନ୍ଧୁକୁ ଏହି ଚୁକ୍ତି ଏକ ଉତ୍ତମ ଖେଳାଳି ଭାବେ ଗଢ଼ି ତୋଳିବ।’

ସମ୍ବନ୍ଧିତ ଖବର